ଭୁବନେଶ୍ବର : କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି। ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି। ଠିକ୍ ସେମିତି ଜଣେ ପ୍ରତିଭା ଥିଲେ ବଲିଉଡ୍ର ଦିଗ୍ଗଜ ଅଭିନେତା ଇର୍ଫାନ ଖାନ୍। ଓଡ଼ିଆ ଚଳଚ୍ଚିତ୍ର ସହ ତାଙ୍କର ସମ୍ପର୍କ ନାହିଁ, କିନ୍ତୁ କିଛି ଓଡ଼ିଆ ଅଭିନେତା ତାଙ୍କ ସହ ଅଭିନୟ କରି ଆଜି ବି ଗର୍ବରେ ଛାତି ଫୁଲାନ୍ତି। ସେମିତି ୩ ଅଭିନେତା ଥିଲେ ମନୋଜ ମିଶ୍ର, ଚିତ୍ତ ତ୍ରିପାଠୀ ଓ ବୁଦ୍ଧାଦିତ୍ୟ ମହାନ୍ତି। ଖାଲି ଇରଫାନଙ୍କ ସହ ସେମାନେ ପରଦାରେ ଦେଖା ଯାଇନାହାନ୍ତି, ବରଂ ଅଭିନୟ ଭିତରେ ତାଙ୍କୁ ଦେଖି କିଛି ନିଜ ଭିତରେ ଫୁଟାଇବା ପାଇଁ ପ୍ରଚେଷ୍ଟା କରିଛନ୍ତି।
ଅଭିନେତା ମନୋଜ ମିଶ୍ର ଓ ଇର୍ଫାନ ଖାନ ଉଭୟ ଥିଲେ ନୂଆଦିଲ୍ଲୀସ୍ଥିତ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି)ର ଛାତ୍ର। ତେବେ ଇର୍ଫାନ ଥିଲେ ମନୋଜଙ୍କଠୁ ବହୁତ ସିନିୟର। ତେଣୁ ଇରଫାନଙ୍କ ପ୍ରତି ମନୋଜଙ୍କର ଯଥେଷ୍ଟ ସମ୍ମାନ ଥିଲା। ଦିନେ ବ୍ରିଟିସ ଓ ଫ୍ରେଞ୍ଚର ମିଳିତ ପ୍ରୟାସରେ ୨୦୦୧ରେ ଚଳଚ୍ଚିତ୍ର ‘ଦି ୱାରିୟର’ ପାଇଁ କଳାକାର ଚୟନ ବେଳେ ଇର୍ଫାନ ଖାନ୍ଙ୍କୁ ମୁଖ୍ୟ ଭୂମିକା ମିଳିଥିଲା। ସେଥିରେ ମନୋଜଙ୍କୁ ମଧ୍ୟ ଜଣେ ୱାରିୟର ଭୂମିକା ମିଳିଥିଲା। ମନୋଜ ୨୦୦୧ ମସିହାର ସେତେବେଳର ସ୍ମୃତିକୁ ମନେ ପକାଇ କହିଛନ୍ତି, ମୁଁ ଏହି ଚଳଚ୍ଚିତ୍ରରେ ଇର୍ଫାନଙ୍କ ସହ ଦୁଇମାସ ସୁଟିଂରେ ସାମିଲ୍ ହେଇଛି। ରାଜସ୍ଥାନ, ଉଟି ଓ ମନାଲି ଭଳି ଜାଗାରେ ସୁଟିଂ ବେଳେ ତାଙ୍କ ସହ ଅଭିନୟ କରିଛି। ତେବେ ଏକ ଦୃଶ୍ୟ ମୋର ଆଜି ବି ମନେ ଅଛି। ଯେବେ ଆମେ ଇରଫାନଙ୍କ ପୁଅକୁ ମାରି ଦେଉଛୁ, ତା’ପରେ ତାଙ୍କର ଅଭିନୟ ଆଜି ବି ମୋର ଜଳଜଳ ମନେ ପଡ଼ୁଛି। କିଛି ସଂଳାପ ନଥାଏ, କିଛି ପ୍ରତିକ୍ରିୟା ବି ନଥାଏ। ତେବେ ତାଙ୍କର ସେଇ ସମୟର ଚାହାଣି ହିଁ ସବୁକିଛି ବ୍ୟକ୍ତ କରିଦେବା ପାଇଁ ଯଥେଷ୍ଟ ଥିଲା। ଅଭିନୟ ଯେ ସତରେ ଏତେ ବାସ୍ତବ ହେଇପାରେ, ସେତେବେଳେ ତାଙ୍କର ସେଇ ଅଭିନୟରୁ ହିଁ ମୁଁ ବାରିପାରିଥିଲି। ତାଙ୍କ ଆଖି ହିଁ ଅନେକ ସଂଳାପ ବ୍ୟକ୍ତ କରିଦିଏ। ଖାଲି ମୁଁ ନୁହେଁ, ହଲିଉଡ୍ର ନିର୍ମାତା ବି ତାଙ୍କର ସେଇ ଅଭିନୟ ଦେଖି ସ୍ତମ୍ଭୀଭୂତ ହେଇଯାଇଥିଲେ।
ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ୨୦୦୪ରେ ପ୍ରସାରିତ ଧାରାବାହିକ ‘ଜୟତେ’ର ଏକ ଏପିସୋଡ୍ରେ ଇର୍ଫାନଙ୍କ ସହ ଅଭିନୟର ସୁଯୋଗ ପାଇଥିଲେ। ସେଇ ଏପିସୋଡ୍ରେ ଇର୍ଫାନ ଅତିଥି କଳାକାର ଭାବେ ଅଭିନୟ କରୁଥିବା ବେଳେ ତାଙ୍କ ସହ ମୋର ହସ୍ପିଟାଲ୍ରେ ଓ ପୁଲିସ୍ ଷ୍ଟେସନ୍ରେ ଏକ ଦୃଶ୍ୟ ଥିଲା। ତେବେ ଅଭିନୟ ପରେ ଇରଫାନ ଏକ କୋଣରେ ବସି ରହିବା ସହ ମାଗାଜିନ୍ ଖେଳାଉଥିଲେ। ବହୁତ ଚୁପ୍ଚାପ ରହୁଥିଲେ। ସ୍କୁଲ୍ରେ ମୁଁ ପଢ଼ୁଥିବା ବେଳେ ୧୯୯୩ରେ ତାଙ୍କର ଅଭିନୟ ଦେଖି ଚମତ୍କୃତ ହୋଇଥିଲି। ଆଉ ଏକ ସ୍ମରଣୀୟ କଥା ମଧ୍ୟ କେବେ ଭୁଲି ହେବ ନାହିଁ। ୧୯୯୧ ମସିହାର କଥା। ମୋ ମା’ ମାଳବିକା ରାୟ ପାନାରୋମାର ଜୁରି ସଦସ୍ୟ ଥାଆନ୍ତି। ମା’ ଘରକୁ ଫେରିବା ପରେ କହିଲେ, ଜାଣିଛୁ ଜଣେ ନୂଆ ଅଭିନେତା ଆସିଛି, ସେ ଠିଆ ହେଇଗଲେ ପଙ୍କଜ କପୁର ଓ ଶବାନା ଆଜମୀଙ୍କ ଭଳି କଳାକାରମାନେ ବି ଦିଶୁନାହାନ୍ତି। ଜଣେ କଳାକାର ଯେ ସଭିଙ୍କ ହୃଦୟରେ କିପରି ଛାପ ଛାଡ଼ିପାରେ ତାହା ତାଙ୍କ ଅଭିନୟର ଝଲକରୁ ହିଁ ବାରି ହୋଇପଡ଼ୁଥିଲା।
ଓଡ଼ିଆ ଅଭିନେତା ଚିତ୍ତ ତ୍ରିପାଠୀ ମଧ୍ୟ ତାଙ୍କ ସହ ‘ତଲୱାର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ନିର୍ମାଣର ସିଡ୍ୟୁଲ ମଧ୍ୟରେ ଚିତ୍ତ ଇରଫାନଙ୍କ ସହ ୧୨ ଦିନ ରହି ସୁଟିଂ କରିଥିଲେ। ଚିତ୍ତଙ୍କ କହିବା ମୁତାବକ, ଆମେ ଉଭୟ ସୁଟିଂ ବାଦ୍ ଅନ୍ୟ ସମୟରେ ଚୁପ୍ଚାପ ରହୁଥିଲୁ। ତାଙ୍କ ଅଭିନୟ ଦେଖି ଚମତ୍କୃତ ହେଇଛି। ଆଜି ସେ ଚାଲିଯିବା ପରେ ଭାବୁଛି, ସେ ୧୨ ଦିନ ଭିତରେ ମୁଁ କାହିଁକି ନିରବ ରହିଲି।