ସାତ ବର୍ଷରେ ଆହୁତି, ରକ୍ତ ସମ୍ପର୍କରେ ନୂଆ ମୋଡ଼

ମଞ୍ଜରୀରେ ପ୍ରସାରିତ ଧାରାବାହିକ ‘ରକ୍ତ ସମ୍ପର୍କ’ ଏହା ଭିତରେ ୬୮ ଅଧ୍ୟାୟ ଅତିକ୍ରମ କରିସାରିଲାଣି। ସୋମବାରରୁ ଶନିବାର ରାତି ୮ଟା ୩୦ରେ ଟେଲିଭିଜନ୍ ପରଦାରେ ଆସୁଥିବା ଏଇ କାହାଣୀ ଏହା ଭିତରେ ଦର୍ଶକମାନଙ୍କର ବେଶ୍ ଆଦୃତି ଲାଭ କରିଛି। ମୁଖ୍ୟ ଚରିତ୍ରରେ ଅରୁନ୍ଧତୀ ଭୂମିକାରେ ଲିପି ମହାପାତ୍ର, ସଂଜୟ ଭୂମିକାରେ ପାର୍ଥସାରଥି ରାୟ, ମାଷ୍ଟର ସମ୍ପର୍କ, କୈଳାସ ପାଣିଗ୍ରାହୀ, ମନୀଷା, ପ୍ରତିଭା, ଅମିତ, ସ୍ମରଣୀକା, ପ୍ରଦ୍ୟୁମ୍ନ ଲେଙ୍କା ଓ ଗୁଡିଆ ଆଦିଙ୍କ ଅଭିନୟ ଦର୍ଶକମାନଙ୍କ ମନକୁ ଛୁଇଁଛି।

କାହାଣୀ ଅନୁସାରେ ଅନେକ ବର୍ଷ ତଳେ ଜନ୍ମାଷ୍ଟମୀ ଦିନ ଫେରିବା ବାଟରେ ଅରୁନ୍ଧତୀ ଯେଉଁ ଶିଶୁ କନ୍ୟାଟିକୁ ପାଇ ତାକୁ ନିଜ ସନ୍ତାନର ପରିଚୟ ଦେଇଥିଲା, ତାକୁ ଏହାରି ଭିତରେ ସାତ ବର୍ଷ ପୂରିଗଲାଣି। ହେଲେ ଆଜିଯାଏ ଆହୁତିର ପ୍ରକୃତ ବାପା ଓ ମା’ କିଏ ସେକଥା କେହି ଜାଣନ୍ତି ନାହିଁ?

ୟୁଟ୍ୟୁବ୍‌ରେ ଉପଲବ୍ଧ ଏହି ଧାରାବାହିକର ଅଧ୍ୟାୟଗୁଡ଼ିକୁ ଦେଖି ଦର୍ଶକ ଯେଉଁ ଅନୁମାନ କରୁଛନ୍ତି, ସେଥିରେ କେହି କେହି ଆହୁତିକୁ ସ୍ମିତାର ଝିଅ ବୋଲି ଭାବି ନେଇଛନ୍ତି। କିନ୍ତୁ ପୋଲିସ ପାଖରେ ଯେଉଁ ସୂଚନା ଅଛି ସେହି ଅନୁସାରେ ସ୍ମିତା’ର ଝିଅ ନୁହେଁ ବରଂ ଗୋଟିଏ ପୁଅ ଜନ୍ମ ହୋଇଥିଲା। ତେବେ ଅନାଥ ଆଶ୍ରମରେ ବଢୁଥିବା ସ୍ମିତାର ସେଇ ପୁଅ ଏବେ କେଉଁଠି?

ସମ୍ପର୍କର ଅଡୁଆସୂତାରେ ଛନ୍ଦି ହୋଇ ରହିଥିବା କେତେକ ମଣିଷ ଓ ସେମାନଙ୍କ କାହାଣୀକୁ ନେଇ ଗତିଶୀଳ ଧାରାବାହିକ ‘ରକ୍ତ ସମ୍ପର୍କ’ ମା ମଙ୍ଗଳା ଲାଇଫ୍‌ କଲର୍ସ ପ୍ରା. ଲି. ବ୍ୟାନର୍‌ରେ ପ୍ରସ୍ତୁତ ହେଉଛି। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରତିକାନ୍ତ ଶତପଥୀ ଲେଖିଥିବା ବେଳେ ନିେର୍ଦ୍ଦଶନା ଦେଇଛନ୍ତି ରାମକୃଷ୍ଣ ପାଢ଼ୀ।

ନିକଟରେ ଆହୁତି ଭୂମିକାରେ ଆସୁଥିବା ଶିଶୁ କଳାକାର ପ୍ରସିଦ୍ଧିଙ୍କୁ ନେଇ ଧାରାବାହିକ ‘ରକ୍ତ ସମ୍ପର୍କ’ର ଏକ ନୂଆ ପ୍ରୋମୋ ପ୍ରସାରିତ ହୋଇଛି ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର