ଭୁବନେଶ୍ୱର: (ଶିବଶଙ୍କର ଓଝା) : ନିକଟରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ରର ବଜେଟ୍ କୁଆଡ଼େ ଦୁଇ କୋଟି ପାଖାପାଖି ହୋଇ ଯାଇଥିବା ନେଇ ଓଲିଉଡ଼୍ରେ ଚର୍ଚ୍ଚା ହେଉଛି।ଆଉ ଏହାକୁ ଆଶାନୁରୂପ ବ୍ୟାବସାୟିକ ସଫଳତା ମିଳିବା ନେଇ ମଧ୍ୟ ସନ୍ଦେହ ଦେଖାଯାଉଛି ଓଲିଉଡ଼୍ରେ। ଏଭଳି ଆଶଙ୍କା କେବଳ ଯେ ଏହି ନୂଆ ଫିଲ୍ମ କ୍ଷେତ୍ରରେ ଦେଖିବାକୁ ମିଳୁଛି ତା ନୁହେଁ ବରଂ ଆଗରୁ ବି ଏକଥା ବହୁବାର ପ୍ରମାଣିତ ହୋଇଛି ଯେ, ଫିଲ୍ମର ବଜେଟ୍ ପ୍ରତି ଯଥେଷ୍ଟ ସତର୍କ ନ ରହିଲେ ନିର୍ମାତା କ୍ଷତି ସହିବାକୁ ଏକ ପ୍ରକାରର ବାଧ୍ୟ।
ଅତୀତରେ ବହୁ ବିଗ୍ବଜେଟ୍ ସିନେମା ଫ୍ଲପ୍ ହେବାର ନଜର ରହିଛି। ଯେମିତିକି ସର୍ବଦା ନିର୍ଦ୍ଦିଷ୍ଟ ବଜେଟ୍ରେ ଫିଲ୍ମ ତିଆରି କରୁଥିବା ଓଡ଼ିଶାର ଜଣାଶୁଣା ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍ର ‘ଡ଼ନ୍’ ଯେତେବେଳେ ଓଭର ବଜେଟ୍ ହୋଇଗଲା,ସେତେବେଳେ ଏଥିପାଇଁ ଗୁଡ଼ାଏ କ୍ଷତି ସହିବାକୁ ପଡ଼ିଥିଲା ପ୍ରଯୋଜକଙ୍କୁ।ଠିକ୍ ସେହିପରି ପାଇନ୍କାସକ୍ ଏଣ୍ଟରଟେନ୍ମେଣ୍ଟ୍ର ‘ମହାନାୟକ’ର ବଜେଟ୍ ମଧ୍ୟ ଢ଼େର ଅଧିକ ହୋଇଯାଇଥିଲା। ୨୦୦୪ର ସିନେମା‘ସୁନା ଶଂଖାଳି’ ବି ଓଭର୍ ବଜେଟ୍ ହେବା ଫଳରେ ଏହାର ପ୍ରଯୋଜକ ନିରାଶ ହୋଇ ବସି ପଡ଼ିଥିଲେ କିଛି ବର୍ଷ।
ଠିକ୍ ସେହିପରି ୨୦୧୬ରେ ରିଲିଜ୍ ହୋଇଥିବା ଏକ ଓଡ଼ିଆ ଛବି‘ପ୍ରେମର ନିଶା ନିଆରା ନିଆରା’ର ବଜେଟ୍ କୁଆଡ଼େ କୋଟିଏ ଟପି ଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଏଥିରେ ବିଗ୍ଷ୍ଟାର୍ ନ ଥାଇ ମଧ୍ୟ ବଜେଟ୍ ଖୁବ୍ ବଢ଼ି ଯାଇଥିଲା।ଏହାର କାରଣ ହେଲା ଓଡ଼ିଆ ବାହାରେ ମାତ୍ରାଧିକ ସୁଟିଂ ଓ ପରିଚାଳନାଗତ ତ୍ରୁଟି।ଏହା ମଧ୍ୟ ତାର ପଇସା ଅସୁଲ କରିବାରେ ସଫଳ ହୋଇ ନଥିଲା। ସେହିପରି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ‘ଚିନି’ କ୍ଷେତ୍ରରେ ବି ସମାନ ଅବସ୍ଥା ଘଟିଥିଲା ବୋଲି କୁହାଯିବ।
ସଂପ୍ରତି ଯେତେସବୁ ସିନେମା ନିର୍ମିତ ହେଉଛି ସେଥିରୁ ଅଶୀ ଭାଗର ସିନେମା ହେଉଛି ନନ୍ଷ୍ଟାରର୍ ଓ ଲୋ-ବଜେଟ୍।ହେଲେ ବି ଏଗୁଡ଼ିକ କେବେ ପରଦାକୁ ଆସୁଛି ଓ କେବେ ହଲ୍ରୁ ଓହ୍ଲାଇଯାଉଛି,ତାହା ଜଣା ପଡ଼ୁନାହିଁ। ଜଣେ ଛୋଟ ବଜେଟ୍ର ନିର୍ମାଣ କରୁଥିବା ନିର୍ମାତା କିଛି ଦିନ ତଳେ ଅନୌପଚାରିକ କଥାବାର୍ତ୍ତାରେ କହିଥିଲେ ଯେ,ଏବେ ତ ସିନେମା ଯାହା ଚାଲୁଛି,ତାହା ନ କରରିବା ଭଲ। କେବଳ ସାଟେଲାଇଟ୍ ରାଇଟସରୁ ଯାହା ପଇସା ପାଇବା କଥା। ସେ ନିଶାରେ ସିନେମା ତିଆରି କରୁଛନ୍ତି ଓ କମ୍ ବଜେଟ୍ରେ ଫିଲ୍ମ ତିଆରି କରୁଛନ୍ତି। ପ୍ରତିବର୍ଷ ଏଭଳି କେତେକ ପ୍ରଯୋଜକ ଆସୁଛନ୍ତି ,ଯେଉଁମାନେ ନିଶା ହେତୁ ଓଡ଼ିଆ ଛବି ନିର୍ମାଣ କରୁଛନ୍ତି। ସେମାନେ ପ୍ରାକ୍ ନିର୍ଦ୍ଧାରିତ ବଜେଟ୍ରେ ହିଁ ଫିଲ୍ମ ତିଆରି କରୁଛନ୍ତି। କ୍ଷତି ହେଲେ କମ୍ କ୍ଷତି ହେବ ଓ ଲାଭ ହେଲେ ଅଳ୍ପ। ମାତ୍ର ଓଭର୍ ବଜେଟ୍ ହୋଇଗଲେ,କ୍ଷତିର ପରିମାଣ ଢ଼େର ଅଧିକ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ସବୁଠୁଁ ବଡ଼ କଥା ହେଲା ଗତ କିଛି ବର୍ଷ ହେବ ପ୍ରଯୋଜକମାନଙ୍କୁ ନିଜ ଖର୍ଚ୍ଚର ଏକ ସିଂହଭାଗ ପ୍ରମୋସନ/ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଛି। ଯେଉଁ ପ୍ରଯୋଜକମାନେ ଏ ବିଷୟରେ ଅନ୍ଧାକାରରେ ରହୁଛନ୍ତି,ସେମାନେ ଅନେକ କ୍ଷେତ୍ରରେ ଓଭର୍ ବଜେଟ୍ର ଶିକାର ହୋଇଥା’ନ୍ତି।
ଯାତ୍ରା ଜଗତରେ ଯେଉଁଭଳି କେତେକ କଳାକାରଙ୍କୁ ଆକାଶ ଛୁଆଁ ପାରିଶ୍ରମିକ ଦେବା ଫଳରେ ଯାତ୍ରାପାର୍ଟି ମାଲିକମାନେ କ୍ଷତିଗ୍ରସ୍ତ ହେଲେ ବୋଲି ଅବଶେଷରେ ସ୍ୱୀକାର କରିଛନ୍ତି।ଠିକ୍ ସେହି କଥା ଓଲିଉଡ଼୍ ପାଇଁ ବି ପ୍ରଯୁଜ୍ୟ।ଏଠି ବି ଷ୍ଟାର୍ମାନଙ୍କ ନାଆଁରେ ଫିଲ୍ମ ଚାଲୁଛି ଓ ତାହା ବ୍ୟାବସାୟିକ ସଫଳତାର ଗ୍ୟାରେଣ୍ଟି ବୋଲି ଭାବିବା ମଧ୍ୟ ଅନେକ କ୍ଷେତ୍ରରେ ଠିକ୍ ନୁହେଁ। ଅତଏବ ଏ ବିଷୟରେ ଏବେ ପ୍ରଯୋଜକଙ୍କଠୁଁ ଆରମ୍ଭ କରି ଓଲିଉଡ଼୍ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଏ ସଂପର୍କରେ ଚିନ୍ତନ କରିବାର ବେଳ ଆସିଯାଇଛି, ନତୁବା ଅବସ୍ଥା ଅସମ୍ଭାଳ ହୋଇଯିବ!