ଆଗରୁ ରୁପେଲି ପରଦାର କୁହୁକ ଦର୍ଶକମାନଙ୍କ ମନକୁ ମୋହୁଥିବା ବେଳେ ଏବେ ପରଦା ପଛରେ ଘଟୁଥିବା ବିବାଦ ଦର୍ଶକଙ୍କ ସାମ୍ନାକୁ ଆସି ସେମାନଙ୍କ ମନରେ ନକାରାତ୍ମକ ଭାବ ସୃଷ୍ଟି କରିଛି। ନାୟକ, ନିର୍ଦ୍ଦେଶକ, ପ୍ରଯୋଜକ, ବିତରକ- ସିନେମା ସହ ଜଡ଼ିତ ଅନେକ ଓଡ଼ିଆ ସିନେ-ବ୍ୟକ୍ତିତ୍ବ ପରସ୍ପରକୁ କାଦୁଅ ଫିଙ୍ଗି ରୁପେଲି ପରଦାକୁ ରଙ୍ଗହୀନ କରିବାରେ ଲାଗିଛନ୍ତି। ଦର୍ଶକ ପରଦାରେ ସିନେମା ଦେଖିବା ପୂର୍ବରୁ ପରଦା ପଛର ସିନେମା ତାଙ୍କୁ ଭାରାକ୍ରାନ୍ତ କରୁଛି। ବର୍ଷାଧିକ ଧରି ଚାଲିଥିବା ଓଡ଼ିଆ ସିନେଶିଳ୍ପର ବିବାଦ ଦିନକୁ ଦିନ ତେଜୁଛି ସିନା ଲିଭୁନାହିଁ। ରୁପେଲି ପରଦା ପଛର ନିଆଁକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...
ଉପସ୍ଥାପନା: ଶିବଶଙ୍କର ଓଝା
ବିବାଦ ପିଛା ଛାଡୁନି। ଆମ ଓଡ଼ିଆ ସିନେମା ପରିସରରେ ଗତ ବର୍ଷେ ହେବ ଭିନ୍ନ ଭିନ୍ନ କାରଣକୁ ନେଇ ଚାଲିଛି ବିବାଦ। ଆଉ ଏହି ବିବାଦ ସିନେମାକୁ ନେଇ ଯେତିକି ନୁହେଁ, ତା’ଠାରୁ ଢେର୍ ଅଧିକ ବ୍ୟକ୍ତିଗତ ସ୍ବାର୍ଥ ଓ ପାରସ୍ପରିକ ଅସୂୟାଜନିତ ବୋଲି କୁହାଯାଉଛି। କଥାରେ ଅଛି, ଶାଗଖିଆକୁ ପେଜଖିଆ ସହିପାରେନାହିଁ। ଠିକ୍ ସେହିଭଳି ଅବସ୍ଥା ଓଡ଼ିଆ ସିନେଶିଳ୍ପରେ ଦେଖାଦେଇଛି କହିଲେ ଭୁଲ୍ ହେବନାହିଁ। ବର୍ଷକୁ ୪୦-୪୫ଟି ଛବି ପ୍ରସ୍ତୁତ ହେଉଥିବା ବେଳେ ସେଥିରୁ ପ୍ରାୟ ସତୁରିଭାଗ କଷ୍ଟେମଷ୍ଟେ ସପ୍ତାହେ ପୂରଣ କରୁଛନ୍ତି। ବୋଝ ଉପରେ ନଳିତାବିଡ଼ା ପରି, ପାର୍ବଣ ଋତୁରେ ଓଡ଼ିଆ ସିନେମାକୁ ହଲ୍ ମିଳୁନାହିଁ। ମଲ୍ଟିପ୍ଲେକ୍ସରେ ଦିନକୁ ଗୋଟିଏ ସୋ’ରେ ବହୁ ସିନେମାକୁ ସନ୍ତୁଷ୍ଟ ହେବାକୁ ପଡୁଛି। ଏପରି ପ୍ରେକ୍ଷାପଟ୍ଟରେ ସିନେଶିଳ୍ପର ସଦସ୍ୟମାନେ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେବା ଶିଳ୍ପ ଲାଗି ଆଦୌ ଶୁଭଙ୍କର ମନେ ହେଉନାହିଁ। ଗତବର୍ଷ ‘ମାଇଣ୍ଡ୍ ଗେମ୍’ ରିଲିଜ୍ ଠାରୁ ଆରମ୍ଭ ହୋଇଥିବା ବିବାଦ ଓ ଆକ୍ଷେପ-ପ୍ରତିଆକ୍ଷେପ ଗତ ସପ୍ତାହରେ ରିଲିଜ୍ ହୋଇଥିବା ‘ଆଇ ଲଭ୍ ୟୁ ୨’ ପର୍ଯ୍ୟନ୍ତ ଜାରି ରହିଛି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ବାଦବିବାଦକୁ ନେଇ ଚାଲିଥିବା ଅରୁଚିକର ବାକ୍ଯୁଦ୍ଧକୁ ନେଇ ଭିଡିଓର ଭିଡ଼ କାହିଁରେ କ’ଣ! ଯେଉଁମାନେ ବିବାଦରେ ପକ୍ଷଭୁକ୍ତ ସେମାନଙ୍କ କଥା ଅଲଗା। କିନ୍ତୁ ଓଡ଼ିଆ ସିନେମାର ସଶ୍ରଦ୍ଧ ଦର୍ଶକ ଓ ସମର୍ଥକଙ୍କୁ ସିନେଶିଳ୍ପ ସହିତ ଜଡ଼ିତ ବ୍ୟକ୍ତିବିଶେଷ ପରସ୍ପରର ବସ୍ତ୍ରହରଣ କରିବା ପ୍ରତିଯୋଗିତା ଆଦୌ ଭଲ ଲାଗୁନାହିଁ। ଅନେକଙ୍କ ମୁହଁରୁ ଶୁଣିବାକୁ ମିଳୁଛି- ଏମାନେ କ’ଣ ଏମିତି ହଉଛନ୍ତି! ବର୍ତ୍ତମାନ ଓଡ଼ିଆ ସିନେମା ମୁମୂର୍ଷୁ ଅବସ୍ଥାରୁ ବାହାରି ଭଲ ଭଲ ସିନେମା ପ୍ରସ୍ତୁତ କରି ଅଣ୍ଟାସଳଖି ଉଠିବାକୁ ଉଦ୍ୟମ କରୁଥିବା ବେଳେ ବ୍ୟକ୍ତିଗତ ବିବାଦ, ଗୋଷ୍ଠୀ ବିବାଦ ଓ ଆଞ୍ଚଳିକ ବିବାଦ ଏହି ରାସ୍ତାରେ କଣ୍ଟା ସାଜିଛି। ଏହା କେତେଦୂର ସ୍ପୃହଣୀୟ, ତାହା ଚଳଚ୍ଚିତ୍ର ବିରାଦରୀ ଏକାଠି ହୋଇ ଆଲୋଚନା କରିବା ଉଚିତ। କଥାରେ ଅଛି-ଆଲୋ ସଖୀ ଆପଣା ମହତ ଆପେ ରଖି।
ଗତସପ୍ତାହରେ ‘ଆଇ ଲଭ୍ ୟୁ ୨’ର ରିଲିଜ୍ ପରେ ଏହି ସିନେମା ଓ ଏହାର ପ୍ରଯୋଜକଙ୍କୁ ନେଇ ଯେଉଁ ବୟାନବାଜି ଚାଲିଛି ଏବଂ ସିନେମା ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଏକ ମତ ତିଆରି କରିବାର କସରତ ଚାଲିଛି। ପ୍ରାୟ ବର୍ଷକ ତଳେ ଏହାର ବୀଜବପନ ହୋଇଥିଲା। ୨୦୨୩ରେ ମନୋଜ ମିଶ୍ରଙ୍କ ଅଭିନୀତ ଛବି ‘ମାଇଣ୍ଡ୍ ଗେମ୍’ ପ୍ରଦର୍ଶନକୁ ନେଇ ଯେଉଁ ବଡ଼ ବିବାଦ ସୃଷ୍ଟି ହୋଇଥିଲା ଏବଂ ସେଥିରେ ‘ଆଇ ଲଭ୍ ୟୁ ୨’ର ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କ ଆଚରଣ ଓ ଉଚ୍ଚାରଣ ମନୋଜ ମିଶ୍ର ଓ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ବିରୋଧରେ ଯାଇଥିଲା। ତେଣୁ ଟୁଟୁଙ୍କ ଚଳଚ୍ଚିତ୍ର ରିଲିଜ୍ ହେବା ପରେ ମନୋଜ ମିଶ୍ର କଟୁ ଭାଷାରେ ସିନେମାକୁ ସମାଲୋଚନା କରିବା ସ୍ବାଭାବିକ। ପୁଣି ଏହି ପରିସ୍ଥିତିରେ ଟୁଟୁ ନାୟକଙ୍କ ଦୁଇ ଭାଇ ତାଙ୍କର ପାରିବାରିକ ବ୍ୟାନରକୁ କୌଣସି ମତେ ‘ଆଇ ଲଭ୍ ୟୁ ୨’ର ପ୍ରଯୋଜକ ବ୍ୟବହାର କରିପାରିବେ ନାହିଁ ବୋଲି ଅଦାଲତୀ ନିର୍ଦ୍ଦେଶ ଜାରିହେବା ନିଆଁରେ ଘିଅ ଢାଳିବା ସଦୃଶ ହୋଇଥିଲା। ଏହି ବୟାନବାଜି ଭିତରେ ପରୋକ୍ଷ ଭାବେ ଯୋଡ଼ି ହୋଇଗଲେ ମନୋଜ ମିଶ୍ରଙ୍କ ଦ୍ବିତୀୟ ପତ୍ନୀ। ତା’ପରେ ବିଭିନ୍ନ ୟୁଟ୍ୟୁବ୍ ଚାନେଲ୍ରେ ମନୋଜଙ୍କ ଦ୍ବିତୀୟ ବିବାହ ଓ ପତ୍ନୀ ମମତାଙ୍କ ସଂପର୍କରେ ଖବର ପ୍ରସାରିତ ହେଲା। ମାତ୍ର ଏହାକୁ ବ୍ୟକ୍ତିଗତ ଆକ୍ଷେପ ଓ କୁତ୍ସାରଟନା ଦର୍ଶାଇ ମନୋଜ ମିଶ୍ର ସାଇବର୍ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମୋଟାମୋଟି, ଚଳଚ୍ଚିତ୍ରକୁ ନେଇ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ ବ୍ୟକ୍ତିଗତସ୍ତରକୁ ଖସି ଆସିଛି କହିଲେ ଆଦୌ ଭୁଲ୍ ହେବନାହିଁ।
ପାଖାପାଖି ବର୍ଷେ ହେଲାଣି ଯେଉଁଭଳି ବିବଦମାନ ସ୍ଥିତି ଓଲିଉଡ୍ରେ ଦେଖାଦେଇଛି, ଅତୀତରେ ସେଭଳି ପରିସ୍ଥିତି କେବେ ବି ଦେଖିବାକୁ ମିଳି ନ ଥିଲା। ଆସନ୍ତୁ ମନେପକାଇବା କେଉଁ ପରିସ୍ଥିତିରେ ଆରମ୍ଭ ହୋଇଥିଲା ଏହି ବିବାଦ। ଗତବର୍ଷ ଅକ୍ଟୋବର ୬ ତାରିଖରେ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ବଡ଼ ବଜେଟ୍ର ବହୁଭାଷୀ ଚଳଚ୍ଚିତ୍ର ‘ମାଇଣ୍ଡଗେମ୍’ର ଓଡ଼ିଆ ଓ ସମ୍ବଲପୁରୀ ଭର୍ସନ୍ ପୂରା ଓଡ଼ିଶାରେ ମୁକ୍ତିଲାଭ କରିଥିଲା। ଏହି ସିନେମା ଠିକ୍ଠାକ୍ ଚାଲିଥିଲା ବେଳେ ଦଶହରା ଅବସରରେ ଅକ୍ଟୋବର ୨୦ ତାରିଖରେ ଅରିନ୍ଦମ୍ ରାୟଙ୍କ ବଡ଼ ବଜେଟର ଛବି ‘ରାମ୍’ ରିଲିଜ୍ ହେଲା। ଏହାପରେ ‘ରାମ୍’ ଓ ‘ମାଇଣ୍ଡଗେମ୍’ର ସିନେମା ହଲ୍ ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଥିଲା। ଅରିନ୍ଦମ୍ ଅଭିଯୋଗ ଆଣିଥିଲେ ଯେ ସମ୍ବଲପୁରର ଏକ ପ୍ରେକ୍ଷାଳୟରେ ତାଙ୍କ ସିନେମା ‘ରାମ୍’କୁ ବିରୋଧ କରାଯାଉଛି। ଏହାର ରିଲିଜ୍କୁ ଅଟକା ଯାଇଛି।
ତେଣେ ‘ମାଇଣ୍ଡଗେମ୍’କୁ ଜୋର୍କରି ହଲ୍ରୁ ଓହ୍ଲାଇ ଦିଆଯାଉଥିବାର ଅଭିଯୋଗ ବି କରିଥିଲେ ଏହାର ପ୍ରମୁଖ କଳାକାର ମନୋଜ ମିଶ୍ର।
ଏଇଠାରୁ ଆରମ୍ଭ ହୋଇଥିବା ବିବାଦଟି ବିଶାଳ ଆକାର ଧାରଣ କରିଥିଲା। ତା’ପରେ ଏହି ବିବାଦ ପୂର୍ବ-ପଶ୍ଚିମ ଓଡ଼ିଶା ମଧ୍ୟରେ ଲକ୍ଷ୍ମଣରେଖା ସଦୃଶ ଉଭା ହେଲା। ପୁଣି ଦୁଇଭାଗ ହୋଇଥିବା ଓଡ଼ିଶା ସିନେପ୍ରଯୋଜକ ସଂଘର ଗୋଟିଏ ଭାଗର ନେତୃତ୍ବ ନେଉଥିବା ଟୁଟୁ ନାୟକ ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମରୁ ବ୍ୟାନ୍ କରିବା କଥା ଘୋଷଣା କଲେ। ଜଣେ କଳାକାରକୁ ପ୍ରଯୋଜକ ସଂଘ ବ୍ୟାନ୍ କରିବା ଭଳି ଘଟଣା ଆଗରୁ ଦେଖିବାକୁ ମିଳି ନଥିଲା। ଫଳରେ ଏହି ବିବାଦକୁ ନେଇ ମନୋଜ ମିଶ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିବା ସ୍ବାଭାବିକ ଥିଲା। ଏହାକୁ ନେଇ ଅନେକ ଅଚର୍ଚ୍ଚିତ ସିନେବ୍ୟକ୍ତିତ୍ବ ମଧ୍ୟ ସେ ସମୟରେ ନିଅଁାରେ ଘିଅ ଢାଳିବାର ପ୍ରଚେଷ୍ଟା କରିଥିଲେ। କ୍ରମଶଃ ଘଟଣାଟି ସିନେମା ରିଲିଜ୍ ଭଳି ମୁଖ୍ୟ ପ୍ରସଙ୍ଗଠୁ ଦୂରେଇ ଯାଇ ବ୍ୟକ୍ତିଗତ କଳି (ଆରୋପ, ଅାକ୍ଷେପ, ପ୍ରତ୍ୟାରୋପ)ରେ ପରିଣତ ହେଲା। ପରେ ଏହି ବିବାଦରେ ବଡ଼ ବଡ଼ ଚେହେରା ବି ନିଜକୁ ସାମିଲ କରିବାକୁ ପଛାଇଲେନି। ରାଜନୈତିକ ନେତା ବି ଏଥିରେ ସାମିଲ୍ ହେଲେ। ଓଡ଼ିଶାକୁ ଦୁଇ ଭାଗ କରିଦେବା ପ୍ରସଙ୍ଗ ବି ଉଠିଲା। ସେତେବେଳେ ଅବଶ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ମଧ୍ୟସ୍ଥତାରେ ମନୋଜ ମିଶ୍ରଙ୍କ ପ୍ରସଙ୍ଗର ସମାଧାନ ପାଇଁ ଉଦ୍ୟମ ହୋଇଥିଲା, ମାତ୍ର ତାହା ଫଳପ୍ରସୂ ହୋଇ ନ ଥିଲା।
ବିବାଦଟି ପାଉଁଶ ତଳର ନିଆଁ ଭଳି ରହିଯାଇଥିଲା, ଯାହା ଏବେ ପୁଣି ଜଳିଉଠିଛି। ତେବେ ଏହି ପ୍ରସଙ୍ଗରେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଓଡ଼ିଶା ସିନେଶିଳ୍ପର ସୁପରିଚିତ ବ୍ୟକ୍ତିତ୍ବ ‘ବର୍ତ୍ତମାନ ଆମ ଇଣ୍ଡଷ୍ଟ୍ରିରେ ଧୂଆଁ ଅଧିକ ନିଆଁ କମ୍’ ବୋଲି ମନ୍ତବ୍ୟ ରଖିଛନ୍ତି। ତେଣେ ୨୦୨୩ ଦଶହରା ପରେ ନବାଗତା ପ୍ରଯୋଜିକା ସାନ୍ଲିସା ପଟେଲ୍ ତାଙ୍କର ବିଗ୍ ବଜେଟ୍ ସିନେମା ‘ପ୍ରଥା’ ରିଲିଜ୍ କଲେ। ଫିଲ୍ମର ପ୍ରିମିଅର୍ ତ ହୋଇଯାଇଥିଲା, ହେଲେ ପରେ ପ୍ରଦର୍ଶନ କରାଇ ଦିଆଯାଇ ନ ଥିବାର ଅଭିଯୋଗ ଆସିଲା। ଏପରିକି ନିର୍ମାତ୍ରୀଙ୍କର ନିଜ ସହର ଝାରସୁଗୁଡ଼ାରେ ମଧ୍ୟ ଏହାର ପ୍ରଦର୍ଶନକୁ ବିରୋଧ କରାଯାଇଥିଲା। ସେେତବେଳେ ଓଡ଼ିଶାର ପଶ୍ଚିମାଞ୍ଚଳରେ ସଂଗଠିତ ଭାବେ ଓଡ଼ିଆ ସିନେମାକୁ ବିରୋଧ ଆରମ୍ଭ ହୋଇଯାଇଥିବା ଭଳି ଅନୁମେୟ ହୋଇଥିଲା। ଫଳରେ ସିନେମା ବ୍ୟବସାୟ ସଂପର୍କିତ ବିବାଦ ଆଞ୍ଚଳିକତାବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ତେଜିଥିଲା। ‘ପ୍ରଥା’ ପ୍ରତି ଏଭଳି ଆଚରଣକୁ ବିରୋଧ କରି ସାନ୍ଲିସା ପଟେଲ୍ ଭୁବନେଶ୍ବରରେ ଧାରଣା ଦେଇଥିଲେ। ତାଙ୍କର ଏଇ ଗଣତାନ୍ତ୍ରିକ ଶୈଳୀର ପ୍ରତିବାଦକୁ ବହୁ ସିନେବ୍ୟକ୍ତିତ୍ବ ସମର୍ଥନ କରିଥିଲେ ଏବଂ ଧାରଣାସ୍ଥଳରେ ପହଞ୍ଚି ସାନ୍ଲିସାଙ୍କ ସହ ସାମିଲ ହୋଇଥିଲେ। ଇତିମଧ୍ୟରେ ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରେ କାମ ନ ଦେବା ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଆଉ ଏକ ବିବାଦକୁ ଜନ୍ମ ଦେଇଥିଲା। ଅବଶ୍ୟ ‘ମାଇଣ୍ଡଗେମ୍’ର ପ୍ରଯୋଜକ ଶ୍ରୀଧର ମାର୍ଥା (ଯିଏକି ପ୍ରଯୋଜକ ସଂଘର ଜଣେ ବରିଷ୍ଠ ସଦସ୍ୟ) ଏହାକୁ ବିରୋଧ କରିଥିଲେ। କିନ୍ତୁ ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନ ଥିଲା।
ତେଣେ ମନୋଜଙ୍କ ଉପରୁ ବ୍ୟାନ୍ ହଟାଇବା ପାଇଁ କେତେକ କଳାକାର ମଧ୍ୟ ପରେ ଇଚ୍ଛା ପ୍ରକାଶ କରି ସାମ୍ନାକୁ ଆସିଥିଲେ। କିନ୍ତୁ ତା’ପରେ ଓଡ଼ିଶାର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ଭାଗ ଭାଗ ହୋଇଯିବ ବୋଲି ମଧ୍ୟ ଚେତାବନୀ ଶୁଣିବାକୁ ମିଳିଥିଲା। ସୋସିଆଲ୍ ମିଡିଆରେ ଏହି ଘଟଣାର ଢେର୍ ପ୍ରଚାରପ୍ରସାର ହୋଇଥିଲା। ଏହି ବିବାଦ ମନୋଜ ମିଶ୍ରଙ୍କୁ ସକ୍ରିୟ ରାଜନୀତିକୁ ଆଣିଥିଲା। ତାଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ସାଂସଦ ପ୍ରାର୍ଥୀ କରିଥିଲା, ଅବଶ୍ୟ େସ ପରାଜିତ ହୋଇଥିଲେ। ଏହା ଆଗରୁ ଆଉ ଏକ ବଡ଼ ବିବାଦ ମଧ୍ୟ ସାମ୍ନାକୁ ଆସିଥିଲା। ଓଡ଼ିଆ ସିନେମା ପ୍ରଯୋଜକଙ୍କ ପୁରାତନ ସଂଘ ଉତ୍କଳ ସିନେ ଚାମ୍ବର୍ ଅଫ୍ କମର୍ସର ସଭାପତି ଯୁଗଳକିଶୋର ଦେବତାଙ୍କ ଉପସ୍ଥିତିରେ କେତେକ ସଦସ୍ୟ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବା ବେଳେ ଆଉ କେତେଜଣ ପ୍ରଯୋଜକ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ସେମାନେ ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ବନ୍ଦ କରିବାକୁ ଏବଂ ସେମାନଙ୍କ ସଂଘ ପ୍ରକୃତ ପ୍ରଯୋଜକ ସଂଘ ବୋଲି ଦାବି କରିଥିଲେ। ଏହାଛଡ଼ା, ଅପର ଗୋଷ୍ଠୀ ସଂଘର ନିର୍ବାଚନ ଠିକ୍ ଭାବେ ହୋଇ ନଥିବା ଏବଂ ଅର୍ଥ ହେର୍ଫେର୍ ଭଳି ଅଭିଯୋଗ ବି ଆଣିଥିଲେ। ଏ ଘଟଣା ପୁଲିସ ଉପସ୍ଥିତିରେ ଘଟିଥିଲା। ଏହା ସ୍ପଷ୍ଟ କରିଥିଲା ଯେ ଓଡ଼ିଆ ସିନେଶିଳ୍ପର ପ୍ରଯୋଜକଙ୍କ ଭିତରେ ତୀବ୍ର ଗୋଷ୍ଠୀବିବାଦ ରହିଛି।
ପୁଣି ଅନେକ ସମୟରେ ଓଲିଉଡ୍ରେ କାଷ୍ଟିଂକାଉଚ୍ ଓ ମି’ଠୁ ଭଳି ଅଭିଯୋଗକୁ ନେଇ କେତେଥର ଝଡ଼ ଉଠିଛି। ନିକଟ ଅତୀତରେ ଏକ ଗ୍ରୁପ୍ର ଚାଟିଂକୁ ସୋସିଆଲ୍ ମିଡିଆରେ ସେଆର୍ କରାଯିବା ପରେ ଘଟଣା ଉଗ୍ରରୂପ ନେଇଥିଲା ଏବଂ ତାହା ଏକ ବଡ଼ ବିବାଦର ରୂପ ନେଇଥିଲା। ଏଥିସହ ଜଣେ ଜଣାଶୁଣା ଅଭିନେତ୍ରୀ ଅନ୍ୟ ଜଣେ ଅଳ୍ପଜଣା ନିର୍ଦ୍ଦେଶକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପରେ ସେଇ ପ୍ରକରଣକୁ ନେଇ ଅପଚର୍ଚ୍ଚା ହୋଇଥିଲା। ଏଣେ ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ତାଙ୍କ ପରବର୍ତ୍ତୀ ସିନେମାରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ନାୟକ ଭୂମିକାରେ ନେଇଥିବା ହେତୁ ତାକୁ ନେଇ ବରିଷ୍ଠ ଅଭିନେତା ମନୋଜ ମିଶ୍ର ପୁଣି ପଶ୍ଚିମାଞ୍ଚଳର ଦ୍ବାହି ଦେଇ ସବ୍ୟଦା’ଙ୍କୁ ଟାର୍ଗେଟ୍ କରିଥିଲେ, ଯାହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି। ଏହା ଆଉ ଏକ ନୂଆ ବିବାଦକୁ ଜନ୍ମ ଦେଲାଣି।
