ଏମିତି ଅନେକ ସିନେମା ଅଛି, ଯେଉଁଥିରେ ନାୟିକାଙ୍କ ଭୂମିକା ଗୌଣ ହୋଇଥାଏ। କେଉଁଠି ନାୟିକାଙ୍କୁ ଗୋଟିଏ ଗୀତରେ ତ ପୁଣି କେଉଁଠି ଗୋଟିଏ ଦୁଇଟି ସିନ୍‌ରେ ଦେଖିବାକୁ ମିଳିଥାଏ। ସେମିତି କିଛି ଘଟିଛି ଜଣାଶୁଣା ନାୟିକା ସୂର୍ଯ୍ୟମୟୀଙ୍କ କ୍ଷେତ୍ରରେ। ଶୁଭଶ୍ରୀ ଫିଲ୍ମସ୍ ବ୍ୟାନର୍‌ରେ ନିର୍ମିତ ନୂଆ ଓଡ଼ିଆ ଛବି ‘ଜୟହିନ୍ଦ୍’ରେ ତାଙ୍କୁ ଦର୍ଶକ ଖୁବ୍‌ କମ୍‌ ସମୟ ଲାଗି ପରଦାରେ ଦେଖିବାକୁ ପାଇବେ। ଏହି ବଡ଼ ବଜେଟ୍‌ ଆକ୍ସନ୍‌ ଛବିରେ ନାୟକ ଆକାଶଙ୍କ ବିପକ୍ଷରେ ଅଛନ୍ତି ସୂର୍ଯ୍ୟମୟୀ। ତେବେ କାହାଣୀ ଗତିଶୀଳ ହେଉଥିବା ବେଳେ ଫ୍ଲାସ୍‌ବ୍ୟାକ୍‌ରେ ଦେଖା ଦେବେ ସୂର୍ଯ୍ୟମୟୀ।

Advertisment

‘ଜୟହିନ୍ଦ୍’ର ନିର୍ଦ୍ଦେଶନା ଦାୟିତ୍ବରେ ପୃଥ୍ବୀରାଜ ପଟ୍ଟନାୟକ ଥିବାବେଳେ ଏହାର ପ୍ରଥମ ସିଡ୍ୟୁଲ୍‌ ସୁଟିଂ କାଶ୍ମୀରରେ କରାଯାଇଥିଲା। ସେଠାରେ ଆକାଶ ଓ ସୂର୍ଯ୍ୟମୟୀଙ୍କ ଉପରେ କେତେକ ସିନ୍ ଓ ଗୋଟିଏ ଗୀତ ଚିତ୍ରାୟନ ହୋଇଥିଲା। କାଶ୍ମୀରର ଶ୍ରୀନଗର, ଡାଲ୍ ହ୍ରଦ, ଗୁଲ୍‌ମାର୍ଗ, ସୋନ୍‌ମାର୍ଗ ଭଳି ଆକର୍ଷଣୀୟ ଜାଗାରେ ‘ଜୟହିନ୍ଦ୍’ ସୁଟିଂ କରାଯାଇଥିଲା।

ତେବେ ଅଭିଷେକ ତ୍ରିପାଠୀ ‘ଜୟହିନ୍ଦ୍‌’ର ନିର୍ଦ୍ଦେଶନା ଭାର ନେବା ପରେ କାହାଣୀ ଓ ଚିତ୍ରନାଟ୍ୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ନିର୍ଦ୍ଦେଶକ ଓ ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ ଆକାଶ ଓ ସୂର୍ଯ୍ୟମୟୀଙ୍କ ଅଭିନୀତ ରୋମାଣ୍ଟିକ୍‌ ଦୃଶ୍ୟକୁ ଫ୍ଲାସ୍‌ବ୍ୟାକ୍‌ରେ ଦେଖାଇବା ଲାଗି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ କୁମାର, ବିଭାସ, ପ୍ରଲିପ୍ତା ଓ ଅନୁ ଚୌଧୁରୀ ପ୍ରମୁଖ ଅଭିନୟ କରିଛନ୍ତି।