ନୂଆ ମଞ୍ଚରେ ପୁରୁଣା ତାରକା

୨୦୨୨ ମସିହାରେ ବଲିଉଡ୍ ଜଗତ୍‌ର ଅନେକ ଲୋକପ୍ରିୟ ତାରକା ପ୍ରଥମ ଥର ପାଇଁ ଓଭର୍ ଦି ଟପ୍ ବା ଓଟିଟି ମଞ୍ଚରେ ପଦାର୍ପଣ କରିବାକୁ ଯାଉଛନ୍ତି। କିଛି ବର୍ଷ ତଳେ ଓଟିଟି ମଞ୍ଚର ଆଗମନ ବେଳେ ଏଥିରେ ଯୋଗ ଦେବାକୁ କୁଣ୍ଠା ପ୍ରକାଶ କରୁଥିବା ବଡ଼ପରଦାର ଅଭିନେତା ଓ ଅଭିନେତ୍ରୀମାନେ ଏବେ ୱେବ୍ ଧାରାବାହିକ ଓ ଚଳଚ୍ଚିତ୍ରର ସଫଳତା ଦେଖି ନିଜେ ନିଜେ ଆକର୍ଷିତ ହେବାରେ ଲାଗିଛନ୍ତି। ତେଣୁ ଏ ବର୍ଷ ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ଡିଜିଟାଲ୍ ମନୋରଂଜନ ଦୁନିଆରେ ପାଦ ରଖିବେ।

ଏହି ତାଲିକାରେ ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନାମ ପ୍ରଥମେ ଆସିବ। ମାଧୁରୀ ନେଟଫ୍ଲିକ୍‌ସର ‘ଫାଇଣ୍ଡିଙ୍ଗ୍ ଅନାମିକା’ ଧାରାବାହିକରେ ଦେଖାଦେବେ। ସେହିପରି ସୁପରଷ୍ଟାର୍ ଅଜୟ ଦେବଗନ ‘ରୁଦ୍ର- ଦି ରାଇଜ୍ ଅଫ୍‌ ଡାର୍କନେସ୍’ ଧାରାବାହିକ ମାଧ୍ୟମରେ ଦର୍ଶକଙ୍କୁ ଚକିତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଧାରାବାହିକଟି ହଟ୍ ଷ୍ଟାର୍‌ରେ ମୁକ୍ତିଲାଭ କରିବ। ଅପରପକ୍ଷେ ସୋନାକ୍ଷୀ ସିହ୍ନା ଆମାଜନ୍ ପ୍ରାଇମ୍ ମଞ୍ଚରେ ‘ଫଲେନ୍’ ଜରିଆରେ, ଜୁହି ଚାଵଲା ‘ହସ୍ ହସ୍’ ଜରିଆରେ ଓ ଅପାରଶକ୍ତି ଖୁରାନା ‘ଷ୍ଟାରଡଷ୍ଟ’ ଜରିଆରେ ଡିଜିଟାଲ୍ ମଞ୍ଚର ଦର୍ଶକଙ୍କ ମନ ଜିଣିବାକୁ ଚେଷ୍ଟା କରିବେ। ଆଦିତ୍ୟ ରାୟ କପୁର ‘ଦି ନାଇଟ୍ ମ୍ୟାନେଜର୍’ ନାମକ ଇଂରେଜୀ କାର୍ଯ୍ୟକ୍ରମର ହିନ୍ଦୀ ରିମେକ୍‌ର ମୁଖ୍ୟ ଭୂମିକାରେ ଦେଖା ଦେବେ। ଅଭିନେତା ଶାହିଦ କପୁର ମଧ୍ୟ ଏକ ଅନାମଧେୟ ଓଟିଟି କାର୍ଯ୍ୟକ୍ରମରେ ଅଭିନୟ କରିବାର ଯୋଜନା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ହେଲା କୋଭିଡ୍-୧୯ ଯୋଗୁଁ ପ୍ରେକ୍ଷାଳୟ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଓଟିଟି ମଞ୍ଚର କାର୍ଯ୍ୟକ୍ରମଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର