କୋଭିଡ୍‌ କଟକଣା ଯୋଗୁଁ ପ୍ରେକ୍ଷାଳୟକୁ ଆସିପାରିନାହିଁ ରବି ପଟ୍ଟନାୟକଙ୍କ ସମ୍ପାଦିତ ଶେଷ ଚଳଚ୍ଚିତ୍ର ‘ଭୋଟ’

୧୯୭୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘୨୭ ଡାଉନ୍’ ୪ଟି ଜାତୀୟ ପୁରସ୍କାର ପାଇଥିଲା। ଏହି ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ ଓଡ଼ିଶାର ପ୍ରଖ୍ୟାତ ଚଳଚ୍ଚିତ୍ର ସମ୍ପାଦକ ତଥା ଜୟଦେବ ପୁରସ୍କାର ପ୍ରାପ୍ତ ରବି ଶଙ୍କର ପଟ୍ଟନାୟକ। ସେତେବେଳେ ରବି ପଟ୍ଟନାୟକ ପୁନା ଫିଲ୍ମ ଇନିଷ୍ଟିଚ୍ୟୁଟରୁ ତାଲିମ ନେଇ ବଲିଉଡ୍‌ରେ ସମ୍ପାଦକ ହିସାବରେ କାର୍ଯ୍ୟ କରିଥିଲେ। କିସ୍‌ମତ, ଦିଲ୍ ସେ ମିଲେ ଦିଲ୍, ଆପ୍ କି ଖାତିର, ଚଲ୍‌ତେ ଚଲ୍‌ତେ, ଦ୍ବିବିଧା ଆଦି ଚଳଚିତ୍ରର ସମ୍ପାଦନା କରିଥିଲେ। ଏହି ଭଳି କିଛି ସିନେମା କରିସାରିଲା ପରେ ୧୯୭୭ ମସିହାରୁ ଓଡ଼ିଆ ଚଳଚ୍ଚିତ୍ର ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଥିଲେ ‘ଅଭିମାନ’ ଚଳଚ୍ଚିତ୍ରରୁ। ତାଙ୍କୁ ଓଲିଉଡ୍‌ର ସମ୍ପାଦନା କ୍ଷେତ୍ରରେ ଭୀଷ୍ମ ପିତାମହ କୁହାଯାଏ। ମୃତ୍ୟୁ ପୂର୍ବରୁ ସେ ‘ଭୋଟ’ ନାମକ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ। କୋଭିଡ୍‌ କଟକଣା ଯୋଗୁଁ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟକୁ ଆସିପାରିନାହିଁ।

‘ଭୋଟ’ ଚଳଚ୍ଚିତ୍ରର ପ୍ରଯୋଜନା ପବିତ୍ର ନାୟକ କରିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଦୁଷ୍ମନ୍ତ ରାଉତରାୟ। ଏହି ଚଳଚ୍ଚିତ୍ରରେ ମଞ୍ଚରୁ ତାଲିମ୍ ପ୍ରାପ୍ତ ଯୁବକ ଯୁବତୀମାନେ ଅଭିନୟ କରିଛନ୍ତି। ସେମାନଙ୍କ ସହିତ ଅଛନ୍ତି ସୂର୍ଯ୍ୟ ମହାନ୍ତି, ଚକ୍ରଧର ଜେନା, ବନମାଳୀ ପାଣ୍ତିଆ, ଉଷସୀ ମିଶ୍ର, ରାନୁ ପାଢ଼ୀ, ହର ରଥ, ଦେବୀ ବାରିକ, ସତ୍ୟ ପାଣିଗ୍ରାହୀ, ପିଙ୍କି ପ୍ରିୟଦର୍ଶିନୀ ଏବଂ ହାଡୁ। ବଡ଼ ପରଦାରେ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି ସୁଶାନ୍ତ, ଶୀତାଂଶୁ, ସୌମ୍ୟ ଓ ଶ୍ରେୟା। ଏଥିରେ ଆଧୁନିକ ଓଡ଼ିଶାର ଗ୍ରାମ୍ୟ ପରିବେଶ ସହିତ କିଛି ପର୍ବପର୍ବାଣିର ଝଲକ ଦେଖିବାକୁ ମିଳିବ। ଏଥିରେ ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ ଓ ବାପୁ ଗୋସ୍ବାମୀ ଏବଂ ସଙ୍ଗୀତ ନିେର୍ଦ୍ଦଶନା ଦେଇଛନ୍ତି ବିକାଶ ଦାସ। ପ୍ରଶାନ୍ତନୁ ମହାପାତ୍ରଙ୍କ ଫଟୋଗ୍ରାଫି, ଶବ୍ଦଗ୍ରହଣ କରିଛନ୍ତି ପ୍ରିୟବ୍ରତ ପାଣିଗ୍ରାହୀ ଏବଂ ସମ୍ପାଦନା କରିଛନ୍ତି ସ୍ବର୍ଗତ ରବି ପଟ୍ଟନାୟକ। ଗାଳ୍ପିକ ଓ ଔପନାସିକ ଅଜୟ ମହାପାତ୍ରଙ୍କ କାହାଣୀ ‘ଭୋଟ’ ଗଳ୍ପଟି ଚଳଚ୍ଚିତ୍ରରେ ପରିଣତ କରାଯାଇଛି। ‘ଭୋଟ’ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପ୍ରସ୍ତୁତି, ସଂଳାପ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ମହାପାତ୍ର।

ସମ୍ବନ୍ଧିତ ଖବର