ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ନିକିତାଙ୍କର ଶନିବାର କଟକଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ଛାତରୁ ପଡ଼ି ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ନିକିତାଙ୍କୁ ଓଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ ଆଖିତର ତାରା’ରେ ବ୍ରେକ୍‌ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକାଟି ଖୁବ୍‌ ସଂକ୍ଷିପ୍ତ ଥିଲା। ଏହାପରେ ତାଙ୍କୁ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି ମନ ଚୋରି’, ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ ଏବଂ ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ ଆଦି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନିୀତ ଶେଷ ସିନେମା ଥିଲା ‘ଗୁଣ୍ଡା’।

ସେ ‘ଏସିପି ନିକିତା’ ସମେତ ଅଳ୍ପ କେତୋଟି ଧାରାବାହିକରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ।

ଏ ସଂପର୍କରେ ଜାଣିବା ପାଇଁ ‘ସମ୍ବାଦ.ଇନ୍‌’ର ପ୍ରତିନିଧି ନିକିତାଙ୍କ ମାଆଙ୍କୁ ଯୋଗାଯୋଗ କରିଥିଲେ। ସେ ନିକିତାଙ୍କ ମୃତ୍ୟୁ ନେଇ ଅଧିକ କିଛି ତଥ୍ୟ ନଦେଇଥିଲେ ବି ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର