ତାମିଲ ସିନେମାରେ ହିରୋ ହୋଇଥାନ୍ତେ ଏହି ଓଲିଉଡ଼ ନାୟକ !

ଭୁବନେଶ୍ୱର:ଓଲିଉଡ଼୍‍ରେ ଆଜିକାଲି ଯେଉଁ ଜଣେ ନାୟକମାନେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି,ସେମାନଙ୍କ ମଧ୍ୟରେ ଜଣେ ହେଲେ ଜ୍ୟୋତି। ତାଙ୍କର ପ୍ରକୃତ ନାମ ହେଲା ଜ୍ୟୋତି ରଞ୍ଜନ ନାୟକ। ତାଙ୍କୁ ଦର୍ଶକ ଇତିମଧ୍ୟରେ ୫ଟି ଓଡ଼ିଆ ଛବିରେ ନାୟକଭାବେ ଦେଖିସାରିଛନ୍ତି ସିନେ ପ୍ରେମୀ ।
ଜ୍ୟୋତି ଭାବେ ଓଲିଉଡ଼୍‍ରେ ସେ ପରିଚିତ।

ଆଜି ହେଉଛି ଏହି ସେଲିବ୍ରେଟିଙ୍କ ଜନ୍ମଦିନ। ଜ୍ୟୋତିଙ୍କର ପିଲାଦିନରୁ ଲକ୍ଷ୍ୟ ଥିଲା ହିରୋ ହେବେ। ସେ ଚେନ୍ନାଇରେ ଇଂଜିନିୟରିଂ ପଢ଼ିବାକୁ ଯିବାବେଳେ ହିଁ ଏ ଦିଗରେ କାର୍ଯ୍ୟ କରିଥିଲେ। ଜ୍ୟୋତି ସେଠାରେ ତାମିଲ୍‌ ଫିଲ୍ମରେ ଅଭିନୟ କରିବା ପାଇଁ ମଧ୍ୟ ମନ ବଳାଇଥିଲେ। ସେ ଏକ ତାମିଲ ଫିଲ୍ମ ପାଇଁ ଅଡ଼ିସନ୍‌ ନେଇଥିଲେ। ଆଉ ସେଥିରେ ସଫଳ ବି ହୋଇଥିଲେ। ତେବେ ତାମିଲ୍‌ ଭାଷା ଠିକ୍‌ ଭାବେ କହି ପାରୁନଥିବା ହେତୁ ଜ୍ୟୋତି ଶେଷ ମୁହୂର୍ତ୍ତରେ ଏହି ସିନେମାରୁ ଓହରିଯାଇଥିଲେ।ଯଦି ସେପରି ହୋଇନଥା’ନ୍ତା,ତେବେ ହୁଏତ ଜ୍ୟୋତି ତାମିଲ୍‌ ସିନେମାରେ ହିରୋ ହୋଇଥା’ନ୍ତେ।

ଇଂଜିନିୟରିଂ ଶିକ୍ଷା ଶେଷ କରିବାପରେ ଭୁବନେଶ୍ୱର ଫେରିଥିଲେ ଜ୍ୟୋତି। ଏଠି ଓଡ଼ିଆ ସିନେମାରେ ନାୟକ ହେବାର ଅଭିଳାଷ ନେଇ ସେ ଏକ ରିଆଲିଟି ସୋ’ ‘ମିଠା ମିଠା ଯୋଡ଼ି’ରେ ଅଂଶଗ୍ରହଣ କରିଥିଲେ।ଏଥିରେ ଅବଶ୍ୟ ସଫଳତା ପାଇଥିଲେ ଜ୍ୟୋତି।ଏହାପରେ ସେ ବନିଥିଲେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ସିନେମା‘ମିଠା ମିଠା’ରେ ଅନ୍ୟତମ ନାୟକ।ଏହି ସିନେମାରେ ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିଥିଲେ ଜଣେ ନବାଗତ ଅଙ୍କିତା।ଏହି ଫିଲ୍ମଟିକୁ ଖାସ୍‌ ସଫଳତା ମିଳିନଥିଲା ଅବଶ୍ୟ।


