ଓଡ଼ିଆ ପ୍ରଯୋଜକଙ୍କ ବଲିଉଡ୍‌ ପ୍ରବେଶ : ନିର୍ମାଣ କରିବେ ହିନ୍ଦୀ ମ୍ୟୁଜିକ ଭିଡିଓ ‘ଜିନା ଜରୁରି ହୈ’

ଚନ୍ଦ୍ରଶେଖରପୁର : ଓଲିଉଡ୍‌ରେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଥିବା ପ୍ରଯୋଜକ ରମେଶ ବାରିକ ବଲିଉଡ୍‌ରେ ପ୍ରଯୋଜନା ପାଇଁ ପାଦ ଥାପିଛନ୍ତି। ‘ଜିନା ଜରୁରି ହୈ’ ଶୀର୍ଷକ ୬ ମିନିଟ୍‌ ଅବଧିର ଏକ କ୍ଷୁଦ୍ର ସଂଗୀତ ଭିତ୍ତିକ ଭିଡିଓ ନିର୍ମାଣ କରୁଛନ୍ତି ପ୍ରଯୋଜକ ଶ୍ରୀ ବାରିକ। ଆର୍‌ଆର୍‌ ଇଭେଣ୍ଟ୍‌ସ ପ୍ରଡକ୍ସନ ପ୍ରସ୍ତୁତ ଏହି ମ୍ୟୁଜିକ ଭିଡିଓରେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ନାୟକ ଭୂମିକାରେ ଦେଖିବାକୁ ମିଳିବେ। ତାଙ୍କ ବିପକ୍ଷରେ ଅଭିନୟ କରିବେ ଓଡ଼ିଆ ଝିଅ ଦୀପିକା ତ୍ରିପାଠୀ। ଏହାର ନିର୍ଦେଶନା ଦେବେ ଜଣାଶୁଣା ନୃତ୍ୟ ସଂଯୋଜକ ବିଦ୍ୟୁତ ସେଠୀ (ବିଦୁ ସାର୍‌)। ଶବାବ ସାବ୍ରି ଏବଂ ପଲକ ମୁଚ୍ଛଲ ଗୀତଟିରେ କଣ୍ଠଦାନ କରିଥିବା ବେଳେ ଗୀତ ରଚନା କରିଛନ୍ତି ପୁଞ୍ଚି ଜାଲୋନ୍‌ଭି।

ଏହି ମ୍ୟୁଜିକ୍‌ ଭିଡିଓଟି କଟକ ଓ ଭୁବନେଶ୍ୱରରେ ସୁଟିଂ କରାଯିବ। ଆସନ୍ତାକାଲିଠାରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜକ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଆଜି ଘୋଷଣା କରାଯିବା ସହିତ ମ୍ୟୁଜିକ ଭିଡିଓର ପୋଷ୍ଟର୍‌ ଉନ୍ମୋଚିତ ହୋଇଛି। ଆସନ୍ତା ମାସେ ମଧ୍ୟରେ ଏହି ଭିଡିଓଟି ପ୍ରସାରଣ କରାଯିବ।

ସମ୍ବନ୍ଧିତ ଖବର