ଓଡ଼ିଆ ସିନେଜଗତର ଦୁଇ ଦିଗ୍‌ଗଜ ବ୍ୟକ୍ତିତ୍ବ ହେଲେ ମହମ୍ମଦ ମହସୀନ୍ ଓ ଅକ୍ଷୟ ମହାନ୍ତି। ଜଣେ ଖ୍ୟାତନାମା ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ଅଭିନେତା ଏବଂ ଅନ୍ୟ ଜଣେ ଗାୟକ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା। ଉଭୟଙ୍କ ଭିତରେ ସଂପର୍କ ଏତେ ନିବିଡ଼ ଥିଲା ଯେ ଦୁହେଁ ଡକାଡକି ହୋଇ ଚାଲିଯାଇଥିଲେ ପରପାରିକୁ। ହଁ, ସଂଗୀତ ଜଗତର ବାଦ୍‌ଶାହ ଅକ୍ଷୟ ମହାନ୍ତିଙ୍କ ପରଲୋକର ମାତ୍ର ଦେଢ଼ମାସ ଭିତରେ ମହମ୍ମଦ ମହସୀନ୍‌ଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା।

Advertisment

ମହମ୍ମଦ ମହସୀନ୍ ଅକ୍ଷୟ ମହାନ୍ତିଙ୍କ ସଂଗୀତ ଦ୍ବାରା ଏତେ ପ୍ରଭାବିତ ଥିଲେ ଯେ ସେ ତାଙ୍କ ନିର୍ଦ୍ଦେଶିତ ୧୬ଟି ଓଡ଼ିଆ ଛବି ମଧ୍ୟରୁ ୧୧ଟିରେ ଖୋକାଭାଇଙ୍କୁ ଗାୟକ/ଗୀତିକାର/ସଂଗୀତକାର ଭାବେ ନେଇଥିଲେ। ମହସୀନ୍‌ଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ଫୁଲଚନ୍ଦନ’ (୧୯୮୨)ରେ ସରୋଜ ପଟ୍ଟନାୟକ ସ୍ବର ସଂଯୋଜନା କରିଥିଲେ ହେଁ ଅକ୍ଷୟ ମହାନ୍ତି ଏଥିରେ କଣ୍ଠଦାନ କରିଥିଲେ। ଏଥିରେ ଅକ୍ଷୟ ଗାଇଥିବା ‘ତୋ’ ବିନା ଲାଗେନା ଭଲ କିଛି...’, ‘ଏଇ ଯେ ବନଲତା ପାହାଡ଼...’ ଓ ‘ଏ ମନକୁ ଭୁଲାଇ ରଖିଥିଲି ସଜାଇ...’ ଆଜି ବି ଶ୍ରୋତାଙ୍କ ମନରେ ଶିହରଣ ସୃଷ୍ଟି କରେ। କେବଳ ସେତିକି ନୁହେଁ, ‘ଫୁଲଚନ୍ଦନ’ ପାଇଁ ଉଭୟ ମହମ୍ମଦ ମହସୀନ୍ ଓ ଅକ୍ଷୟ ମହାନ୍ତି ଯଥାକ୍ରମେ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ।
ଏହାପରେ ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ଦଣ୍ଡାବାଳୁଙ୍ଗା’ (୧୯୮୪)ରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ଏଥିରେ ଥିବା ଟାଇଟଲ୍ ଗୀତ ‘ଦଣ୍ଡାବାଳୁଙ୍ଗା ମୁଁ...’, ‘ସହରରେ ଲାଗିଯିବ ନିଆଁ...’, ‘ଶଙ୍କର ଶଙ୍କର ଶିବଶଙ୍କର...’ ଓ ‘ଗାଁ କନିଆ କହି କହି ମୋର ମନ ବୁଝିଲୁ ନାହିଁ...’ ବେଶ୍ ଲୋକପ୍ରିୟ ହୋଇଥିଲା। ‘ଦଣ୍ଡାବାଳୁଙ୍ଗା’ ପରେ ମହସୀନ୍‌ଙ୍କ ନିର୍ଦ୍ଦେଶିତ  ‘ଜଗା ହାତରେ ପଘା’, ‘ଚକାଭଉଁରି’, ‘ଏଇତ ଦୁନିଆ’, ‘ମମତାର ଡୋରି’, ‘ବିଧିର ବିଧାନ’, ‘ତୋ ବିନୁ ଅନ୍ୟଗତି ନାହିଁ’ ଓ ‘ଲକ୍ଷ୍ମଣରେଖା’ ସମେତ ୧୧ଟି ଛବିରେ ଅକ୍ଷୟଙ୍କ ମନଛୁଆଁ ସଂଗୀତ ଶୁଣିବାକୁ ମିଳିଥିଲା। ବିଶେଷ କଥାଟି ହେଲା, ଅକ୍ଷୟ ଓଲିଉଡ୍‌ର ଅନ୍ୟ କୌଣସି ନିର୍ଦ୍ଦେଶକଙ୍କ ସହ ଏତେ ସଂଖ୍ୟକ ସିନେମାରେ କାମ କରିନାହାନ୍ତି ଏବଂ ମହସୀନ୍-ଅକ୍ଷୟ ଯୋଡ଼ିର ପ୍ରାୟ ସବୁ ସିନେମା ଥିଲା ମ୍ୟୁଜିକାଲ୍ ହିଟ୍। ଏହି ଯୋଡ଼ିର ଅତ୍ୟନ୍ତ ଲୋକପ୍ରିୟ ଗୀତ କ୍ରମରେ ଆମେ ‘ରୁପା ଶଗଡ଼ିରେ ସୁନା କନିଆଁ...’, ‘ସ୍ମୃତି ଏକ ରୁପା ଜହ୍ନ..’,  ‘ତୁମରି ଦୁଆରୁ ଖାଲି ହାତ ନେଇ...’ ଓ ‘ଆ ସାଥୀ ତୁ ଆ...’କୁ  ଉଦାହରଣ ଭାବେ ଗ୍ରହଣ କରିପାରିବା।

ନିର୍ଦ୍ଦେଶକ ମହମ୍ମଦ ମହସୀନ୍‌ଙ୍କ ‘ସହରୀ ବାଘ’ ଓ ‘ଜନନୀ’ରେ ଅକ୍ଷୟ ମହାନ୍ତି ସ୍ବର ସଂଯୋଜନା କରି ନ ଥିଲେ ହେଁ ସେଥିରେ କଣ୍ଠଦାନ କରିଥିଲେ ଓ ଗୀତ ରଚନା କରିଥିଲେ। ଅକ୍ଷୟଙ୍କ କଣ୍ଠରେ ‘ସହରୀ ବାଘ’ର ‘ମୁଁ କଟକୀ ଲାଲା ମୁଁ ଲଟେରିବାଲା...’ ଓ ‘ଜନନୀ’ର ‘ଭଲପାଏ ଭଲପାଏ...’ ଗୀତ ବେଶ୍ ଜନପ୍ରିୟତା ହାସଲ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ‘ଜନନୀ’ରେ ଭୁବନେଶ୍ବର ମିଶ୍ର ଓ ‘ସହରୀ ବାଘ’ରେ ମୁସୀର୍ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଖାଲି ସେତିକି ନୁହେଁ, ମହସୀନ୍ ଅକ୍ଷୟ ମହାନ୍ତିଙ୍କୁ ‘ମମତାର ଡୋରି’ ସିନେମାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ମଧ୍ୟ ଅଭିନୟ କରିବାର ସୁଯୋଗ ଦେଇଥିଲେ। ତେବେ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’, ‘ମନ ରହିଗଲା ତୁମରି ଠାରେ’, ‘ଧର୍ମ ସହିଲେ ହେଲା’, ‘ଲକ୍ଷ୍ମୀପ୍ରତିମା’ ଓ ‘ସନ୍ତାନ’ରେ ଅକ୍ଷୟ କୌଣସି ଭାବେ ସଂପୃକ୍ତ ନ ଥିଲେ।  ତେବେ ମହମ୍ମଦ ମହସୀନ୍ ଓ ଅକ୍ଷୟ ମହାନ୍ତିଙ୍କ ଯୋଡ଼ିକୁ ଓଲିଉଡ୍‌ର ଏକ ସଫଳ ଓ ନିଆରା ଯୋଡ଼ି ଭାବେ ଗ୍ରହଣ କରାଯାଏ।
- ଶିବଶଙ୍କର ଓଝା