ଲଣ୍ଡନ: ଓଡ଼ିଶା ବାବଦରେ ଦିନେ କହିବାକୁ ଯାଇ ପ୍ରସିଦ୍ଧ ଗାଳ୍ପିକ ତଥା ଔପନ୍ୟାସିକ ମନୋଜ ଦାସ କହିଥିଲେ ଯେ ଓଡ଼ିଶା କୌଣସି ଭୌଗୋଳିକ ସୀମା ଦ୍ୱାରା ଆବଦ୍ଧ ନୁହେଁ, ବରଂ ଓଡ଼ିଆ ଲୋକ ଯେଉଁଠି ରହନ୍ତି ସେଠାରେ ଓଡ଼ିଶା ପରିବ୍ୟାପ୍ତ ହୋଇଥାଏ। କିଛି ଏଭଳି ପରିବେଶ ଦେଖିବାକୁ ମିଳିଥିଲା ଲଣ୍ଡନର ବେଡ୍ଫୋର୍ଡଶାୟର୍ ୟୁନିଭରସିଟି ପରିସରରେ | ବିଦେଶୀ ଦର୍ଶକଙ୍କୁ ଓଡିଶୀ ନୃତ୍ୟର ମହତ୍ତ୍ୱ ବୁଝାଇବାକୁ ଆୟୋଜିତ ହୋଇଥିଲା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ କରିଥିବା ଅଧିକାଂଶ ନୃତ୍ୟଶିଳ୍ପୀ ଥିଲେ ଅଣଓଡ଼ିଆ।

Advertisment

ମିଳିଥିବା ସୂଚନା ମୁତାବକ ମନସ୍ତତ୍ତ୍ୱବିତ୍ ତଥା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ଼.ପାର୍ବତୀ ରାଜମଣିଙ୍କ ନେତୃତ୍ୱରେ ଲଣ୍ଡନର ବେଡଫୋର୍ଡ ସହରର ବେଡଫୋର୍ଡଶାୟର୍ ୟୁନିଭରସିଟିର ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏଥିରେ ସମ୍ମାନିତ ଅତିଥି ଭାବେ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ସୁସ୍ମିତା ପତି ଯୋଗ ଦେଇଥିଲେ| ବିଶେଷ କରି ଏହି କାର୍ଯ୍ୟକ୍ରମ ଦେଖିବାମୁ ବହୁ ସଂଖ୍ୟାରେ ବିଦେଶୀ ଦର୍ଶକ ଆସିଥିବାବେଳେ ସେମାନଙ୍କୁ ପ୍ରଥମେ ଓଡ଼ିଶୀ ନୃତ୍ୟ ବାବଦରେ ସୂଚନା ଦିଆଯିବା ସହ ଏହି ନୃତ୍ୟକଳାର ବୈଶିଷ୍ଟ୍ୟ କ’ଣ , ଏହା କିପରି ମୌଳିକ ଓ ଏହାର ବିଷୟବସ୍ତୁ କ’ଣ ସେସଂପର୍କରେ କୁହାଯାଇଥିଲା |

publive-image

ଏହାପରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା| ତେବେ କେବଳ ଓଡ଼ିଶୀ ନୁହେଁ, ଛଉ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା | ବିଶେଷ କରି ଓଡ଼ିଶୀର ମଙ୍ଗଳାଚରଣଠାରୁ ମୋକ୍ଷ ପର୍ଯ୍ୟନ୍ତ ସବୁ ବିଭାଗ ପରିବେଷଣ କରାଯାଇଥିଲା। ଏହାର ମାଧୁର୍ଯ୍ୟ ବିଦେଶୀ ଦର୍ଶକଙ୍କୁ ଅଭିଭୂତ କରିଦେଇଥିଲା |