କାଷ୍ଟିଂ କାଉଚ୍‌ ପ୍ରସଙ୍ଗ ଉପରେ ଆଧାରିତ ଏହି ଆଗାମୀ ଓଡ଼ିଆ ସିନେମା !

ଭୁବନେଶ୍ୱର: ଓଲିଉଡ଼୍‍ରେ ବେଳେବେଳେ ବିଭିନ୍ନ ଭଲ ଘଟଣା ଘଟୁଛି,ଆଉ ବେଳେବେଳେ କିଛି ଅଘଟଣ ବି ଘଟୁଛି। ଭଲ ପ୍ରସଙ୍ଗ ଅପେକ୍ଷା ଖରାପ ପ୍ରସଙ୍ଗକୁ ନେଇ ଅଧିକାଂଶ ସମୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ହଲିଉଡ଼୍‍ ହେଉ କି ବଲିଉଡ଼୍‍ ସବୁଠିଁ କାଷ୍ଟିଂକାଉଚ୍‌ ରହିଛି,ଏକଥାକୁ କେତେକ ଲୋକ ବିଶ୍ୱାସ କରନ୍ତି।

ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଏକାଧିକବାର ସାମ୍ନାକୁ ଆସିଛି। ଓଲିଉଡ଼୍‍ର ଜଣାଶୁଣା ହାସ୍ୟାଭିନେତା ପପୁ ପମ୍‌ପମ୍‌ କାଷ୍ଟିଂ କାଉଚ ମାମଲାରେ ଜଡ଼ିତ ହୋଇ ଜେଲ୍‌ ଯାଇଥିଲେ।ଠିକ୍‌ ସେହିପରି ଜଣେ ଅଭିନେତ୍ରୀ ଶର୍ମିଷ୍ଠା ନର୍ଦ୍ଦେଶକ ହିମାଂଶୁ ପରିଜା ,ତାପସ ସରଘରିଆ, ପ୍ରଯୋଜିକା ବିନି ସାମଲ, ପ୍ରଯୋଜକ ନିହାର ସାମଲ ପ୍ରମୁଖଙ୍କ ନାଆଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିଲେ।


ତେବେ ସେ ଯାହା ହେଉନା କାହିଁକି କାଷ୍ଟିଂ କାଉଚ୍‌ ଭଳି ଏକ ପ୍ରସଙ୍ଗ ଉପରେ ଏବେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଗୁୁୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶୁଭାଶିଷ୍‌ ପତି,ଯିଏକି ପୂର୍ବରୁ ‘ଗଡ଼ବଡ଼’ଓ‘ଗୁଣ୍ଡା’ଭଳି ଦୁଇଟି ଚର୍ଚ୍ଚିତ ସିନେମାର ନିର୍ମାଣ କରିଛନ୍ତି। ନିର୍ଦ୍ଦେଶକ ଶୁଭାଶିଷ ପତିଙ୍କ ଅନୁଯାୟୀ ତାଙ୍କ ନୂଆ ସିନେମା ଓଲିଉଡ଼୍‍ରେ ଚାଲିଥିବା କାଷ୍ଟିଂ କାଉଚ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଏକ ଲଭଷ୍ଟୋରି ଉପରେ ଆଧାରିତ। ଫିଲ୍ମରେ ନାୟିକା ଗୁଡ୍ଡି କାଷ୍ଟିଂ କାଉଚରେ ଫସିଯାଉଛନ୍ତି ଓ ନାୟକ ଗୁଡ୍ଡୁ ସେଥିରୁ ତାଙ୍କୁ ରକ୍ଷା କରୁଛନ୍ତି। ସେହି ସମୟରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଛି।ତେବେ ଏଥିରେ ସେ ଦୁହେଁ ସଫଳ ହେଉଛନ୍ତି କି ନା,ତାହା ଦେଖିବାକୁ ମିଳିବ‘ଗୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’ର କ୍ଲାଇମାକ୍ସରେ।
‘ଗୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’ର ନିର୍ମାତା ହେଉଛନ୍ତି ନବାଗତ ସୂର୍ଯ୍ୟକାନ୍ତ ସାମଲ,ଯିଏ କି ଏଥିରେ ଗୁଡ୍ଡୁ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।ତାଙ୍କ ବିପକ୍ଷରେ ନାୟିକା ସାଜିଥିବା ହିମିକାଙ୍କୁ ଦର୍ଶକ ପୂର୍ବରୁ ‘ଗୁଣ୍ଡା’ ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ। ସୂର୍ଯ୍ୟକାନ୍ତ ହିମିକାଙ୍କ ବ୍ୟତୀତ ଏହି ସିନେମାରେ ମିହିର ଦାସଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର