ପ୍ରବାହର ବିପରୀତରେ ଯାଇ ଦର୍ଶକଙ୍କୁ ଏକ ମୌଳିକ କୋର୍ଟରୁମ୍‌ ଡ୍ରାମା ଭେଟିଦେବାର ଉଦ୍ୟମ ହେଉଛି ‘କୁହୁଡ଼ି’। ଏଠାରେ ପ୍ରବାହର ବିପରୀତ ବୋଲି କହିବାର ତାତ୍ପର୍ଯ୍ୟ ହେଲା ସାଧାରଣତଃ ଆଇନ ଓ ନ୍ୟାୟ ବ୍ୟବସ୍ଥାର ପ୍ରବାହ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବାର ଧାରଣା ରହିଥିବା ବେଳେ ‘କୁହୁଡ଼ି’ର କାହାଣୀ ଏହା ଦର୍ଶାଇବାକୁ ଚେଷ୍ଟା କରିଛି ଯେ ‘ପୋକ୍ସୋ’ ପରି ଆଇନକୁ ମହିଳାମାନେ ପୁୁରୁଷଙ୍କ ବିରୋଧରେ ଅତ୍ୟନ୍ତ କ୍ରୂର ଢଙ୍ଗରେ ଅପବ୍ୟବହାର କରିପାରନ୍ତି। ତେବେ ଏହି ଧାରଣାକୁ ଯଥାର୍ଥତା ପ୍ରଦାନ କରିବାରେ କାହାଣୀଟିରେ ଉପସ୍ଥାପିତ ଯୁକ୍ତିମାନ ପର୍ଯ୍ୟାପ୍ତ ବୋଲି ମନେ ହେଲା ନାହିଁ।

Advertisment

‘କୁହୁଡ଼ି’ର କାହାଣୀ କେନ୍ଦ୍ରରେ ରହିଛି ଏକ ନାବାଳିକା ସହ ତା’ ପିତା ଦ୍ବାରା ଦୁଷ୍କର୍ମ ଘଟଣା। ପିତା ତଥା ଗାୟକ ସାଗର ମିଶ୍ର (ଦୀପାନ୍ବିତ ଦାସମହାପାତ୍ର)ଙ୍କୁ ଏକ ନିମ୍ନ ଅଦାଲତ ଦୋଷୀ ପ୍ରମାଣିତ କରି ୧୦ ବର୍ଷର ସଶ୍ରମ କାରାଦଣ୍ଡ ଦେଇଛନ୍ତି। ଏଠାରେ ଆବିର୍ଭାବ ହୁଅନ୍ତି ଆଦର୍ଶବାନ୍‌ ଓକିଲ ଅଂଶୁମାନ ପଟ୍ଟନାୟକ (ଅନୁଭବ ମହାନ୍ତି)। ନିଜର କଠୋର ଆଦର୍ଶ ପାଇଁ ସେ କୋର୍ଟରେ ଗୋଟିଏ ହେଲେ ମାମଲା ଲଢ଼ିନାହାନ୍ତି। ପ୍ରକାରାନ୍ତରେ ସାଗରଙ୍କ ପିତା ହେଉଛନ୍ତି ଅଂଶୁମାନଙ୍କ ଶିକ୍ଷକ। ସେ ଅଂଶୁମାନଙ୍କୁ ଭେଟି ଉପର କୋର୍ଟରେ ପୁଅର ମାମଲା ଲଢ଼ିବାକୁ ନେହୁରା ହେଉଛନ୍ତି। ଏହା ପରେ ଅଂଶୁମାନ କିପରି ଜଣେ ପ୍ରତିଷ୍ଠିତ ଓକିଲଙ୍କ ବିରୋଧରେ ଲଢୁଛନ୍ତି ଏବଂ ‘ସତର ସୂର୍ଯ୍ୟ ଆଗରେ ଥିବା ମିଛର କୁହୁଡ଼ିକୁ ହଟାଇ’ ନିଜ ମହକିଲଙ୍କୁ ନ୍ୟାୟ ଦେଉଛନ୍ତି ତାହା ହେଉଛି ଏହି ଚଳଚ୍ଚିତ୍ରର ସାରାଂଶ।

ଏହି ଚଳଚ୍ଚିତ୍ର ଅନ୍ୟ ଯେଉଁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ତାହା ହେଲା- ବିବାହ ବିଚ୍ଛେଦ ହେଉଛି ଏକ ଅଭିଶାପ। ଏହା ପରିବାର ଭାଙ୍ଗିଦିଏ ଏବଂ ଶିଶୁମାନଙ୍କୁ ପିତା ଅଥବା ମାତାଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ବାଧ୍ୟ କରେ, ଯାହା ସେମାନଙ୍କୁ ପରବର୍ତ୍ତୀ ସମୟରେ ଅପରାଧୀ ଓ ନିଶାଖୋରରେ ପରିଣତ କରିଦିଏ। ଏଭଳି ଯୁକ୍ତିକୁ ବିଭିନ୍ନ ତଥ୍ୟ ମାଧ୍ୟମରେ ଶକ୍ତିଶାଳୀ କରିବାକୁ ଉଦ୍ୟମ କରାଯାଇଛି। ତେବେ ଏହି ଧାରଣା ବାସ୍ତବତାର ପରିପନ୍ଥୀ ଓ ଏହାର ଯୁକ୍ତି ଅତ୍ୟନ୍ତ ଏକପାଖିଆ ଭଳି ମନେ ହୋଇଥାଏ। ସେହିପରି ସିନେମାର କେତେକ ସଂଳାପ ପୂର୍ବାଗ୍ରହ ଓ ନାରୀବିଦ୍ବେଷ ଦ୍ବାରା ପ୍ରଭାବିତ। ଉଦାହରଣ ସ୍ବରୂପ, ସାଗର ଗୋଟିଏ ଦୃଶ୍ୟରେ କହୁଛି ତା’ ବାପା ତାକୁ ପୂର୍ବରୁ ସତର୍କ କରାଇଦେଇଥିଲେ ଯେ ‘ଧନୀ ଘରର ଝିଅକୁ ପୋଷିବା ହାତୀ ପୋଷିବା ସହ ସମାନ।’ ଅନ୍ୟ ଏକ ବିଡ଼ମ୍ବିତ ଦୃଶ୍ୟରେ ଛାଡ଼ପତ୍ରର କଠୋର ବିରୋଧୀ ଅଂଶୁମାନ ନିଜ ପତ୍ନୀ (ସୁପ୍ରିୟା ନାୟକ)ଙ୍କୁ ଛାଡ଼ପତ୍ର ଦେବା କଥା କହୁଛନ୍ତି। ତାଙ୍କ ପତ୍ନୀ ସେମାନଙ୍କ ଝିଅକୁ ନିଜ ସାଙ୍ଗରେ ନେଇଯିବା କଥା କହିବାରୁ ମଦ ନିଶାରେ ଅଂଶୁମାନ କହୁଛନ୍ତି, ‘ତମ ବାପା ତୁମ ପେଟରେ ଝିଅକୁ ପୂରାଇ ପଠାଇଥିଲେ କି?’ ଏସବୁ ଦୁର୍ବଳ ଚିତ୍ରନାଟ୍ୟ ରଚନାର ଫଳଶ୍ରୁତି। ଯେକୌଣସି ଭଲ ଚଳଚ୍ଚିତ୍ରର ଏକ ମୌଳିକ ବୈଷୟିକ ଦିଗ ହେଉଛି ଦୃଶ୍ୟ ଓ ଶବ୍ଦ ମଧ୍ୟରେ ସମନ୍ବୟ। ‘କୁହୁଡ଼ି’ରେ ଏହି ସମନ୍ବୟର ଅଭାବ ଚଳଚ୍ଚିତ୍ରର ଆରମ୍ଭରୁ ଶେଷ ମଧ୍ୟରେ ଅନେକ ସ୍ଥାନରେ ବାରି ହୋଇପଡ଼େ। କେତେକ ଦୃଶ୍ୟରେ ଅଭିନେତାଙ୍କ ମୁହଁରୁ ସଂଳାପ ଉଚ୍ଚାରଣ ଶେଷ ହେବା ପରେ ଶବ୍ଦ ଆସିବା ଅତ୍ୟନ୍ତ ଅସଙ୍ଗତ ଅନୁଭବ ହୁଏ।

‘କୁହୁଡ଼ି’ରେ ଅନୁଭବଙ୍କ ଅଭିନୟ ବେଶ୍ ପ୍ରଭାବଶାଳୀ। ମାତ୍ର କେତେକ ଦୃଶ୍ୟରେ ଅତିନାଟକୀୟତା ଓ ‘ହିରୋ ସିଣ୍ଡ୍ରୋମ୍’ର ଛାପ ଦେଖିବାକୁ ମିଳେ। ସେ ଆବଶ୍ୟକତାଠାରୁ ଅଧିକ ଭାବପ୍ରବଣ ହୋଇ ସଂଳାପ ଆବୃତ୍ତି କରୁଥିବା ଦର୍ଶକଙ୍କୁ ଅନୁଭବ ହୁଏ।। କାହାଣୀର ମୌଳିକତା, ଛାଡ଼ପତ୍ର ବିରୋଧୀ ଆଭିମୁଖ୍ୟ ଓ ଖାଣ୍ଟି ଓଡ଼ିଆ ଗୀତ ଏହି ସିନେମାର କେତେକ ପ୍ରଶଂସନୀୟ ଦିଗ।