ଭୁବନେଶ୍ବର : ସୁଶାନ୍ତ ସିଂହ ରାଜପୁତ୍ଙ୍କ ଆତ୍ମହତ୍ୟା ପରେ ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ଦେଖିବାକୁ ଅନେକଙ୍କ ପ୍ରତୀକ୍ଷା ରହିଛି। ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ତା’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଟ୍ରେଲରକୁ କୋଟି କୋଟି ଦର୍ଶକ ଦେଖି ସାରିଲେଣି। ତେବେ ଏହି ଫିଲ୍ମରେ ଓଡ଼ିଆ ବୋହୂଙ୍କ ସମ୍ପର୍କ ଓଡ଼ିଆ ଦର୍ଶକଙ୍କ ପାଇଁ ବିଶେଷ ମହତ୍ତ୍ବ ରଖୁଛି। ଜଣାଶୁଣା କଷ୍ଟ୍ୟୁମ ଡିଜାଇନର ନିକିତା ରହେଜା ମହାନ୍ତି ସାଥୀ ନତାଶା ଚରକଙ୍କ ସହ ଏହି ଚଳଚ୍ଚିତ୍ରରେ କଷ୍ଟ୍ୟୁମ ଡିଜାଇନ୍ କରିଛନ୍ତି। ନିକିତା ମୁମ୍ବାଇର ମୂଳ ବାସିନ୍ଦା ହୋଇଥିଲେ ହେଁ କଟକ ନିଶ୍ଚିତକୋଇଲିସ୍ଥିତ ଖଣ୍ଡସାହିରେ ବିଶିଷ୍ଟ ବ୍ୟବସାୟୀ ଦେବ ମହାନ୍ତିଙ୍କର ପୁତ୍ର ବଧୂ ଏବଂ ପିତୋଷ ମହାନ୍ତିଙ୍କ ଧର୍ମପତ୍ନୀ।
ନିକିତା ଇଙ୍ଗ୍ଲିସ ଭିଙ୍ଗ୍ଲିସ, ହମ୍ପ୍ଟି ଶର୍ମା କି ଦୁଲ୍ହନିଆ, ଟୁ-ଷ୍ଟେଟ୍ସ, କପୁର ଆଣ୍ଡ୍ ସନ୍ସ ଭଳି ଚଳଚ୍ଚିତ୍ରରେ କଷ୍ଟ୍ୟୁମ ଡିଜାଇନ୍ କରିଥିବା ବେଳେ ‘ଦିଲ୍ ବେଚାରା’ରେ ସୁଶାନ୍ତଙ୍କ ସହ କାମ କରିଛନ୍ତି। ସୁଶାନ୍ତଙ୍କ ସମ୍ପର୍କରେ ମତ ରଖି ନିକିତା କହିଛନ୍ତି, ସୁଶାନ୍ତ କଷ୍ଟ୍ୟୁମ ଚୟନରେ ଅନ୍ୟମାନଙ୍କଠାରୁ ଭିନ୍ନ। ସେ ବହୁତ ଦକ୍ଷ ଓ ଶାନ୍ତ କଳାକାର। ‘ଦିଲ୍ ବେଚାରା’ରେ କାମ କରିବା ବେଳେ ସୁଶାନ୍ତଙ୍କ ମୁହଁରେ ଅବସାଦର ଲେସ ବି ସେ ଦେଖିନଥିଲେ। ସୁଶାନ୍ତ ମଜାଳିଆ ପ୍ରକୃତିର ହୋଇଥିବା ବେଳେ ‘ଦିଲ୍ ବେଚାରା’ରେ ସେ ବିଭିନ୍ନ ପ୍ରକାରର ଟି-ସାର୍ଟ ପରିଧାନ କରିଥିଲେ।
ନିକିତା ମୁମ୍ବାଇରେ ରହୁଥିଲେ ହେଁ ଓଡ଼ିଶା ଆସି ରହିବା ଭିତରେ ପୁରୀ, କୋରାପୁଟକୁ ଗସ୍ତ କରି ବହୁତ ଆତ୍ମସନ୍ତୋଷ ପାଇଥିବା କହିଛନ୍ତି। ବିଶେଷକରି ରଘୁରାଜପୁରର କାରିଗରୀ ପରିବେଶ ଏବଂ କୋରାପୁଟର ସୁନ୍ଦର ପ୍ରକୃତି ତାଙ୍କୁ ବାନ୍ଧି ରଖିଥିବା ନିକିତା କହିଛନ୍ତି। ନିକିତା କହିଛନ୍ତି ଓଡ଼ିଶାର ହସ୍ତତନ୍ତ ବହୁତ ସମୃଦ୍ଧ। ଯେତେବେଳେ ବି ଓଡ଼ିଶାର ବୟନକୁ କୌଣସି ଚଳଚ୍ଚିତ୍ର ଜରିଆରେ ଉପସ୍ଥାପିତ କରିବାର ସୁଯୋଗ ପାଇବେ ସେ ନିଶ୍ଚୟ କରିବେ ବୋଲି କହିଛନ୍ତି। ଏଥିସହ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିବା ପାଇଁ ଦର୍ଶକମାନେ ‘ଦିଲ୍ ବେଚାରା’ ଫିଲ୍ମ ଦେଖିବାକୁ ସେ ନିବେଦନ କରିଛନ୍ତି।