ତେବେ ‘ମିଠାମିଠା’ଜ୍ୟୋତିଙ୍କ ଅଭିନୀତ ପ୍ରଥମେ ଓଡ଼ିଆ ସିନେମା ହୋଇଥିଲେ ବି ତାଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ଛବି ଥିଲା ‘ଦେଲେ ଧରା କଥା ସରେ’।ଏଥିରେ ତାଙ୍କ ବିପକ୍ଷରେ ବେଙ୍ଗଲି ବିଉଟି ମାଲବିକା ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା ନାୟିକା ଭୂମିକାରେ।‘ଦେଲେ ଧରା କଥା ସରେ’ରେ ଅନ୍ୟମାନଙ୍କ ମଧ୍ୟରେ ମହାଶ୍ୱେତା,ଅଜିତ ଦାସ,ବବି ମିଶ୍ର,ମୀନକେତନ,ପ୍ରିୟଙ୍କା ଓ ପୃଥ୍ଵୀରାଜ୍‌ ନାୟକ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।
ନାୟକ ଭାବେ ଜ୍ୟୋତିଙ୍କୁ ଦର୍ଶକ ଅନ୍ୟ ଯେଉଁ ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ସେଗୁଡ଼ିକ ହେଲା-ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ନିଝୁମ୍‌ ରାତିର ସାଥୀ’,ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଦିଲ୍‌କା ରାଜ୍‌’,‘ତୁ ମୋ’ ହିରୋ’ଏବଂ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍‌ ସିନେମା‘ମିଠା ମିଠା’।


ଏବର୍ଷ ଏଯାବତ୍‌ ଜ୍ୟୋତିଙ୍କର ଚାରିଟି ସିନେମା ପରଦାକୁ ଆସିଛି। ଏଗୁଡ଼ିିକ ହେଲା ‘ନିଝୁମ୍‌ ରାତିର ସାଥୀ’,‘ଦିଲ୍‌କା ରାଜା’,‘ମିଠା ମିଠା’,‘ତୁ ମୋ ହିରୋ’। ଏଥିମଧ୍ୟରୁ ପ୍ରଥମଟିରେ ତମନ୍ନା,ଦ୍ୱିତୀୟରେ ପିଙ୍କି ପ୍ରିୟଦର୍ଶିନୀ ତୃତୀୟରେ ଅଙ୍କିତା ଓ ଚତୁର୍ଥରେ ଝିଲିକ୍‌ଙ୍କ ସହ ନଜର ଆସିଛନ୍ତି ଜ୍ୟୋତି।

ସଂଖ୍ୟା ଦୃଷ୍ଟିରୁ ଜ୍ୟୋତିଙ୍କ କ୍ୟାରିଅର୍‌ ଠିକ୍‌ ବାଟ ଦେଇ ଗତି କରୁଛି ବୋଲି କୁହାଯାଇପାରେ।ଏବେ ତାଙ୍କ ହାତରେ ରହିଛି ନୂଆ ସିନେମା ‘ବିଗ୍‌ ବ୍ରଦର୍‌’। ତାଙ୍କୁ ଜଣେ ରୋମାଣ୍ଟିକ୍‌ ହିରୋ ଭାବେ ଦର୍ଶକ ସ୍ୱୀକାର କରିଛନ୍ତି। ତାଙ୍କର ଇଛା ସେ ଏକ ଆଉଟ୍‌ ଆଣ୍ଡ୍‌ ଆଉଟ୍‌ ଆକ୍‌ସନ୍‌ ମୁଭିରେ ହିରୋ ହେବେ। ଦେଖାଯାଉ କେବେ ତାଙ୍କୁ ସେ ସୁଯୋଗ ମିଳୁଛି। ଖାଲି ସେତିକି ନୁହେଁ ଓଲିଉଡ଼୍‍ରେ ସବୁ ଦକ୍ଷ ଦିର୍ଦ୍ଦେଶକଙ୍କ ସିନେମାରେ ନାୟକ ହେବାର ମଧ୍ୟ ଅଭିଳାଷ ରହିଛି ଜ୍ୟୋତିଙ୍କର।

ସମ୍ବନ୍ଧିତ ଖବର