ଭୂପିନ୍ଦରଙ୍କୁ ଝୁରୁଛି ଓଲିଉଡ୍: ଏହିସବୁ ଓଡ଼ିଆ ଫିଲ୍ମ ଗୀତରେ କଣ୍ଠଦାନ କରି ଶ୍ରୋତାଙ୍କ ମନ ଜିଣିଥିଲେ

ଭୁବନେଶ୍ବର:  ପ୍ରସିଦ୍ଧ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ ଆଉ ଆମ ଗହଣରେ ନାହାନ୍ତି।  ଦିଲ୍ ଢୁଣ୍ଡତା ହେ, ଦୋ ଦିୱାନେ ସହର ମେଁ, ନାମ ଗୁମ୍ ଜୟେଗା, କିସି ନଜର କୋ ତୋରା ଇନ୍ତଜାର ଆଜ ଭି ଏବଂ ଏକ ଅକେଲା ଇସ୍ ସହରମେଁ ଭଳି ବହୁ ଲୋକପ୍ରିୟ ହିନ୍ଦୀ ଫିଲ୍ମଗୀତରେ କଣ୍ଠଦାନ କରି ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ହେଲେ ଆପଣ କ’ଣ ଜାଣନ୍ତି କି ଭୂପିନ୍ଦର କେତୋଟି ଓଡ଼ିଆ ସିନେଗୀତରେ କଣ୍ଠଦାନ କରିଛନ୍ତି। ସବୁଠୁ ବଡ଼ କଥା ହେଲା ତାଙ୍କର ସବୁ ଓଡ଼ିଆ ଗୀତ ଆଜି ବି ଲୋକପ୍ରିୟ। ଏବେ ଭୂପିନ୍ଦରଙ୍କୁ ଝୁରୁଛି ଓଲିଉଡ।

ଗାୟକ ଭୂପିନ୍ଦର ଗାଇଥିବା ଓଡ଼ିଆ ଗୀତ ମଧ୍ୟରେ ରହିଛି ନିତାଇ ପାଲିତଙ୍କ ନିର୍ଦେଶିତ ‘ଅନୁରାଗ’ର ଦୁଇଟି ଗୀତ। ଏହା ହେଲା ‘ଶୁଣ ମୋର ବନ୍ଧୁ…’ ଏବଂ ‘ମାଗେ ମେଲାଣି ଯେବେ ଲାଜରେ ଯ‌ାମିନୀ… ।’ ପ୍ରଥମଟି ତାଙ୍କର ଏକକ ଗୀତ ଥିବା ବେଳେ ଆରଟିରେ ସେ ଅନୁରାଧାଙ୍କ ସହ ଦ୍ବୈତ ଭାବ‌େ କଣ୍ଠଦାନ କରିଥିଲେ। ଉପରୋକ୍ତ ଦୁଇ ଗୀତର ରଚୟିତା ହେଲେ ଶିବବ୍ରତ ଦାସ। ‘ଅନୁରାଗ’ର ସଙ୍ଗୀତକାର ହେଲେ ଭେଟେରାନ୍ ଭୁବନ-ହରି ( ପଣ୍ଡିତ ଭୁବନେଶ୍ବର ମିଶ୍ର ଓ ହରିପ୍ରସାଦ ଚୌରାସିଆ)।

ଠିକ୍ ସେହିପରି ରାଜଲକ୍ଷ୍ମୀ ପ୍ରଡକସନ୍ସର ପ୍ରଥମ ଓଡ଼ିଆ ଛବି ‘ଉଲକା’ର ଗୋଟିଏ ଗୀତରେ କଣ୍ଠଦାନ କରିଥିଲେ ଭୂପିନ୍ଦର। ଏହା ହେଲା ‘ଏ ଜୀବନ ମାନେ ନୁହେଁ ଆହା…।’  ଏଥିରେ ସୁରେଶ ୱାଡେକର୍ ଓ ଆରତୀ ମୁଖାର୍ଜୀଙ୍କ ସହ କଣ୍ଠଦାନ କରିଥିଲେ ଭୂପିନ୍ଦର। ଏହି ଗୀତର ଗୀତିକାର ହେଲେ ସଚ୍ଚି ମହାନ୍ତି। ଏହାରକୁ ସ୍ବରାରୋପିତ କରିଥିଲେ ସଂଗୀତ ନିର୍ଦ୍ଦେଶକ ଯୋଡ଼ି ରାଜୁ ମିଶ୍ର-ବିଭୁ ମହାନ୍ତି। ଦେବବ୍ରତ କରଙ୍କ ପ୍ରଯୋଜିତ ସୂର୍ଯ୍ୟ ମିଶ୍ର- ରାଜୁ ମିଶ୍ର ‘ଉଲକା’ର ନିର୍ଦେଶନା ଦେଇଥିଲେ।

ଅପରପକ୍ଷରେ ଜଣାଶୁଣା ସଙ୍ଗୀତ ନିର୍ଦେଶକ ବିକାଶ ଦାସଙ୍କ ପ୍ରଥମ ଓଡ଼ିଆ ଛବି ‘ଭାଗ୍ୟ ହାତେ ଡୋରି’ର ଶୀର୍ଷକ ଗୀତରେ ବି ଭୂପିନ୍ଦର କଣ୍ଠଦାନ କରିଥିଲେ। ଶୀର୍ଷାନନ୍ଦ ଦାସ କାନୁନଗୋ ଗୀତ ରଚନା କରିଥିଲେ। ଏହାର ପ୍ରଯୋଜକ ହେଲେ ସୁବାସ ରାଉତ ଓ ନିର୍ଦେଶକ ହେଲେ ହର ପଟ୍ଟନାୟକ।

ସମ୍ବନ୍ଧିତ ଖବର