ନିର୍ଦ୍ଦେଶକ ଚାହୁଁନାହାନ୍ତି ବୋଲି ଅଧିକ ମୌଳିକ ଓଡ଼ିଆ ସିନେମା ତିଆରି ହେଉନାହିଁ

ଭୁବନେଶ୍ୱର ( ଶିବଶଙ୍କର ଓଝା ) :ଗତ କିଛି ବର୍ଷ ହେବ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଉକ୍ତ ସିନେମାଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ତଥାକଥିତ ‘କପି’ ସିନେମା ବା ରିମେକ୍‌ ଫିଲ୍ମ । ଓଡ଼ିଆ ଦର୍ଶକଙ୍କ ଭାଗ୍ୟରେ ଯଥେଷ୍ଟ କମ୍‌ ସଂଖ୍ୟକ ନିଚ୍ଛକ ଓଡ଼ିଆ କାହାଣୀ ଥିବା ସିନେମା ଦେଖିବାର ସୁଯୋଗ ମିଳୁଛି । ଏପରି କହିବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଲା ଯେ ଅନ୍ୟ ଭାଷାରେ ପୂର୍ବରୁ ନିର୍ମିତ ହୋଇଥିବା ସିନେମାର ଫ୍ରେମ୍‌ ଟୁ ଫ୍ରେମ୍‌ ନକଲ ହେଉଛି ଏବେକାର ଅଧିକାଂଶ ଓଡ଼ିଆ ସିନେମା । ଆଉ କେତେକ ଅନ୍ୟ ସିନେମାର କାହାଣୀ ଆଧାରରେ ନିର୍ମିତ ହେଉଛି ।


ଗତ ଦୁଇ ବର୍ଷ ଭିତରେ ‘କ୍ରାନ୍ତିଧାରା’, ‘ମୀମାଂସା’, ‘ଚିନି’, ‘ତୁଳସୀ ଅପା’ କଥା ନୁହେଁ ଏ କଥା’ ଏବଂ ‘କଥା ଦେଲି ମଥା ଛୁଇଁ’ ଭଳି ଅଳ୍ପ କେତୋଟି ହାତଗଣତି ମୌଳିକ କାହାଣୀ ଆଧାରିତ ଛବି ରିଲିଜ୍‌ ହୋଇଛି । ମୌଳିକ କାହାଣୀକୁ ନେଇ ଓଡ଼ିଆ ଛବି ନିର୍ମାଣ କରିବାର ମୁଖ୍ୟତଃ ଦାୟିତ୍ୱ ଦୁଇ ଜଣଙ୍କର । ସେହି ଦୁଇ ଜଣ ହେଲେ ପ୍ରଯୋଜକ ଓ ନିର୍ଦ୍ଦେଶକ । ଆଉ ଏ କ୍ଷେତ୍ରରେ ନିର୍ଦ୍ଦେଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କାରଣ ବସ୍ତୁତଃ ସିନେମା ତିଆରି କରି ଥାଆନ୍ତି ନିର୍ଦ୍ଦେଶକ । ଏଣୁ ସେ ହିଁ ପ୍ରଥମେ ମୌଳିକ କାହାଣୀ ଆଧାରରେ ସିନେମା ତିଆରି କରିବା ପାଇଁ ପ୍ରଯୋଜକଙ୍କୁ ରାଜି କରାଇବା ଆବଶ୍ୟକ ।

କିଛି ବର୍ଷ ତଳେ ଜଣେ ବରିଷ୍ଠ ଅଭିନେତା ଏକ ଛବିର ନିର୍ଦ୍ଦେଶନା ଦେବା ଲାଗି ଅଫର୍‌ ପାଇଥିଲେ । ପ୍ରଥମ ଦେଖାରେ ନୂଆ ପ୍ରଯୋଜକଜଣକ କହିଥିଲେ ଯେ ଆମର ପ୍ରସ୍ତାବିତ ସିନେମାଟାକୁ ଟିକେ ଆଗେ ଦେଖିଲେ ହୁଅନ୍ତା ନି ! ଏହାର ଅର୍ଥ ଥିଲା ଉକ୍ତ ପ୍ରଯୋଜକ କେଉଁ ଅନ୍ୟ ଭାଷାରେ ସିନେମାରୁ ନକଲ କରାଯାଇ ତାଙ୍କ ସିନେମା ତିଆରି କରିବେ, ତାହା ଦେଖିବାକୁ ଚାହୁଁଥିଲେ । ଏକଥା ଶୁଣି ଅଭିନେତା ଜଣକ ହସିଥିଲେ ଓ କହିଥିଲେ ନୂଆ କାହାଣୀ ତିଆରି ହେବ, ଏଥିପାଇଁ ସ୍କ୍ରିପ୍ଟ ଲେଖା ହେବ । ତା’ପରେ ଆପଣ ଜାଣିବେ । ଏହାପରେ ସେହି ପ୍ରଯୋଜକଜଣକ ଉକ୍ତ ଅଭିନେତାଙ୍କୁ ନିଜ ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ଦେଇ ନ ଥିଲେ,ଅତଏବ ଯେଉଁ ନୂଆ ପ୍ରଯୋଜକ ଆସୁଛନ୍ତି, ସେମାନେ ବି ଚାହୁଁଛନ୍ତି ରିମେକ୍‌ ବା ଫ୍ରେମ୍‌ ଟୁ ଫ୍ରେମ୍‌ କପି ସିନେମା ତିଆରି କରିବେ । ପ୍ରଯୋଜକଙ୍କର ଏହି ମନୋଭାବକୁ ପରିବର୍ତ୍ତନ କରିବାର ଦାୟିତ୍ୱ ହେଉଛି ନିର୍ଦ୍ଦେଶକଙ୍କର ।

ଏକ୍ଷେତ୍ରରେ ବ୍ୟାବସାୟିକ ସିନେମା ନିର୍ମାଣ କରୁଥିବା ନିର୍ଦ୍ଦେଶକ ଚକ୍ରଧର ସାହୁ, ବରଦା ପ୍ରସନ୍ନ ତ୍ରିପାଠୀ ଓ ତାପସ ସରଘରିଆଙ୍କ କଥା ନିଶ୍ଚିତ ରୂପେ ଉଲ୍ଲେଖଯୋଗ୍ୟ । ଚକ୍ରଧର ସାହୁ ‘ନୀଳ ମାଷ୍ଟ୍ରାଣୀ, ‘ ତୁମକୁ ପାରୁନି ତ ଭୁଲି’, ‘କେବେ ତମେ ନାହଁ କେବେ ମୁଁ ନାହିଁ’ ଏବଂ ‘ମୀମାଂସା’ ଛବି ନିର୍ମାଣ କରିଛନ୍ତି, ଆଉ ଏହା ସବୁ ମୌଳିକ କାହାଣୀ ଆଧାରିତ । ଠିକ୍‌ ସେହିପରି ବରଦା ପ୍ରସନ୍ନ ତ୍ରିପାଠୀ ଙ୍କ ‘କଳିଙ୍ଗ ପୁତ୍ର’ ଓ ‘ସୁପରଷ୍ଟାର୍‌ ଏ ଡ୍ରିମ୍‌’, ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ପହିଲି ରଜ’, ‘ରୁମ୍‌କୁ ଝୁମାନା’, ‘କଳକୀ’, ‘ ଈଶ୍କ ତୁ ହି ତୁ’ ଓ ‘ ତୁ ମୋ ଲଭ ଷ୍ଟୋରି’, ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଥିଲା । ଏବେ ତାପସଙ୍କ ମୁକ୍ତି ପ୍ରତୀକ୍ଷିତ ‘ଓନ୍‌ଲି ପ୍ୟାର୍‌’ ବି ନିଜସ୍ୱ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି ।


ମୌଳିକ ସିନେମା ଚାଲୁନି ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଜାଣିବା ଉଚିିତ୍‌ ଯେ ଗତ ବର୍ଷର ସବୁଠୁ ବଡ ହିଟ୍‌ ଥିଲା ‘ତୁ ମୋ ଲଭ ଷ୍ଟୋରି ’ । ଠିକ୍‌ ସେହିପରି କଳିଙ୍ଗ ପୁତ୍ର, ସୁପରଷ୍ଟାର୍‌ ଏଡ୍ରିମ୍‌, ପହିଲି ରଜ, ଏସିପି ସାଗରିକା, ତୁମକୁ ପାରୁନି ତ ଭୁଲି, କେବେ ତମେ ନାହଁ, କେବେ ମୁଁ ନାହିଁ ସମେତ ଅନ୍ୟ କେତେକ ମୌଳିକ କାହାଣୀ ଆଧାରିତ ସିନେମା ବ୍ୟାବସାୟିକ ସ୍ତରରେ ସଫଳତା ହାସଲ କରିଛି ।

ସମ୍ବନ୍ଧିତ ଖବର