ଟେଲି ଦୁନିଆର କାଷ୍ଟିଂ କାଉଚ୍‌କୁ ନେଇ ବଡ଼ ଖୁଲାସା କଲେ ନିର୍ଦ୍ଦେଶକ ହରିଶ ମହାନ୍ତି

ସାକ୍ଷାତକାର/ବନ୍ଦନା ମିଶ୍ର

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସଫଳ ମେଗା ଧାରାବାହିକ ‘କହୁଥିଲେ ସରିବନି’ର ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କୁ ଓଡ଼ିଆ ଟେଲି ଦୁନିଆର ଜନକ ଭାବେ ବିବେଚନା କରାଯାଏ। ଯଦିଓ ଦୂରଦର୍ଶନରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ‘ଅଧିକାର’ ପ୍ରଥମେ ପ୍ରସାରଣ ହୋଇଥିଲା ତେବେ ସଂପୂର୍ଣ୍ଣ ସଫଳତା ଅର୍ଜନ କରିଥିବା ପ୍ରଥମ ମେଗା ଧାରାବାହିକ ଭାବେ ଲୋକେ ‘କହୁଥିଲେ ସରିବନି’କୁ ଜାଣନ୍ତି। ସେଇଠୁ ଯାତ୍ରା ଆରମ୍ଭ କରି ଆଜି ପର୍ଯ୍ୟନ୍ତ ‘ରହିଛି ରହିବି ତୋରି ପାଇଁ’ ପର୍ଯ୍ୟନ୍ତ ଅନେକ ସଫଳତା ସାଉଁଟିଥିବା ଏହି ନିର୍ଦ୍ଦେଶକଙ୍କର ଉଲ୍ଲେଖନୀୟ ଧାରାବାହିକ ଭିତରେ ରହିଛି ‘ମାଆ’, ‘ସିନ୍ଦୂର’, ‘ପ୍ରତିଭା’, ‘କା’, ‘ପେଟେଣ୍ଟ୍‌ ମେଡିସିନ୍‌’ ଇତ୍ୟାଦି। ଜଣେ କଳାକାର ଭାବେ ସନ୍ତୋଷ ଲାଭକୁ ମୁଖ୍ୟ ବୋଲି ଭାବୁଥିବା ଏହି ସ୍ରଷ୍ଟା ଅର୍ଥ ରୋଜଗାରକୁ ଗୌଣ ମନେକରନ୍ତି। ସଦା ମୌଳିକତା ଉପରେ ଗୁରୁତ୍ୱ ଦେଉଥିବା ଏହି ସ୍ୱନାମଧନ୍ୟ ନିର୍ଦ୍ଦେଶକ ସିରିଏଲ୍‌ ନିର୍ଦ୍ଦେଶନାରେ ଏତେ ବୁଡ଼ି ରହିଛନ୍ତି ଯେ ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ ସମୟ ପାଇନାହାନ୍ତି। ତାଙ୍କ ସିରିଏଲ୍‌ର କୁହୁକ ପଣ ପୂରା ଓଡ଼ିଶାବାସୀଙ୍କୁ ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଧ୍ୱ ହେବ ବାନ୍ଧି ରଖିଛି। ତେବେ, ଚାଲନ୍ତୁ ଏହି ସ୍ରଷ୍ଟାଙ୍କ ସଂପର୍କରେ କିଛି ବ୍ୟକ୍ତିଗତ କଥା ଜାଣିବା।

୧. ପ୍ରଶ୍ନ: ‘କହୁଥିଲେ ସରିବନି’ ସିରିଏଲ୍‌ ପ୍ରତି ଦର୍ଶକଙ୍କ ଭିତରେ ଯେତିକି ମୋହ ଥିଲା ଆଜିର ଧାରାବାହିକ ପ୍ରତି ସେତିକି ମୋହ ଦେଖିବାକୁ ମିଳୁନି, କାରଣ କ’ଣ?

ଉତ୍ତର: ସେତେବେଳେ ଗୋଟିଏ ଚ୍ୟାନେଲ୍‌ ଥିଲା। ନୂଆ କରି ସିରିଏଲ୍‌ ଆରମ୍ଭ ହୋଇଥିଲା। ତେଣୁ ଲୋକଙ୍କ ଭିତରେ ସେ ସିରିଏଲ୍‌ ପ୍ରତି ସ୍ୱତନ୍ତ୍ର ମୋହ ରହିବା ସ୍ୱାଭାବିକ କଥା। ତେବେ ମୋହ କମିବାର କାରଣ କେବଳ ସେୟା ନୁହେଁ, କିଛି ମାତ୍ରାରେ ବିଷୟବସ୍ତୁ ମଧ୍ୟ। ଆମେ ଅନେକ ଆଧୁନିକ ହୋଇଛେ ମାତ୍ର ଆମେ ଆମ ଘରର କଥା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନେ। ପ୍ରତ୍ୟେକ ପରିବାରକୁ ସଂଯୋଗ କରୁଥିବା ପରି କାହାଣୀଟିଏ ଦର୍ଶକଙ୍କୁ ଦେଇପାରୁନେ। ବିଷୟବସ୍ତୁରେ ଓଜନ ରହିଲେ ସେହି ମୋହ ଏବେ ବି ଦେଖିବାକୁ ମିଳିବ।

୨. ପ୍ରଶ୍ନ: ଆପଣଙ୍କୁ ଓଡ଼ିଆ ଧାରାବାହିକ ଜଗତର ବାପା ବୋଲି କୁହାଯାଏ। ଏବେ କିନ୍ତୁ ଆପଣଙ୍କୁ ଟକ୍କର ଦେବା ପରି ଅନେକ ଧାରାବାହିକ ନିର୍ଦ୍ଦେଶକ ବାହାରିଲେଣି। ଆପଣଙ୍କୁ ଲାଗୁଛି କି ଏବେ ବି ଆପଣଙ୍କ ସ୍ଥିତି ସେତିକି ଦୃଢ଼ ହୋଇ ରହିଛି?

ଉତ୍ତର: ନିଶ୍ଚିତ ଭାବରେ। ୬୧ ବର୍ଷ ବୟସରେ ମୁଁ କାମ ପାଉଛି ମାନେ ଲୋକ ଭଲପାଉଛନ୍ତି ମୋ କାମକୁ ଓ ଚ୍ୟାନେଲ୍‌ ନେବାକୁ ଚାହୁଁଛି ମୋତେ। ମୋ ସ୍ଥିତି ଯେପରି ଥିଲା ସେପରି ଅଛି।

୩. ପ୍ରଶ୍ନ: ଅନେକ ନାୟିକାଙ୍କୁ ଆପଣ ଆପଣଙ୍କ ସିରିଏଲ୍‌ରେ ବ୍ରେକ୍‌ ଦେଇଛନ୍ତି। କେଉଁ ନାୟିକାଙ୍କ ନାମ ଆପଣଙ୍କ ନାମ ସହ ଯୋଡ଼ା ଯାଇଛି କି?

ଉତ୍ତର: ନାଁ। ମୋ ନାଁରେ କେବେ ସେମିତି କିଛି କଥା ଉଠିନାହିଁ। ଆମ ଲାଇନ୍‌ରେ ଏଭଳି ବହୁତ କଥା ଉଠିବାର ସମ୍ଭାବନା ଥାଏ ଯଦିଓ ମୋ ନାଁରେ ସେମିତି କୌଣସି କଥା ଉଠିନି ଆଜି ଯାଏ।

୪. ପ୍ରଶ୍ନ: ସିରିଏଲ୍‌ରେ କାଷ୍ଟିଂ କାଉଚ୍‌ ହୁଏକି? ଆପଣଙ୍କ ଉପରେ ସେପରି କୌଣସି ଅଭିଯୋଗ ଆସିଛି?

ଉତ୍ତର: ହଁ, କାଷ୍ଟିଂ କାଉଚ୍‌ ହଉଛି ଆଜିକାଲି। ମୋ ଉପରେ କିଛି ଅଭିଯୋଗ ଆସିନାହିଁ। ଏ ଲାଇନ୍‌କୁ ଆସିବା ଆରମ୍ଭରୁ ମୋ ବୋଉ ମୋତେ ତା’ ମୁଣ୍ଡ ଛୁଆଁଇ ନିୟମ କରାଇଥିଲା କି ନିଜକୁ ବଦନାମ କରିବା ପରି କୌଣସି କାମ ଯେପରି ମୁଁ ନକରେ।

୫. ପ୍ରଶ୍ନ: ଆପଣ ଗୋଟିଏ ମାତ୍ର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ରହିଗଲେ କାହିଁକି? ସେ ଚଳଚ୍ଚିତ୍ରଟି ଆପଣଙ୍କର ସେତେଟା ସଫଳତା ପାଇ ନ ଥିଲା। ତେବେ ବିଫଳତା ପଛର କାରଣ କ’ଣ ହୋଇପାରେ?

