ଏ ବର୍ଷ ଆସିବାର ଥିଲା ,ହେଲେ ଏସବୁ ଓଡ଼ିଆ ଛବି ରିଲିଜ୍‌ ହେବ ଆର ବର୍ଷ !

ଏବର୍ଷ ରିଲିଜ୍‌ ହେବାକୁ ଥିବା କେତୋଟି ଓଡ଼ିଆ ସିନେମା ଆଉ ୨୦୧୭ରେ ମୁକ୍ତିଲାଭ କରିବ ନାହିଁ। ଏସବୁ ଓଡ଼ିଆ ଛବି ୨୦୧୮ରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଆସନ୍ତୁ ସେଭଳି କେତୋଟି ଓଡ଼ିଆ ସିନେମା ଉପରେ ନଜର ପକାଇବା….

ଶକ୍ତି: ରୋନକ ସାହୁ ଓ ମୀନତି ସାହୁଙ୍କ ପ୍ରଯୋଜିତ ଆକ୍‌ସନ୍‌ ପ୍ୟାକ୍‌ଡ଼ ରୋମାଣ୍ଟିକ୍‌ ଫିଲ୍ମ‘ଶକ୍ତି’ ୨୦୧୭ ଦଶହରାରେ ରିଲିଜ୍‌ କରାଯିବାର ପ୍ରଥମେ ଲକ୍ଷ୍ୟ ରଖାଯାଇଥିଲା। ହେଲେ ତାହା ସେହି ସମୟରେ ପରଦାକୁ ଆସି ପାରିଲା ନାହିଁ।ଏବେ ଏହାର ଟାର୍ଗେଟ୍‌ ରହିଛି ନୂଆ ବର୍ଷ। ହଁ ୨୦୧୮ ନବ ବର୍ଷ ଅବସରରେ‘ଶକ୍ତି’ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।ଏହି ଫିଲ୍ମ ଜରିଆରେ ନବାଗତ କରନ୍‌ ଓଲିଉଡ଼୍‍ରେ ହିରୋ ଭାବେ ଡ଼େବ୍ୟୁ କରିବାକୁ ଯାଉଛନ୍ତି।ଏଥିରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି‘ଭଲପାଏ ତତେ ୧୦୦ରୁ ୧୦୦’ଓ ‘ଆଖି ଖୋଲିଦେଲେ ତୁ ହିଁ ତୁ’ଫେମ୍‌ ସୂର୍ଯ୍ୟମୟୀ।ଏଥିରେ ମିହିର ଦାସଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।ଏହି ଫିଲ୍ମର ସଂଳାପ ଲେଖିଛନ୍ତି ରଣଜିତ ପଟ୍ଟନାୟକ ଏବଂ ଏଥିରେ ଅଭିଜିତ୍‌ ମଜୁମ୍‌ଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।ସୁଧାକର ବସନ୍ତ ‘ଶକ୍ତି’ର ନିର୍ଦ୍ଦେଶକ।

‘ଲୈଲା ଓ ଲୈଲା’: ଖ୍ୟାତନାମା ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ‘ଲୈଲା ଓ ଲୈଲା’ବି ୨୦୧୮ ନବବର୍ଷ ଉପଲକ୍ଷେ ପରଦାକୁ ଆସୁଥିବାର ସୂଚନା ମିଳୁଛି।ଏହିି ରୋମାଣ୍ଟିକ୍‌ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି।ଏଥିରେ ପ୍ରଥମ ଥର ପାଇଁ ସ୍ୱରାଜ ଓ ସନମୀରାଙ୍କ ଯୋଡ଼ିଙ୍କୁ ଦର୍ଶକ ଦେଖିବାକୁ ପାଇବେ।ଏଠାରେ ସୂଚନାଯୋଗ୍ୟ ଯେ,ସ୍ୱରାଜ ‘ତୁ ମୋ’ ଲଭ୍‌ ଷ୍ଟୋରି’ଓ ସନମୀରା ‘ସପନର ପଥେ ପଥେ’ ସିନେମା ଜରିଆରେ ଓଲିଉଡ଼୍‍ରେ ଡ଼େବ୍ୟୁ କରିଛନ୍ତି ଚଳିତବର୍ଷ। ନିର୍ମଳ ନାୟକ ଏହି ସିନେମାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ବୈଦନାଥ ଦାସ।

‘ଆଣ୍ଟି ନମସ୍କାର’:- ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଆଣ୍ଟି ନମସ୍କାର’ମଧ୍ୟ ଆର ବର୍ଷକୁ ରହିଛି। କାରଣ ଏବେ ନିର୍ଦ୍ଦେଶକ ଅନ୍ୟ ଏକ ଫିଲ୍ମ ଯୋଗୀର କାମରେ ବ୍ୟସ୍ତ ଅଛନ୍ତି। ‘ଆଣ୍ଟି ନମସ୍କାର’ରେ ଶ୍ରୀତମ ଦାସ,ଜୀନା,ଜର୍ଜ ତିଆଡ଼ି ,ରବି ମିଶ୍ର,ସାତ୍ୟକୀ ମିଶ୍ର ଓ ମୀନକେତନ ଅଭିନୟ କରିଛନ୍ତି। ଅଗ୍ନିରାଜ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶକ।
‘ନୀରାଜନମ୍‌’ :- ସବ୍ୟସାଚୀଙ୍କ ଅଭିନୀତ ତେଲୁଗୁ-ଓଡ଼ିଆ ଦ୍ୱିଭାଷୀ ସିନେମା ‘ନୀରାଜନମ୍‌’୨୦୧୭ରେ ରିଲିଜ୍‌ ହେବାର ଥିଲା,ମାତ୍ର ଏବେ ଏହାର ରିଲିଜ୍‌ ୨୦୧୮କୁ ଘୁଞ୍ଚାଇ ଦିଆଯାଇଥିବା ଜଣାଯାଇଛି। ଅଚନ ଆଲ୍ଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଦାଦି ଆପ୍ପା ଲାନାଇଡ଼ୁ।ଏହି ସିନେମାରେ ସବ୍ୟସାଚୀଙ୍କ ବିପକ୍ଷରେ କାରୁଣ୍ୟା ଚୌଧୁରୀ ଅଛନ୍ତି।ଏତଦ୍‌ବ୍ୟତୀତ ତେଲୁଗୁ କଳାକାର ମହେଶ୍‌ ଓ ଏଲ୍‌.ବି.ଶ୍ରୀରାମଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ରବି ଶଙ୍କର ଏହାର ସଙ୍ଗୀତ ନିର୍ଦ୍ଦେଶକ।

 

‘ଦିଓ୍ଵାନା ହେଲି ତୋ’ ପାଇଁଁ’:- ଅଶୋକ କୁମାର ଦାସ୍‌ଙ୍କ ପ୍ରଯୋଜିତ ତଥା ଶ୍ରୀତମ୍‌ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛିବ ‘ଦିଓ୍ଵାନା ହେଲି ତୋ’ ପାଇଁଁ’୨୦୧୭ରେ ମୁକ୍ତିଲାଭ କରିବାର ଥିଲା,ମାତ୍ର ଯାହା ସୂଚନା ମିଳୁଛି,ତାହା ଏବର୍ଷ ନୁହେଁ ;ବରଂ ଆର ବର୍ଷ ରିଲିଜ୍‌ ହେବ।ଏହି ସିନେମାରେ ସିଦ୍ଧାନ୍ତ,ନବାଗତ ମୁନ୍ନା,ରୀୟା ଦେ,ଶ୍ରୀତମ୍‌ ଦାସ ,ଉଷସୀ ମିଶ୍ର,ପପୁ ପମ୍‌ପମ୍‌ ,ଗୁଡ଼ୁ,ଅମର ଓ ସରୋଜ୍‌ ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ସଂଳାପକାର ହେଲେ ରଣଜିତ୍‌ ପଟ୍ଟନାୟକ। ଅଭିଜିତ ମଜୁମଦାର ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର