ଭୁବନେଶ୍ୱର: ଓଲିଉଡରେ ଏମିତି ଅନେକ କଳାକାର ଅଳ୍ପ ସମୟ ଭିତରେ ନିଜର ପ୍ରତିଭା ବଳରେ ଦର୍ଶକଙ୍କ ନିକଟତର ହୋଇଥାନ୍ତି। ଏମିତି ଜଣେ ଜଣେ ଖ୍ୟାତନାମା ଅଭିନେତା-ନିର୍ଦ୍ଦେଶକଙ୍କୁ ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ସେ ପରଦା ଉପରେ ଯେମିତ ଦମଦାର୍ ଖଳନାୟିକୀ ଦେଖାଇଥିଲେ ଠିକ୍ ସେମିତି ପରଦା ପଛରେ ରହି ଅନେକ ହିଟ୍ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏବେ ଆପଣମାନେ ଜାଣିସାରିବେଣି ଯେ ଏହି ସିନେ ବ୍ୟକ୍ତିତ୍ୱ ଜଣକ ହେଲେ ହର ପଟ୍ଟନାୟକ । ସେ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନାସଂସାର’ରୁ ସିନେ ଜଗତରେ ପ୍ରବେଶ କରିଥିଲେ । ତେବେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଠିକ୍ ସେହିପରି ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ଜୋର ଯାର ମୁଲକ ତାର’ରେ ଚମକପ୍ରଦ ଅଭିନୟ କରିବା ପରେ ଓଲିଉଡରେ ଜଣେ ନାମୀ ଖଳନାୟକ ବନିଥିଲେ ହର ପଟ୍ଟନାୟକ ।ଏହାପରେ ସେ ଅନେକ ଓଡ଼ିଆ ଛବିରେ ଅଭିନୟ କରିଥିଲେ। ସେ ଅଧିକାଂଶ ଛବିରେ ଖଳନାୟକ ବନିଥିଲେ ମାତ୍ର କେତୋଟିରେ ପଜିଟିଭ୍ ରୋଲ ବି କରିଥିଲେ।
ତେବେ ଆପଣ କ’ଣ ଜାଣନ୍ତି ଯେ ହର ପଟ୍ଟନାୟକ କେବଳ ଗୋଟିଏ ଓଡ଼ିଆ ସିନେମାର ପ୍ରଯୋଜନା କରିଥିଲେ । ଅବଶ୍ୟ ହର ଏହାର ଏକକ ପ୍ରଯୋଜକ ନ ଥିଲେ । ସେ ପ୍ରଖ୍ୟାତ ପ୍ରଯୋଜିକା ଶୈଳବାଳା ଲେଙ୍କାଙ୍କ ସହ ମିଶି ଯେଉଁ ସିନେମା ତିଆରି କରିଥିଲେ ତାହା ହେଲା ‘ସାଥୀରେ’ । ଏହାର କାହାଣୀ,ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ବି ବହନ କରିଥିଲେ ନିଜେ ହର ପଟ୍ଟନାୟକ । ଏଥିରେ ଅନୁଭବ,ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ,ଦୀପକ ପରିଡା,ମଧୁମିତା, ରୁନୁ,ଅନୀତା ଦାସ ,ପ୍ରଦ୍ୟୁମ୍ନ ଲେଙ୍କା ,ହର ପଟ୍ଟନାୟକ ଏବଂ କାନ୍ତା ସିଂହ ପ୍ରମୁଖ ଅଭିନୟ କରିଥିଲେ । ୨୦୦୪ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ମନ୍ମଥ ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଡ଼ ସୁବୋଧ ପଟ୍ଟନାୟକ ସଂଳାପ ଲେଖିଥିଲେ ।