ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଗଣ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ ଅନ୍ୟତମ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଲୟାଲି ସିନେମାର ଢେର୍ ପ୍ରାଧାନ୍ୟ ରହିଛି। ବାସ୍ତବଧର୍ମୀ ଓ ନୂଆସ୍ବାଦର ଚଳଚ୍ଚିତ୍ର ନିର୍ମାଣ ପାଇଁ କେରଳୀ ନିର୍ମାତା ନିର୍ଦ୍ଦେଶକମାନେ ସଦାବେଳେ ପରୀକ୍ଷାନିରୀକ୍ଷା ଚଳାଇଥାନ୍ତି। କିନ୍ତୁ, କୌତୂହଳର କଥା ଯେ ମଲୟାଲମ୍‌ ଚଳଚ୍ଚିତ୍ର ଜଗତର ଜଣେ ନାମକରା ନିର୍ଦ୍ଦେଶକ ୨୦୧୩ ମସିହା ମେ ମାସରେ ମୁକ୍ତିଲାଭ କରିଥିବା ତାଙ୍କର ଏକ ଚଳଚ୍ଚିତ୍ରରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତକୁ ସ୍ଥାନ ଦେଇଥିଲେ। ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ହେଲା, ସେ ଚଳଚ୍ଚିତ୍ରଟିର ନାଁ ମଧ୍ୟ ରଖିଥିଲେ ‘ଓଡ଼ିଶା’।

Advertisment

‘ଓଡ଼ିଶା’ ନାଁ ଶୁଣି ଏହା ଏକ ବୃତ୍ତଚିତ୍ର ହୋଇ ଥାଇପାରେ ବୋଲି କେହି କେହି ଭାବିପାରନ୍ତି। ମାତ୍ର ତାହା ଗୋଟିଏ ବ୍ୟାବସାୟିକ ଚଳଚ୍ଚିତ୍ର ଥିଲା। ହୀରା ଫିଲ୍ମସ୍ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ପରିଚିତ ଯୁବ ନିର୍ଦ୍ଦେଶକ ଏମ୍. ପଦ୍ମକୁମାର। ଏଇ ଅଭିନବ ସ୍ବାଦର ଚଳଚ୍ଚିତ୍ରଟି ପାଇଁ ସେ ଯେଉଁ କାହାଣୀଟିକୁ ବାଛିଥିଲେ ତାହା ଦେବଦାସୀ ପ୍ରଥା ଉପରେ ଆଧାରିତ। ପଦ୍ମକୁମାର କହନ୍ତି, ଫିଲ୍ମର କାହାଣୀ ମଧ୍ୟପ୍ରଦେଶରେ ୧୯୮୦ ଦଶକରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ପର୍ଯ୍ୟବସିତ। ତେବେ ପୁରାତନ କାଳରେ ଓଡ଼ିଶାରେ ମଧ୍ୟ ଦେବଦାସୀ ପ୍ରଥା ପ୍ରଚଳିତ ଥିବାରୁ ସେ କାହାଣୀର ପଟ୍ଟଭୂମି ପରିବର୍ତ୍ତନ କରିଦେଇଥିଲେ। କାରଣ ସେ ଓଡ଼ିଶାର ପ୍ରାକୃତିକ ଦୃଶ୍ୟ ଓ ପରିବେଶକୁ ବ୍ୟବହାର କରି ନିଚ୍ଛକ ପ୍ରେମ କାହାଣୀଟିଏ ପ୍ରସ୍ତୁତ କରିବାକୁ ଚାହିଁଥିଲେ, ଯାହା ମଲୟାଲୀ ଦର୍ଶକମାନଙ୍କୁ କିଛି ନୂଆ ଅନୁଭବ ଦେବ। ବିଶେଷକରି, କେରଳରେ ଥିବା ବହୁସଂଖ୍ୟକ ଓଡ଼ିଆଭାଷୀ ଦର୍ଶକ ଏହାକୁ ସ୍ବାଗତ କରିବେ ବୋଲି ସେ ଆଶା ରଖିଥିଲେ।

କାହାଣୀଟିର ପଟ୍ଟଭୂମି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଅଞ୍ଚଳର ଏକ ଛୋଟ ଗାଁ। ସେଠିକାର ସରଳ ଗାଉଁଲି ଝିଅ ସୁନେଇର ପ୍ରେମ ଓ ସଂଘର୍ଷର କାହାଣୀକୁ ସିନେମାରେ ରୂପାୟିତ କରାଯାଇଛି। ଏକ ଦେବଦାସୀ ପରିବାରରେ ସୁନେଇର ଜନ୍ମ। ଗାଁର ପରମ୍ପରା ଅନୁସାରେ ବୟସ ୧୮ ବର୍ଷ ହେବା ପରେ ସୁନେଇକୁ ଗାଁ ଠାକୁରଙ୍କ ନିକଟରେ ଦେବଦାସୀ ହିସାବରେ ଅର୍ପଣ କରାଯିବାର ଥାଏ। ମାତ୍ର ସୁନେଇର ମା’ ଏହାକୁ ବିରୋଧ କରିଛି। କାରଣ ଠାକୁରଙ୍କ ନିକଟରେ ସମର୍ପିତା ହୋଇଥିଲେ ମଧ୍ୟ ଗାଁର କ୍ଷମତାଶାଳୀ  ଜମିଦାର ଦେବଦାସୀମାନଙ୍କୁ ରକ୍ଷିତା ହିସାବରେ ବ୍ୟବହାର କରନ୍ତି। ସମ୍ପୃକ୍ତ ଜମିଦାର ଓ ଦେବଦାସୀ ପରମ୍ପରାର ସମର୍ଥକମାନଙ୍କ ବିରୋଧରେ ଏକାକୀ ସ୍ବର ଉତ୍ତୋଳନ କରି ସେ ଜମିଦାରଙ୍କ ବନ୍ଧୁକ ଗୁଳିରେ ମୃତ୍ୟୁବରଣ କରିଛି। ତେବେ ଗାଁର ଜଣେ ସାମାଜିକ କର୍ମୀଙ୍କ ଉଦ୍ୟମରେ ସରକାର ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି। ସରକାରୀ ନିର୍ଦ୍ଦେଶରେ ସୁନେଇର ସୁରକ୍ଷା ପାଇଁ ପୁଲିସ ମୁତୟନ କରାଯାଇଛି।

କାହାଣୀଟି ଏକ ନାଟକୀୟ ମୋଡ଼ ନେଇଛି, ଯେତେବେଳେ ସୁନେଇ ତା’ର ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିବା ମଲୟାଲୀ କନେଷ୍ଟବଳ ଖ୍ରୀଷ୍ଟଦାସର ପ୍ରେମରେ ପଡ଼ିଯାଇଛି। ‘ଓଡ଼ିଶା’ ଚଳଚ୍ଚିତ୍ର ସେମାନଙ୍କ ପ୍ରେମ ଓ ସଂଘର୍ଷର ଏକ ରୋମାଞ୍ଚକର କାହାଣୀ। ଦେବଦାସୀ ପରମ୍ପରା ଓ ରକ୍ଷଣଶୀଳ ପରିବେଶର ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମ ଭିତରେ ଏହା ଗତିଶୀଳ ହୋଇଛି। 
ସିନେମାଟି ମଲୟାଲମ୍‌ ଭାଷାର। ସ୍ବାଭାବିକ ଭାବେ ଏଥିରେ ସଂଳାପଗୁଡ଼ିକ ସେହି ଭାଷାରେ ଅଛି। ମାତ୍ର ଚଳଚ୍ଚିତ୍ରକୁ ଅଧିକ ବାସ୍ତବଧର୍ମୀ କରିବା ପାଇଁ ନିର୍ଦ୍ଦେଶକ ଏଥିରେ ସ୍ଥାନୀୟ ଗ୍ରାମବାସୀଙ୍କ ସଂଳାପକୁ ଓଡ଼ିଆ ଭାଷାରେ ରଖିଛନ୍ତି। ସୁନେଇ ମଧ୍ୟ ଓଡ଼ିଆ ଝିଅ ହୋଇଥିବାରୁ ମଲୟାଲମ୍‌ ଶିଖିନେବା ପର୍ଯ୍ୟନ୍ତ ତା’ର ସଂଳାପ ଓଡ଼ିଆରେ ରହିଛି। ବିଶେଷକରି, କାହାଣୀଟିର ଏକ ଆବେଗପୂର୍ଣ୍ଣ ମୋଡ଼ରେ ମାଘମାସର ଅଗ୍ନି ପୂର୍ଣ୍ଣିମା ଦିନ ସୁନେଇ ଦେବଦାସୀ ରୂପେ ସମର୍ପିତା ହେବାପାଇଁ ଆୟୋଜନ ଚାଲିଥିବା ବେ‌େଳ ବ୍ୟବହୃତ ହୋଇଛି କବି ବନମାଳୀଙ୍କ ରଚିତ ଜନପ୍ରିୟ ଓଡ଼ିଆ ଭଜନ- ‘ତୋରେ ଶରଣ ଗଲିରେ ମୁରଲୀ, ଦିନେ ନ ଡାକିବୁ ରାଧିକା ବୋଲି’। ଗୀତଟିକୁ ପାରମ୍ପରିକ ଓଡ଼ିଶୀ ଶୈଳୀରେ ସ୍ପଷ୍ଟ ଓଡ଼ିଆରେ ଗାଇଛନ୍ତି ଯୁବ ମଲୟାଲୀ ଗାୟକ ପ୍ରଦୀପ ଚନ୍ଦ୍ରକୁମାର। ଏହା ଦୃଶ୍ୟଟିକୁ ଆବେଗସିକ୍ତ ଓ ଭାବଗମ୍ଭୀର କରି ଗଢ଼ି ତୋଳିଛି।

ଓଡ଼ିଶାର ପ୍ରାକୃତିକ ପରିବେଶକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରିବା ପାଇଁ ଏହାର ଅନେକାଂଶ ଚିତ୍ରଗ୍ରହଣ କଟକ ନିକଟବର୍ତ୍ତୀ ଏକ ଗ୍ରାମୀଣ ପରିବେଶରେ କରାଯାଇଥିଲା ବେଳେ ବାକି ଚିତ୍ରଗ୍ରହଣ ମହୀଶୂରରେ ହୋଇଥିଲା। ଏଥିପାଇଁ ସେଠାରେ ଓଡ଼ିଶାର ପରିବେଶ ସହ ଖାପଖାଇଲା ଭଳି ସେଟ୍ ନିର୍ମାଣ କରାଯାଇଥିଲା। ‘ଓଡ଼ିଶା’ ଚଳଚ୍ଚିତ୍ରରେ ସୁନେଇ ଭୂମିକାରେ ଚମତ୍କାର ଅଭିନୟ କରିଛନ୍ତି ପୂର୍ବରୁ ଶିଶୁ କଳାକାର ରୂପେ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ସାନିକା ନାମ୍ବିଆର। ନାୟକ ଭୂମିକାରେ ଅଛନ୍ତି ଜନପ୍ରିୟ ଅଭିନେତା ଉନ୍ନି ମୁକୁନ୍ଦନ୍। ଏଥିରେ କେହି ପ୍ରମୁଖ ଓଡ଼ିଆ ଅଭିନେତା ବା ଅଭିନେତ୍ରୀ  ନଥିଲେ ମଧ୍ୟ ବଙ୍ଗୀୟ ଅଭିନେତା ସଞ୍ଜୀବ ଚକ୍ରବର୍ତ୍ତୀ, ନିଜେଲ୍ ଆକାରା ପ୍ରମୁଖ ଅଭିନୟ କରିଛନ୍ତି।

ସିନେମାଟିର ଚିତ୍ରଗ୍ରହଣ, ଅଭିନୟ ଓ ନିର୍ଦ୍ଦେଶନା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ମାତ୍ର ଏହା ସେତେ ଭଲ ବ୍ୟବସାୟ କରିପାରି ନଥିଲା। କ‌ାରଣ ଚଳଚ୍ଚିତ୍ରଟି ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା ଏଥିରେ ଓଡ଼ିଆ ଓ ମଲୟାଲମ୍‌ ଉଭୟ ଭାଷାର ବ୍ୟବହାର। ଯଦିଓ କେରଳର ଦର୍ଶକଙ୍କ ସୁବିଧା ପାଇଁ ଓଡ଼ିଆ ସଂଳାପର ମଲୟାଲମ୍‌ ଭାଷାନ୍ତର ପରଦାରେ ଦିଆ ଯାଇଥିଲା, ସାଧାରଣ ଦର୍ଶକଙ୍କ ପାଇଁ ତାହା ସେତେ ସୁବିଧାଜନକ ହୋଇ ପାରି ନ ଥିଲା। ଓଡ଼ିଶାରେ ଏହି ଚଳଚ୍ଚିତ୍ରଟି ସମ୍ପର୍କରେ ପ୍ରାୟ ଚର୍ଚ୍ଚା ନାହିଁ। କାରଣ କିଛି ବିତରଣଜନିତ ସମସ୍ୟା ‌େଯାଗୁଁ ଏହା ଓଡ଼ିଶାରେ ମୁକ୍ତିଲାଭ କରିପାରିନଥିଲା। ତେବେ ଆଜିକୁ ୧୧ ବର୍ଷ ତଳେ ଜଣେ ପ୍ରମୁଖ ମଲୟାଲମ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ‘ଓଡ଼ିଶା’ ନାମରେ ଏକ ବ୍ୟାବସାୟିକ ଚଳଚ୍ଚିତ୍ର ନିର୍ମାଣ କରିବା ସହିତ ଏଥିରେ ଓଡ଼ିଶୀ ସଙ୍ଗୀତ ବ୍ୟବହାର କରିବା ଆମ ପାଇଁ ଗର୍ବର ବିଷୟ। ଚଳଚ୍ଚିତ୍ରଟି ଏବେ ୟୁଟ୍ୟୁବ୍‌ରେ ଉପଲବ୍ଧ।