ବର୍ଷା ସାଜିଲା ବାଧକ : ସରିଲା ନାହିଁ ସୁଟିଂ, ଦଶହରା ବଜାରକୁ ଆସିପାରିଲାନି ‘ଶଙ୍କର’

କଟକ: ଦଶହରାରେ ମୁକ୍ତଲାଭ କରିବାକୁ ଥିବା  ଏସ୍‌ଡି ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’ର କାମ ବର୍ଷା ଯୋଗୁ ସରିପାରିନାହିଁ। ଏହାର ୫ଟି ଗୀତର ସୁଟିଂ ବାକି ରହିଯାଇଥିବା ହେତୁ ରିଲିଜ୍ ଘୁଞ୍ଚିଛି। ଫିଲ୍ମର କାମ ସରି ରିଲିଜ ହେବା ବେଳକୁ ଡିସେମ୍ବର କିମ୍ବା ଜାନୁଆରି ହୋଇଯିବ ବୋଲି ଜଣାପଡ଼ିଛି। ସିନେମାର ନିର୍ଦ୍ଦେଶକ ହେଲେ ଏନ୍. ପାଢ଼ୀ ଏହି ସୂଚନା ଦେଇଛନ୍ତି।

‘ଶଙ୍କର’ର ମୁଖ୍ୟ ଚରିତ୍ରରେ ନଜରକୁ ଆସିବେ ଦୁଇ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଦେବାନନ୍ଦ। ଏହା ବ୍ୟତୀତ ଦେବାନନ୍ଦଙ୍କ ବିପକ୍ଷରେ ନାୟିକା ଦିବ୍ୟାଦିଶାଙ୍କୁ ଦେଖିବାକୁ ମିଳିବ।ନାୟକ-ନାୟିକା ଦେବାନନ୍ଦ ଓ ଦିବ୍ୟାଦିଶାଙ୍କ ରୋମାନ୍ସକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଆ ସିନେ ଜଗତ‌େର ରାଜ୍ କରି ଆସୁଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦର୍ଶକ ଏକ ନୂଆ ରୂପରେ ଦେଖିବାକୁ ପାଇବେ।

ଏହି ସିନେମାରେ ସେ ପରିବାରର ବଡ଼ଭାଇ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର କଥାବସ୍ତୁ ଅନୁଯାୟୀ ସାବତ ପୁଅ ପରିବାରକୁ ବିପଦରୁ ରକ୍ଷା କରୁଛି। ଆଉ ଏହି ସାବତ ପୁଅ ଶଙ୍କର ଭୂମିକା ନିର୍ବାହ କରିଛନ୍ତି ଅଭିନେତା ସିଦ୍ଧାନ୍ତ। ଅନ୍ୟମାନଙ୍କ ମଧ୍ୟରେ ଶିବ, ସୁପ୍ରିୟା, କୁନା ତ୍ରିପାଠୀ, କେକେ, ବିଜୁ ବଡ଼ଜେନା, କାଳୀ, ଦୀପ୍ତିରେଖା, ନୂପୁର ଘୋଷ, ମିତା ଚକ୍ରବର୍ତ୍ତୀ, ସୁଶାନ୍ତ, ଡାକ୍ତର ଅନନ୍ତ ଆଚାର୍ଯ୍ୟଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଅତୀତରେ ସେ ଏ ମନ ମାନେନା, ଆରେ ସାଥୀ ଆ, ମୁନ୍ନା-ଏ ଲଭ୍‌ଷ୍ଟୋରି ଓ ମନେ ମନେ ମନ ଖୋଜୁଥିଲା ଆଦି ସିନେମାର ନିର୍ଦ୍ଦେଶନା ଦେଇଥିବା ଏନ୍. ପାଢ଼ୀ ଏହି ସିନେମାର ନିର୍ଦ୍ଦେଶକ। ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ସେ ନିଜେ ରଚନା କରିଛନ୍ତି। ଏହାର ସଂଳାପକାର ହେଲେ ମନୋରଂଜନ ଦାସ ଏବଂ ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାଶ। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅରବିନ୍ଦ ସାହୁ ଏବଂ ଚିତ୍ରୋତ୍ତୋଳନ କରିଛନ୍ତି ଅଜିତ ଦାସ। ଚଳଚ୍ଚିତ୍ର ‘ଶଙ୍କର’ ଦଶହରାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର