ଆଉ ଟିକେ ସାହସ ଦେଖାଅ ଭାଇ ! ରାଜୁଙ୍କ ଉଦ୍ଦେଶ୍ୟରେ ପୋଷ୍ଟ୍‌ କଲେ ପ୍ରଶଂସକ

ମୁମ୍ବାଇ: କମେଡିୟାନ୍‌ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ। ନିଜର ମଜାକିଆ ଅନ୍ଦାଜରେ ସଭିଙ୍କୁ ହସାଉଥିବା ରାଜୁ ଆଜି ପ୍ରଶଂସକଙ୍କ ଆଖିରେ ଲୁହର କାରଣ ପାଲଟିଛନ୍ତି। ଦିଲ୍ଳୀର ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରାଜୁଙ୍କ ଅବସ୍ଥା ଗମ୍ଭୀର ଥିବା ନେଇ ତାଙ୍କ ପ୍ରଶଂସକମାନେ ଭାଙ୍ଗି ପଡ଼ିନାହାନ୍ତି। ବରଂ କିଛି ପ୍ରଶଂସକ ରାଜୁଙ୍କୁ ଓଲଟା ସାହସ ଦେଇଛନ୍ତି। ରାଜୁଙ୍କର ଜଣେ ପ୍ରଶଂସକ ‘ଆଉ ଟିକେ ସାହସ ଦେଖାଅ ଭାଇ’ ବୋଲି କହି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି।

ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ରାଜୁ ଶ୍ରୀବାସ୍ତ ଭଲ ହେବା ନେଇ ସମସ୍ତେ ହର ହର ଦେବ ମହାଦେବଙ୍କୁ ପ୍ରାର୍ଥନା କରନ୍ତୁ। କେହି ପ୍ରଶଂସକ ‘ଶୀଘ୍ର ସୁସ୍ଥ ହୁଅନ୍ତୁ ଭାଇ’ ବୋଲି ଲେଖିଥିବା ବେଳେ କେହି କେହି ରାଜୁଙ୍କ ଉଦ୍ଦେଶ୍ୟରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ପୋଷ୍ଟ୍‌ କରିଛନ୍ତି।

ଭାରତର ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ଗୁରୁବାର ଆହୁରି ଅବନତି ଘଟିଛି। ହୃଦ୍‌ଘାତ ପରେ ଗତ ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି। ଗୁରୁବାର ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ୫୮ ବର୍ଷୀୟ କମେଡ଼ିଆନଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଘଟୁନାହିଁ, ବରଂ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ତାଙ୍କର ଘନିଷ୍ଠ ବନ୍ଧୁ ସୁନୀଲ ପାଲ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରାଜୁଙ୍କ ବ୍ରେନ୍ ଡେଡ୍ (ମସ୍ତିଷ୍କ ଅଚଳ) ବୋଲି ଘୋଷଣା କରାଯାଇଛି। ଭାରତର ଖ୍ୟାତନାମା ସ୍ନାୟୁରୋଗ ବିଶେଷଜ୍ଞ ଡ. ପଦ୍ମ ଶ୍ରୀବାସ୍ତବଙ୍କୁ କୋଲକାତାରୁ ଡକାଯାଇଛି। ପ୍ରଶଂସକମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି। ସୁନୀଲ ପାଲ କହିଛନ୍ତି ଯେ ତାଙ୍କର ମସ୍ତିଷ୍କ ଆଉ କାମ କରୁନି।

ସମ୍ବନ୍ଧିତ ଖବର