ସିଦ୍ଧାନ୍ତଙ୍କ ପାଇଁ ଦମଦାର ବର୍ଷ !

ଭୁବନେଶ୍ୱର: ଓଲିଉଡର ମେଗାଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ୨୦୧୭ ଏକ ଦମଦାର ବର୍ଷ ହେବ ବୋଲି କୁହାଯାଇପାରିବ । କାରଣ ବିଗତ ବର୍ଷ ତୁଳନାରେ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଏ ବର୍ଷ ଅଧିକ ସଂଖ୍ୟକ ଛବି ରିଲିଜ୍‌ ହେଉଛି।ଏବର୍ଷ ତାଙ୍କ ଅଭିନୀତ ଚାରିଟି ସିନେମା ‘ଗଡଫାଦର୍‌’ , ‘ତୁମକୁ ଦେଖିଲା ପରେ’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ଏବଂ ‘ସପନର ପଥେ ପଥେ’ ରିଲିଜ୍‌ ହୋଇସାରିଛି ।

ଏହି ସିନେମା ମଧ୍ୟରୁ କେବଳ ଗୋଟିକରେ ନାୟକ ଏବଂ ଅନ୍ୟଟିରେ ସହ ନାୟକ ଚରିତ୍ରରେ ନଜର ଆସିଛନ୍ତି ସେ । ଆଉ ଏ ଦୁଇ ସିନେମାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଖୁବ୍‌ ଶୀଘ୍ର ଦମଦାର ରୋଲରେ ଭେଟିବେ ଦର୍ଶକ । ଏଥିମଧ୍ୟରୁ ଗୋଟିଏ ହେଲା ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ’ ଏବଂ ଅନ୍ୟଟି ହେଲା ଶ୍ରୀତମ୍‌ ଦାସଙ୍କ ନିର୍ଦେଶିତ ଦ୍ୱିତୀୟ ସିନେମା ‘ଦିଓ୍ଵାନା ହେଲି ତୋ’ପାଇଁ’ । ଉଭୟ ସିନେମା ରହିଛି ତାଙ୍କ କାନ୍ଧରେ । କାରଣ ଏହି ଦୁଇ ସିନେମା ମଧ୍ୟରୁ ପ୍ରଥମଟିର ନାୟକ ହେଲେ ଅମ୍ଳାନ ଏବଂ ଅନ୍ୟଟିର ନାୟକ ହେଲେ ନବାଗତ ମୁନ୍ନା। ତା’ଛଡ଼ା କାହାଣୀରେ ସିଦ୍ଧାନ୍ତଙ୍କ ଅଭିନୀତ ଚରିତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି ।

‘ବଜରଙ୍ଗୀ’ରେ ସିଦ୍ଧାନ୍ତଙ୍କ ସହ ଅମ୍ଳାନଙ୍କର ଜବରଦସ୍ତ ଟକ୍କର ରହିଛି। ଏହାର କାହାଣୀ ଅନୁଯାୟୀ ଉଭୟେ ଦୁଇ ଭାଇ ବି ପରସ୍ପରର ଘୋର ବିରୋଧୀ ହୋଇଯାଇଛନ୍ତି। ଫଳତଃ ସାନ ଭାଇ ଜଣେ ପୁଲିସ ଅଧିକାରୀ ହୋଇ ନିଜର କର୍ତ୍ତବ୍ୟ ସଂପାଦନ ଲାଗି ବଦ୍ଧ ପରିକର ହୋଇ ବଡ଼ ଭାଇକୁ ଗିରଫ କରିବାକୁ ବି ପଛାଏ ନାହିଁ। ଅପର ପକ୍ଷରେ ବଡ଼ ଭାଇ ନିଜ ଦୁନିଆଁ ଏବଂ କାମରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ଠିକ୍‌ ସେହିପରି ‘ଦିଓ୍ଵାନା ହେଲି ତୋ’ପାଇଁ’ରେ ବି ନାୟକ ମୁନ୍ନାଙ୍କର ବଡ଼ଭାଇ ଭୂମିକାରେ ଅଛନ୍ତି ସିଦ୍ଧାନ୍ତ। ଏଥିରେ ଖଳନାୟକ ସହିତ ତାଙ୍କର ଟକ୍କର ଅଛି। ଉଭୟ‘ବଜରଙ୍ଗୀ’ ଏବଂ ‘ଦିଓ୍ଵାନା ହେଲି ତୋ’ପାଇଁ’ ହେଉଛି ମଲଟିଷ୍ଟାରର ସିନେମା।‘ବଜରଙ୍ଗୀ’ରେ ଅନ୍ୟମାନଙ୍କ ମଧ୍ୟରେ ଅନୁଭା,ନୈନା ଦାଶ,ଅସିତ ପତି ପ୍ରମୁଖ ଅଭିନୟ କରିଥିବା ବେଳେ ‘ଦିଓ୍ଵାନା ହେଲି ତୋ’ପାଇଁ’ରେ ରୀୟା ଦେ,ଶ୍ରୀତମ୍‌ ଦାସ,ଉଷସୀ ମିଶ୍ର, ପପୁ ପମପମ୍‌, ଅମର ଗୁଡୁ ପ୍ରମୁଖ ଅଛନ୍ତି। ଦେଖାଯାଉ ଏ ଦୁଇଟି ସିନେମାରେ ସିଦ୍ଧାନ୍ତ କି କମାଲ୍‌ ଦେଖାଉଛନ୍ତି!

ସମ୍ବନ୍ଧିତ ଖବର