ଓଡ଼ିଆ ଜାତିର ଆରାଧୢ ଦେବତା ଶ୍ରୀଜଗନ୍ନାଥଙ୍କ ମହିମା ଆଧାରିତ କଥା-କବିତାକୁ ନେଇ ଓଡ଼ିଆ ସାହିତ୍ୟ ଓ ସଂଗୀତ ୠଦ୍ଧିମନ୍ତ। ଏହି ଧାରାରୁ ଓଡ଼ିଆ ସିନେମା ବା କେମିତି ବାଦ୍ ଯାଆନ୍ତା? ପୌରାଣିକ ଓ ସାମାଜିକ କଥାବସ୍ତୁ ସମ୍ବଳିତ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ସଂଯୋଜିତ ହୋଇଛି। ଏସବୁ ଲୋକପ୍ରିୟ ଭକ୍ତିଗୀତି ଓଡ଼ିଆ ସିନେ-ସଂଗୀତକୁ ସମୃଦ୍ଧ କରିଛି।
ଶିବଶଙ୍କର ଓଝା
କାହାଣୀ ପୌରାଣିକ ହେଉ କି ସାମାଜିକ, ଓଡ଼ିଆ ଚଳଚ୍ଚିତ୍ରରେ ଭଜନ/ଜଣାଣଟିଏ ସ୍ଥାନିତ ହେବା ଏକ ଲୋକପ୍ରିୟ ଧାରା ଥିଲା। ଏଥିରୁ ସି˚ହଭାଗ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା। ଖାସ୍ ଏଥିପାଇଁ କାହାଣୀରେ ଭିନ୍ନ ଭିନ୍ନ ଦୃଶ୍ୟର ଅବତାରଣା କରାଯାଉଥିଲା।
୧୯୩୬ରେ ‘ସୀତାବିବାହ’ ମୁକ୍ତିଲାଭ କରିବା ପରେ ୧୯୫୦ରେ ପରଦାକୁ ଆସିଥିଲା ଦ୍ବିତୀୟ ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥ’। ଏଥିରେ ସଂଯୋଜିତ ବିନାୟକ ମିଶ୍ରଙ୍କ ରଚିତ ‘ଚକାଡେ଼ାଳା କିମ୍ପା ଡକା କିମ୍ପା ଡକା ନଶୁଣ...’ ଏବଂ ନିକୁଞ୍ଜକିଶୋର ଦାସଙ୍କ ରଚିତ ‘ନୀଳସିନ୍ଧୁ ତୀରେ...’ ଛାୟାଛବିରେ ଜଗନ୍ନାଥ ଭଜନ ଧାରାର ସୁରୁଆତ୍ କରିଥିଲା। ଉଭୟ ଗୀତରେ ରଣଜିତ ରାୟଙ୍କ ସଂଗୀତ ନିର୍ଦ୍ଦେଶନାରେ ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନ କଣ୍ଠଦାନ କରିବା ସଙ୍ଗେ ସଙ୍ଗେ ଅଭିନୟ ମଧୢ କରିଥିଲେ।
ଏହି ଧାରାକୁ ଲୋକପ୍ରିୟ କଲା ‘ଲକ୍ଷ୍ମୀ’ (୧୯୬୨) ଚଳଚ୍ଚିତ୍ରରେ ବାଳକୃଷ୍ଣ ଦାଶଙ୍କ ସ୍ବର ସ˚ଯୋଜନାରେ ଗୀତିକାର ସାରଦାପ୍ରସନ୍ନ ନାୟକଙ୍କ ରଚିତ ‘ଆରତ ସୁରେ ବାରେ..।’ କଣ୍ଠଶିଳ୍ପୀ ସିକନ୍ଦର ଆଲାମ୍ଙ୍କ ଏହି ପ୍ରଥମ ଚଳଚ୍ଚିତ୍ର ଗୀତ ଜନମନ ମୋହିଥିଲା। ଏହି କ୍ରମରେ ଆଉ ଏକ ଅଭୁଲା ଗୀତ ହେଲା ‘ସ୍ତ୍ରୀ’ (୧୯୬୮) ଚଳଚ୍ଚିତ୍ରର ‘ସ˚ଜସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ...।’ ନିର୍ମଳା ମିଶ୍ର ଗାଇଥିବା ଏହି ଭାବୋଦ୍ଦୀପକ ଗୀତର ଗୀତିକାର ଥିଲେ ସାରଦାପ୍ରସନ୍ନ ନାୟକ ଓ ସଙ୍ଗୀତକାର ଥିଲେ ଶ୍ରୀକୁମାର (ଭୁବନେଶ୍ବର ମିଶ୍ର)।
ସେହିଭଳି ୧୯୭୭ରେ ମୁକ୍ତିଲାଭ କରିଥିବା ‘ବନ୍ଧୁ ମହାନ୍ତି’ ଛବିରେ ସ˚ଯୋଜିତ ଦୁଇଟି ଜଗନ୍ନାଥ ଭଜନ ଥିଲା ସ˚ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ସାଂଗୀତିକ ଜୀବନର ଅନ୍ୟତମ ମାଇଲଖୁଣ୍ଟ। ସେ ଗାଇଥିବା ‘ନମସ୍ତେ ପ୍ରଭୁ ଜଗନ୍ନାଥ..’ ଓ ‘ମହାବାହୁ ଅଖିଳ ବ୍ରହ୍ମାଣ୍ତ ନାଥ...’ ଆଜି ବି ଶ୍ରୋତାମାନସକୁ ପରିପ୍ଳୁତ କରେ। ତେଣେ ୧୯୮୨ରେ ମୁକ୍ତିଲାଭ କରିଥିବା ‘ହିସାବ ନିକାଶ’ର ଲୋକପ୍ରିୟ ଗୀତ ‘ଆସିଛି ଏକା ଯିବି ମୁଁ ଏକା ଏକା ହୋଇ...’ର ଶେଷ ପଦରେ ଜଗନ୍ନାଥଙ୍କ ପ୍ରସଙ୍ଗକୁ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ ଗୀତିକାର ତଥା ସଙ୍ଗୀତକାର ପ୍ରଫୁଲ୍ଲ କର- ‘ଆରେ ଛଳିଆ ଜଗାକାଳିଆ କେତେ ଯୁଗରୁ ତୁହି, ଆନନ୍ଦେ ବସି ରହିଛୁ ଚାହିଁ ସଙ୍ଗରେ ଧରି ଭାଇ...।’ ବଲିଉଡ୍ ଗାୟକ ସୁରେଶ ୱାଡ଼େକର୍ଙ୍କ କଣ୍ଠରେ ଗୀତଟି ବେଶ୍ ଭାବଗମ୍ଭୀର ଥିଲା। ସେହିପରି ପ୍ରଫୁଲ୍ଲଙ୍କ ସ˚ଗୀତରେ ୱାଡ଼େକର୍ ଗାଇଥିବା ‘ପୂଜାଫୁଲ’(୧୯୮୫)ର ‘ତୋର ଇଚ୍ଛା ପୂର୍ଣ୍ଣହେଉ ମହାବାହୁ ...’ ବି ଚମତ୍କାର ଥିଲା।
୧୯୭୮ରେ ମୁକ୍ତିପ୍ରାପ୍ତ ‘ଚିଲିକା ତୀରେ’ ଚଳଚ୍ଚିତ୍ରର ‘ଜଗତପତି ହେ ଆଉ ଛଳନା କରନାହିଁ... ’ ମଧୢ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ। ଦେବାଶିଷ ମହାପାତ୍ର ଗାଇଥିବା ଏହି ଗୀତର ରଚୟିତା ଶିବବ୍ରତ ଦାସ ଓ ସ୍ବରକାର ଶାନ୍ତନୁ ମହାପାତ୍ର। ସେହିପରି ଶାନ୍ତନୁଙ୍କ ସ୍ବରସଂଯୋଜିତ ଆଉ ଏକ ଜନପ୍ରିୟ ଜଗନ୍ନାଥ ଭଜନ ହେଲା ‘ରଣଭୂମି’ ଚଳଚ୍ଚିତ୍ରର ‘ମୁଁ ଜାଣେ ମୋ ସପନ...।’ ଗୁରୁକୃଷ୍ଣ ଗୋସ୍ବାମୀଙ୍କ ଶବ୍ଦକୁ ସ୍ବର ଦେଇଥିଲେ ଲୋପିତା ମିଶ୍ର। ‘ପଥର ଖସୁଛି ବଡ଼ ଦେଉଳୁ’ ଛବିର ଜଗନ୍ନାଥଙ୍କ ମହିମା ବର୍ଣ୍ଣିତ ଶୀର୍ଷକ ଗୀତ ମଧ୍ୟ ଶାନ୍ତନୁ ମହାପାତ୍ରଙ୍କ ସଫଳ କୃତି।
ଏହି ଧାରା ଚଳମାନ ରହିବାରେ ଭଜନ ସମ୍ରାଟ ଭିକାରି ବଳଙ୍କ ଯୋଗଦାନ ବି କମ୍ ନୁହେଁ। ୧୯୭୯ରେ ମୁକ୍ତିଲାଭ କରିଥିବା ‘ନୀଳମାଧବ’ ସିନେମାରେ ସେ ଗାଇଥିବା ‘ନୀଳମାଧବ ହେ ଘେନ ବାରେ ମୋ ମିନତି...’ ଖୁବ୍ ଲୋକପ୍ରିୟ ହୋଇଥିଲା। ଏହାର ସଙ୍ଗୀତ ନିର୍ଦେଶକ ଥିଲେ ଏନ୍. କୁମାର। ସେହି ବର୍ଷ ରିଲିଜ୍ ହୋଇଥିବା ‘ଚିହ୍ନା ଅଚିହ୍ନା’ରେ ସଂଯୋଜିତ ଜଗନ୍ନାଥ ଭଜନ ‘ଜଗତର ନାଥ ଆହେ ଜଗନ୍ନାଥ ଭକତ ଜନ ଭାବଗ୍ରାହୀ...’ ବେଶ୍ ଭାବପୂର୍ଣ୍ଣ ଥିଲା। ଦୀନବନ୍ଧୁ ରଥଙ୍କ ଗୀତ ଓ ବାସୁଦେବ ରଥଙ୍କ ସ୍ବରକୁ କଣ୍ଠରେ ତୋଳି ଧରିଥିଲେ ଭୁବନେଶ୍ବରୀ ମିଶ୍ର। ବାସୁଦେବ ରଥଙ୍କ ସ୍ବରାରୋପିତ ‘ଅନୁରାଧା’ ଚଳଚ୍ଚିତ୍ରର ‘କୁହ ହେ ଠାକୁର ମୁଁ ନୁହେଁ କି ତୁମର..’ମଧ୍ୟ ଏକ ଲୋକପ୍ରିୟ ଚଳଚ୍ଚିତ୍ର ଭଜନ।
୧୯୮୩ର ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ରେ ସ୍ଥାନିତ ସାଲବେଗଙ୍କ ରଚିତ ‘ଜଗବନ୍ଧୁ ହେ ଗୋସାଇଁ..’ ଓ ‘ଆହେ ନୀଳ ଶଇଳ..’ ଗୀତ ଦୁଇଟି ଭଜନ ସମ୍ରାଟ ଭିକାରି ବଳଙ୍କ କଣ୍ଠରେ ଜୀବନ୍ତ ହୋଇ ଉଠିଥିଲା। ସେହିପରି ଅନୁରାଧା ପୋଡ଼ୱାଲ୍ ଗାଇଥିବା ‘ତାରିବା ଶକତି ଅଛି ବୋଲି ତୁହି ହେଲୁ ଜଗତର ନାଥ...’ ଆଜି ବି ଶ୍ରୋତାଙ୍କୁ ବିମୋହିତ କରେ। ‘ଭକ୍ତ ସାଲବେଗ’ର ସଫଳ ସ˚ଗୀତ ନିର୍ଦେଶକ ଥିଲେ ଭୁବନେଶ୍ବର ମିଶ୍ର। ‘ରଜନୀଗନ୍ଧା’ ଛବିରେ ରାମହରି-ସୁବାସଙ୍କ ସ୍ବରାରୋପିତ ଶ୍ରୀଜଗନ୍ନାଥଙ୍କ ଭଜନ ‘ଜୀବନ କଳସ ପୂର୍ଣ୍ଣ କରିଛ ଭକ୍ତିର ଅମୃତ ଦାନେ...’ ଆଜି ବି ମନକୁ ଛୁଏଁ ।
ସଙ୍ଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ସ୍ବରାରୋପିତ ଚଳଚ୍ଚିତ୍ର ‘ବସୁଧା’ରେ ଭିକାରି ବଳ ଗାଇଥିବା ‘ଧନ ଦେଲ ମାନ ଦେଲ...’ ବି ଶ୍ରୋତାଙ୍କ ମନ ମୋହିଥିଲା। ‘ଜୀବନସାଥୀ’ ଛବିରେ ସରୋଜ ନନ୍ଦଙ୍କ ନିର୍ଦ୍ଦେଶନାରେ ଅନୁରାଧା ପୋଡ଼ୱାଲ୍ ଓ କବିତା ପୋଡ଼ୱାଲ୍ ଗାଇଥିବା ‘କେବେ ହୋଇନି ଜଗତେ ଏମିତି...’ ଏବଂ ‘ସାବିତ୍ରୀ’ରେ ଶିବୁ ଜେନାଙ୍କ ସ୍ବର ସଂଯୋଜନାରେ ଗୀତା ଦାଶ ଗାଇଥିବା ‘ଆସିଛି ତୋ ପାଶେ କାଳିଆ ଠାକୁର...’ ବି ଏହି କ୍ରମରେ ଉଲ୍ଲେଖ ଦାବିକରେ।
‘ସୌଭାଗ୍ୟବତୀ’ ଓ ‘ଶାଶୁଘର ଚାଲିଯିବି’ ଚଳଚ୍ଚିତ୍ରର କ୍ଲାଇମାକ୍ସ ଦୃଶ୍ୟରେ ଯଥାକ୍ରମେ ‘ତତେ ସଭିଏଁ ଡାକନ୍ତି ମଣିମା...’ ଏବ˚ ‘ତୋ ହାତ ନଥାଇ ବୋଲାଉ ତୁ ମହାବାହୁ...’ ଭଳି ଜଗନ୍ନାଥଙ୍କ ଭଜନ ସ୍ଥାନିତ ହୋଇଥିଲା। ଏ ଦୁଇ ଗୀତର ଗୀତିକାର ଓ ସ୍ବରକାର ଥିଲେ ସ୍ବରୂପ ନାୟକ। ସ୍ବରୂପଙ୍କ ଗୀତ ଓ ସଙ୍ଗୀତରେ ଚଳଚ୍ଚିତ୍ର ‘କଳା ମାଣିକ’ରେ ଥିବା ‘କଳା ମାଣିକରେ ମୋର କଳା ମାଣିକ...’ ଏବେ ବି ହୃଦୟକୁ ଛୁଏଁ। ମୁସିର୍ଙ୍କ ସଙ୍ଗୀତ ନିର୍ଦେଶନାରେ ‘ହିସାବ କରିବ କାଳିଆ’ରେ ସ୍ଥାନିତ ‘ଧର୍ମଦାଣ୍ତେ ଅଧର୍ମର ଲାଗିଛି ନିଆଁ..’ ଏବଂ ସଙ୍ଗୀତକାର ମଳୟ ମିଶ୍ରଙ୍କ ସ୍ବରାରୋପିତ ‘ତୁ ଥିଲେ ମୋ ଡର କାହାକୁ’ ଚଳଚ୍ଚିତ୍ରର ଶୀର୍ଷକ ଗୀତରେ ଜଗନ୍ନାଥଙ୍କ ମହିମାକୁ ଉପଜୀବ୍ୟ କରାଯାଇଛି। ଏଥିରେ କଣ୍ଠଦାନ କରିଥିଲେ ଇରା ମହାନ୍ତି। ଠିକ୍ ସେହିପରି ‘ସାକ୍ଷୀ ରହିଲା ଏ ସି˚ହଦୁଆର’ ଓ ‘ବାହୁଡ଼ିବେ ମୋ ଜଗାବଳିଆ’ର ଶୀର୍ଷକ ଗୀତରେ ବି ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ରହିଛି। ସଙ୍ଗୀତ ନିର୍ଦେଶକ ଶରତ ନାୟକ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଚକାଚକା ଭଉଁରି’ରେ ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଜଣାଣ ‘ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ...’ର ପୁନଃସ˚ଯୋଜନା କରିଥିଲେ।
ଗତବର୍ଷ ପରଦାକୁ ଆସିଥିବା ‘ମହାବାହୁ’ ସିନେମାରେ ଶୀର୍ଷକ ଗୀତଟି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉପସ୍ଥାପିତ ହୋଇଥିଲା। ପ୍ରେମାନନ୍ଦ ଏହାର ସଙ୍ଗୀତକାର ଓ ଶ୍ରୀଚରଣ ଗାୟକ। ଏ ବର୍ଷ ମୁକ୍ତିଲାଭ କରିଥିବା ‘କେମିତି ଏ ସଂପର୍କ’ରେ ବି ଜଗନ୍ନାଥଙ୍କ ଜଣାଣ ସଂଯୋଜିତ ହୋଇଛି। ଅଭିଜିତ ମଜୁମଦାରଙ୍କ ସ୍ବରାରୋପିତ ‘ପଥର ହେଲ କି ଆହେ ମହାପ୍ରଭୁ…’ ଗୀତରେ କଣ୍ଠଦାନ କରିଛନ୍ତି ଜଣାଶୁଣା ଗାୟକ ସତ୍ୟଜିତ ଓ ଶୁଭଲକ୍ଷ୍ମୀ ଦାଶ।
ଅକ୍ଷୟଙ୍କ ଗୀତ ସଂଖ୍ୟା ଅଧିକ
ନିଜ ସମସାମୟିକ ସଙ୍ଗୀତକାରଙ୍କ ତୁଳନାରେ ଅଧିକ ସଂଖ୍ୟକ ଜଗନ୍ନାଥ ଭଜନ/ଜଣାଣକୁ ଓଡ଼ିଆ ସିନେମାରେ ସ୍ଥାନ ଦେବାର ସୁଯୋଗ ପାଇଥିଲେ ଅକ୍ଷୟ ମହାନ୍ତି। ୧୯୭୯ରେ ପରଦା ଉପରକୁ ଆସିଥିବା ‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ରରେ ସ୍ଥାନିତ ‘ଅଧାଗଢ଼ା ଦିଅଁଙ୍କର ଦେଖ ଚକାଆଖିକୁ...’, ‘ସେତ ଭକତ ଭାବରେ ବନ୍ଧାରେ..’ ଏବ˚ ‘କାଳିଆ ଆସିଲା, ଭାଇ କାଳିଆ ଆସିଲା...’ ଗୀତ ତିନିଟି ଆଜି ମଧୢ ଶ୍ରୋତା ମାନସକୁ ଉଦ୍ବେଳିତ କରେ। ପ୍ରଥମଟିର ରଚୟିତା ଓ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ହୋଇଥିବା ବେଳେ ଦ୍ବିତୀୟ ଓ ତୃତୀୟଟିର ଗୀତିକାର ଥିଲେ ବିନୋଦିନୀ ଦେବୀ ଏବ˚ କଣ୍ଠଦାନ କରିଥିଲେ ଏସ୍.ଜାନକୀ। ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ‘ଶ୍ରୀଜଗନ୍ନାଥ’ର ଗୀତଗୁଡ଼ିକ ଖୁବ୍ ଶ୍ରୁତିମଧୁର ହେବା ସହ ଲୋକପ୍ରିୟତା ଲାଭ କରିଥିଲା। ୧୯୮୮ରେ ମୁକ୍ତିଲାଭ କରିଥିବା ଅମିୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘ପୁଅ ମୋର କଳାଠାକୁର’ର ଟାଇଟଲ୍ ଗୀତଟି ବି ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଥିଲା। ଏଥିରେ ଶୀର୍ଷାନନ୍ଦ ଦାସକାନୁନ୍ଗୋଙ୍କ ଗୀତ ଓ ଅକ୍ଷୟଙ୍କ ସ୍ବରକୁ କଣ୍ଠ ଦେଇଥିଲେ କବିତା କୃଷ୍ଣମୂର୍ତ୍ତି। ସେହି ବର୍ଷ ପ୍ରେକ୍ଷାଳୟକୁ ଆସିଥିବା ‘ସୁନାଚଢେ଼ଇ’ରେ ସ୍ଥାନିତ ‘କାଳିଆ କାଳିଆ ଅଛି କିଏ କହ ଆଉ ତୋହରି ଭଳିଆ..’ ଅକ୍ଷୟଙ୍କର ଏକ ଚମତ୍କାର ସୃଷ୍ଟି। ଏହି ଗୀତରେ କଣ୍ଠଦାନ କରିଥିଲେ ବରିଷ୍ଠ କଣ୍ଠଶିଳ୍ପୀ ମହେନ୍ଦ୍ର କପୁର୍।
ଏହାପରେ ଅକ୍ଷୟ ମହାନ୍ତିଙ୍କ ସ୍ବର ସ˚ଯୋଜିତ ଗୀତ ‘ତୁମରି ଦୁଆରୁ ଖାଲି ହାତ ନେଇ କେହି ତ ଯାଏନା ଫେରି...’(ମମତାର ଡେ଼ାରି), ‘ଚକାଆଖି ସବୁ ଦେଖୁଛି ସୁଖଦୁଃଖ ସବୁ ବୁଝୁଛି..’(ଚକାଆଖି ସବୁ ଦେଖୁଛି), ‘କାଳିଆ ତୁ କପଟିଆ କାଳିଆ ତୁ ଦଗାଦିଆ....’(ଆସୁଛି ମୋ କାଳିଆସୁନା), ‘ଦରିଆ କୂଳରେ ବସି ଦରିଆ ସେପାରିରୁ ଆଣିଲ ଟାଣି...’ (ପରଦେଶୀ ଚଢେ଼ଇ), ‘ଜୀବନ ପ୍ରଦୀପ ମୋର ଯାଉ ପଛେ ଜଳି...’(ଆମ ଘର ଆମ ସ˚ସାର), ‘କାଳିଆ ଭରସା...’(କାଳିଆ ଭରସା) ଓ ‘କଳିଯୁଗର ନାରାୟଣ ତୁମେ ଜଗନ୍ନାଥ...’(ଜୟ ଜଗନ୍ନାଥ) ଆଦି ବେଶ୍ ଲୋକପ୍ରିୟ ହୋଇଥିଲା।