‘ଦିଲ୍’ ଶବ୍ଦ ଥିବା ଶୀର୍ଷକକୁ ନେଇ ଆସୁଛି ଏସବୁ ଓଡ଼ିଆ ସିନେମା

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଓଡ଼ିଆ ସିନେମାର ଟାଇଟଲରେ ଗତ କିଛି ବର୍ଷ ହେବ ହିନ୍ଦୀ ଶବ୍ଦର ପ୍ରଚଳନ ଦେଖିବାକୁ ମିଳୁଛି। ଏହି କ୍ରମରେ ଏକ ହିନ୍ଦୀ ଶବ୍ଦ ‘ଦିଲ୍’କୁ ଟାଇଟଲରେ ସାମିଲ କରାଯାଇଛି। ଏଇ ଯେମିତି ଆଗରୁ ‘ମୋ’ ଦିଲ୍ କହେ ଇଲୁ ଇଲୁ’, ‘ଦିଲକା ରାଜା’ ଓ ‘ଦିଲ୍ ଦିୱାନା ହେଇଗଲା’ ଭଳି ଓଡ଼ିଆ ସିନେମା ମୁକ୍ତିଲାଭ କରିଛି। ଏବେ ଆସନ୍ତୁ ଜାଣିବା, ‘ଦିଲ୍’ ଶବ୍ଦକୁ ଟାଇଟଲରେ ସାମିଲ କରାଯାଇଥିବା ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ସିନେମା ସଂପର୍କରେ।


‘ଦିଲ୍ ମୋର ମାନେନା’: ଶ୍ରୀଧର ମାର୍ଥା ଏବଂ ବାପୁନ କୁମାରଙ୍କ ପ୍ରଯୋଜିତ ‘ଦିଲ୍ ମୋର ମାନେନା’ ଏବେ ରିଲିଜ୍ ଅପେକ୍ଷାରେ ରହିଛି। ଏହି ରୋମାଣ୍ଟିକ୍ ଫିଲ୍ମରେ ସ୍ୱରାଜ ନାୟକ ଓ ଶିବାନୀ ନାୟିକା ଭୂମିକାରେ ଅଛନ୍ତି। ଏହାଛଡ଼ା ମିହିର ଦାସ, ଉଷସୀ ମିଶ୍ର, ହରି, ଅମର ଗୁଡୁ, ସଲିଲ ମିତ୍ର ଏବଂ ଶ୍ରୀଧର ମାର୍ଥାଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ହିମାଂଶୁ ପରିଜା(ଚଣ୍ଡୀ) ଏହି ସିନେମାର ନିର୍ଦେଶକ। ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି।
‘ଦିଲର ପାସୱାର୍ଡ’: ଏହି ନୂଆ ଓଡ଼ିଆ ସିନେମାର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ମୁମ୍ବାଇର ଧରମ୍ ବର୍ମା। ଶିଶୁ କଳାକାରରୁ ନାୟକ ବନିଥିବା ସ୍ୱରାଜଙ୍କୁ ଏଥିରେ ନାୟକ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଜଣେ ମୁମ୍ବେୟା ମଡେଲ୍ ମାନବୀ ପଟେଲ ସ୍ୱରାଜଙ୍କ ନାୟିକା ସାଜିଛନ୍ତି। ଏହା ବି ଏକ ରୋମାଣ୍ଟିକ୍ ସିନେମା। ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦେଶକ ହେଲେ ପ୍ରେମ ଆନନ୍ଦ।

‘ବାୟ ବାୟ ଦିଲ୍‌’: ମହ୍ଲାର ଏଣ୍ଟରଟେନ୍‌ମେଣ୍ଟ ଏବଂ ଏ.ବି. ସଲ୍ୟୁସନ ବ୍ୟାନରରେ ନିର୍ମାଣାଧୀନ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍‌’ର ସୁଟିଂ ନିକଟରେ ଶେଷ ହୋଇଛି। ଏହା ଖୁବ୍ ଶୀଘ୍ର ପରଦା ଉପରକୁ ଆସିବ। ଏହି ରୋମାଣ୍ଟିକ୍ ସିନେମାର ପ୍ରଯୋଜନା କରିଛନ୍ତି ଜୟଲକ୍ଷ୍ମୀ ମିଶ୍ର। ଏହା ନିର୍ଦେଶକ ହେଲେ କୁନାଲ ପଟ୍ଟନାୟକ। ଟୁନା ଭାଇ-ଉନା ଭାଇ ଏହାର ସଙ୍ଗୀତ ନିର୍ଦେଶକ। ଏଥିରେ ନବାଗତ ରାଜ୍‌ ଓ ନବାଗତା ସାସା ଅଛନ୍ତି ନାୟକ, ନାୟିକା ଭୂମିକାରେ। ଏହାଛଡ଼ା ପ୍ରୀତିରାଜ, କୁନାଲ, ଟୁଲୁ, ଶମ୍ଭୁ, ରାମବାବୁ ,ପଲ୍ଲବୀ, ଜୀବନ ପଣ୍ଡା ଏବଂ ଜୟଲକ୍ଷ୍ମୀ ପ୍ରମୁଖଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର