ରେଞ୍ଜ୍ରୟାଲ୍ ସିନେଲ୍ୟାବ୍ ବ୍ୟାନର୍ର ଦ୍ୱିତୀୟ ଫିଲ୍ମ ‘ଯୋଗୀ’ର ଶୀର୍ଷକ ନିଆରା ଲାଗୁଛି ନିଶ୍ଚୟ। ଏହାର କାହାଣୀ ବି ସେମିତି ନିଆରା। ଏ ଫିଲ୍ମର କେନ୍ଦ୍ରରେ ଅଛି ଜଣେ ସ୍ୱାଧୀନତା ସଂଗ୍ରାମୀ। ତା’ର ସ୍ୱପ୍ନ ଓ ସଂଗ୍ରାମ ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟର ପ୍ରତିଷ୍ଠା। କିନ୍ତୁ ସେପଟେ ଜନସେବକ ବା ଗାନ୍ଧିବାଦୀର ମୁଖା ପିନ୍ଧି କିଛି ଛଦ୍ମବେଶୀ ଜନତାଙ୍କୁ ଲୁଟ୍ କରିବାରେ ଲାଗିଛନ୍ତି। ପରିସ୍ଥିତି କିନ୍ତୁ ନାଟକୀୟ ରୂପ ଧାରଣ କରିଛି। ଜଣେ ଯୋଗୀ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଇଏ ସଂପୂର୍ଣ୍ଣ କାହାଣୀର କିଛି ସୂଚନା ମାତ୍ର।
‘ଯୋଗୀ’ର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିରଞ୍ଜନ ବେହେରା। ସଂଳାପ ଦାୟିତ୍ୱ ଡକ୍ଟର ରଜନୀ ରଞ୍ଜନ ତୁଲାଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର। ‘ଯୋଗୀ’ରେ ଆପଣ ଏକ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ- ଆଭିଏନ୍ ଓ ନିକିତା।
ମୁମ୍ବାଇରେ ରହୁଥିବା ଓଡ଼ିଆ ଆଭିଏନ୍ ଅନେକ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ସହନିର୍ଦ୍ଦେଶକ ଭାବେ କାମ କରିଛନ୍ତି। କିଛିଟା ମଡେଲିଂ କରିଛନ୍ତି ଏବଂ ହିନ୍ଦି ମ୍ୟୁଜିକ୍ ଆଲ୍ବମ୍ରେ ଅଭିନୟ କରିଛନ୍ତି। ଅବଶ୍ୟ ‘ଯୋଗୀ’କୁ ନିକିତାଙ୍କର ପ୍ରଥମ ଫିଲ୍ମ କୁହାଯିବ ନାହିଁ। କାରଣ ସେ ପୂର୍ବରୁ ଅନେକ ଓଡ଼ିଆ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରି ସାରିଛନ୍ତି। କିଛି ମଞ୍ଚ ନାଟକରେ ମଧ୍ୟ ଅଭିନୟ କରିବାର ଅଭିଜ୍ଞତା ରହିଛି ତାଙ୍କର। ମୁଖ୍ୟ ନାୟିକା ଭାବେ ‘ଯୋଗୀ’ ତାଙ୍କର ପ୍ରଥମ ଫିଲ୍ମ। ନିକିତା ବର୍ତ୍ତମାନ ପ୍ଲସ୍ ଥ୍ରିର ଛାତ୍ରୀ।
‘ଯୋଗୀ’ରେ ଆଭିଏନ୍ ଓ ନିକିତାଙ୍କ ସହିତ ଗୋଟିଏ ଲମ୍ବା ଷ୍ଟାର୍ କାଷ୍ଟ୍ ଅଛି, ଯାହା ଭିତରେ ଅଛନ୍ତି- ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ହର ରଥ, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ଚକ୍ରଧର ଜେନା, ରବି ମିଶ୍ର, ହାଡୁ, ଥିନ୍, ସୁମନ୍ ଓ ପ୍ରଜ୍ଞା ପ୍ରମୁଖ। ଫିଲ୍ମର ଷାଠିଏ ଭାଗରୁ ଅଧିକ ସୁଟିଂ ଶେଷ ହୋଇ ଗଲାଣି।