ମଝିରେ ଏହି ବିବାଦ ଟିକେ ଶିଥିଳ ହୋଇଆସିଥିଲା। ହେଲେ ପୁଣି ବିବାଦର ନିଅଁା ଜଳି ଉଠିଛି। ଓଡ଼ିଆ ସିନେମାରେ ଯେ ଅତୀତରେ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା, ସେଭଳି ଭାବିବା ଠିକ୍ ନୁହେଁ। ଅତୀତରେ ଓଡ଼ିଆ ସିନେଜଗତରେ ବି ମତାନ୍ତର, ମନାନ୍ତର, ବ୍ୟାବସାୟିକ ବିବାଦ ଆଦି ହୋଇଥିଲା। ହେଲେ ସେ ସମୟରେ ଓଲିଉଡ୍ରେ ଭାଇଚାରା ଥିଲା, ସୁସ୍ଥ ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବିତା ଥିଲା। ବୋଧହୁଏ ଏହି କାରଣରୁ ବିବାଦର ସମାଧାନ ପାରସ୍ପରିକ ବୁଝାମଣା ଭିତ୍ତିରେ ହୋଇଯାଉଥିଲା। ଏବେ କିନ୍ତୁ ସମୟ ବଦଳିବା ସହିତ ସିନେ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଠାରୁ ବିତରକଙ୍କଯାଏଁ ଅଧିକାଂଶଙ୍କର କାମ କରିବା ତରିକା ଓ ମନୋଭାବରେ ଢେର୍ ପରିବର୍ତ୍ତନ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଅପେକ୍ଷାକୃତ କମ୍ ପରିଚିତ ସେଲିବ୍ରିଟି ବି ବିବାଦରେ ମୁଣ୍ଡ ପୂରାଇ ବିବାଦକୁ ତେଜୁଛନ୍ତି। ଏହି କାରଣରୁ ସିନେଜଗତ ସହ ଜଡ଼ିତ ବ୍ୟକ୍ତିମାନେ ଅଯଥା ସମାଲୋଚିତ ହେଉଛନ୍ତି, ଲୋକେ ଏଭଳି ବିବାଦର ମଜା ଉଠାଉଛନ୍ତି। ଏହି କଳି ଯେତେ ବଢୁଛି, ଗୋଷ୍ଠୀ ବିବାଦ ବି ସେତେ ତେଜୁଛି। ଓଡ଼ିଆ ସିନେଶିଳ୍ପରେ ବିଭିନ୍ନ ସମସ୍ୟା ରହିଛି। ପ୍ରଯୋଜକମାନେ କିପରି ପୁଞ୍ଜି ଫେରିପାଇବେ, ପ୍ରେକ୍ଷାଳୟ ମାଲିକ, ବିତରକ ଓ ବୁକିଂ ଏଜେଣ୍ଟମାନଙ୍କୁ ଏକାଠି କରି ଓଡ଼ିଆ ସିନେମା କିପରି ରିଲିଜ୍ ହେବ, ପାତରଅନ୍ତର ନ କରି ବୁଝାମଣାଭିତ୍ତିରେ ସମସ୍ତେ ଫିଲ୍ମକୁ ରିଲିଜ୍ କରିପାରିବେ, ପ୍ରେକ୍ଷାଳୟ ସଂଖ୍ୟା କିପରି ବୃଦ୍ଧି ପାଇବ, କଳାକାର ଓ ଟେକ୍ନିସିଆନ୍ମାନେ କିପରି ଉପକୃତ ହେବେ ଇତ୍ୟାଦି ଅନେକ ପ୍ରସଙ୍ଗ ରହିଛି। ସମସ୍ତେ ଏକାଠି ହୋଇ ଏ ବିଷୟରେ ଚିନ୍ତା କଲେ ଓଲିଉଡ୍ ପାଇଁ ତାହା ଶୁଭଙ୍କର ହେବ ବୋଲି କୁହାଯାଇପାରେ।