ଉତ୍ତର: ମୋ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମହୁଆ’ର ଅଳ୍ପ କିଛି ସୁଟିଂ ହୋଇଥିବା ବେଳେ ଫିଲ୍ମର ପ୍ରଯୋଜକ ଚାଲିଗଲେ। ଫିଲ୍ମ ପାଞ୍ଚ ବର୍ଷ ପଡ଼ି ରହିଲା। ଯେଉଁ ଦୁଇ ଛୋଟ ଛୁଆଙ୍କୁ ନେଇ ଫିଲ୍ମ କରିଥିଲି ସେମାନଙ୍କ ନିଶ, ଦାଢ଼ି ଉଠିଗଲା। ମୋ ଚଳଚ୍ଚିତ୍ରର ନାୟକ ଶ୍ରୀରାମ ପଣ୍ଡା ବାବା ହୋଇ ସାରିଥିଲେ। ତାଙ୍କୁ ଫେରାଇ ଆଣିବା ପରେ ସେ ଆଉ ହିରୋ ପରି ଦିଶୁ ନ ଥିଲେ। ଏହି ସବୁ କାରଣରୁ ଚଳଚ୍ଚିତ୍ରଟି ଫ୍ଲପ୍‌ ହୋଇଗଲା। ଫିଲ୍ମଟି ରିଲିଜ୍‌ ହେଲା ମାତ୍ର ସେତେଟା ଜୀବନ୍ତ ହୋଇପାରିଲାନି।

୬. ପ୍ରଶ୍ନ: ଓଡ଼ିଆ କଳାକାରମାନେ ବଲିଉଡ୍‌ରେ ତିଷ୍ଠି ପାରୁନାହାନ୍ତିି କାହିଁକି? କ’ଣ ଏମିତି ଅଭାବ ରହୁଛି ଆମ କଳାକାରମାନଙ୍କ ଭିତରେ?

ଉତ୍ତର: ଭଲ କଳାକାରମାନଙ୍କୁ ବଲିଉଡ୍‌ରେ ସୁଯୋଗ ମିଳୁନି। ଅଧିକାଂଶ ଓଡ଼ିଆ କଳାକାରଙ୍କ ଭିତରେ ହିନ୍ଦୀ କହିବାର ଦକ୍ଷତା କମ୍‌। ତା’ଛଡ଼ା ମୁମ୍ବାଇରେ ରହିବା ପାଇଁ ଅର୍ଥର ବି ଆବଶ୍ୟକତା ହୋଇ ଥାଏ। ସମସ୍ତେ ବିଫଳ ହୋଇନାହାନ୍ତି। ସଫଳ କଳାକାରଙ୍କ ମଧ୍ୟରୁ ସାଧୁ ମେହେର ଅନ୍ୟତମ।

୭. ପ୍ରଶ୍ନ. ଆପଣଙ୍କୁ ନାୟିକାମାନେ ଘରେ ଥିବା ବେଳେ କଲ୍‌ କଲେ ଆପଣଙ୍କ ପତ୍ନୀ ଈର୍ଷାନ୍ଵିତ ହୋଇ ବିରକ୍ତି ଭାବ ପ୍ରକାଶ କରନ୍ତି କି?

ଉତ୍ତର: ଆମର ପ୍ରେମ ବିବାହ। ପରସ୍ପରଙ୍କ ପ୍ରତି ବିଶ୍ୱାସ ଯଥେଷ୍ଟ ରହିଛି। ସେ ସବୁଠୁ ଭଲ ବୋଲି ମୁଁ ତାଙ୍କୁ ଭଲପାଏ। ସବୁ ପରିସ୍ଥିତିରେ ସେ ମୋତେ ସମର୍ଥନ ଦିଅନ୍ତି। ସେ ମୋତେ ବୁଝନ୍ତି। ସେ ମୋତେ ଭଲଭାବେ ଚିହ୍ନନ୍ତି। ମୁଁ କ’ଣ ସେ ଜାଣନ୍ତି। ସେ କ’ଣ ମୁଁ ଜାଣେ। ସେ ମୋ ନିଜ ଲୋକ, ମୋ ଚରିତ୍ର ଜାଣନ୍ତି। କେବେ ବି ସନ୍ଦେହ କରନ୍ତିନି କି ବିରକ୍ତି ଭାବ ପ୍ରକାଶ କରନ୍ତି ନାହିଁ।

ସମ୍ବନ୍ଧିତ ଖବର