ଋତିକ ରୋଶନ ଓ ସୈଫ ଅଲୀ ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ବିକ୍ରମ ବେଧା’ ମାଧ୍ୟମରେ ଜଣେ ନବାଗତା ବଲିଉଡ୍ରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ନାମ ଯୋଗିତା ବିହାନୀ। ଏବେ ସେ ଋତିକ ଓ ସୈଫଙ୍କ ସହ ଏହି ଚଳଚ୍ଚିତ୍ରର ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ରର ପ୍ରଚାର ଅବସରରେ ଯୋଗିତା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ‘ଦି କପିଲ ଶର୍ମା ସୋ’ରେ ଦେଖାଦେବେ। ରୋଚକ କଥା ହେଲା ଯେ ଯୋଗିତା ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ଆସି ନାହାନ୍ତି। ଅତୀତରେ ସେ ଏହାର ଦର୍ଶକ ଭାବେ ଯୋଗ ଦେଇସାରିଛନ୍ତି। ୨୦୧୭ ମସିହାର କଥା। ଯୋଗିତା ନୂଆ କରି ମୁମ୍ବାଇ ଯାଇଥାନ୍ତି। ୨୦୧୭ ଜୁନ୍ରେ ପ୍ରସାରିତ କାର୍ଯ୍ୟକ୍ରମରେ ଦିଲଜୀତ ଦୋସାଁଝ ଓ ସୋନମ ବାଜଵା ଅତିଥି ଭାବେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ସେ ଦର୍ଶକଙ୍କ ଗହଣରେ ବସିଥିଲେ।
ଅଭିନେତା-ଗାୟକ ଦିଲଜୀତଙ୍କ ସହିତ ଯୁଗଳ ନୃତ୍ୟ କରିବାକୁ ଯୋଗିତାଙ୍କୁ ସୁଯୋଗ ମିଳିଥିଲା। ଏହି ପୁରୁଣା ଭିଡିଓ ଏବେ ପ୍ରସାରିତ ହେବା ପରେ ଯୋଗିତାଙ୍କ ଜୀବନଯାତ୍ରା ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ଦକ୍ଷତା ବଳରେ ପାଞ୍ଚ ବର୍ଷରେ ସେ କେତେ ଆଗକୁ ବଢ଼ିପାରିଛନ୍ତି ତାହା ଅନେକଙ୍କୁ ଚକିତ କରିଛି। ବେଶପୋଷାକରୁ ଆରମ୍ଭ କରି ସକାରାତ୍ମକତା, ଉତ୍ସାହ ଓ ଆତ୍ମବିଶ୍ବାସ ଆଦି ଗୁଣ ପାଇଁ ଯୋଗିତା ବଲିଉଡ୍ ଶିଳ୍ପରେ ଗ୍ରହଣୀୟ ହୋଇପାରିଛନ୍ତି। ନିକଟରେ ‘ବିକ୍ରମ ବେଧା’ର ଟ୍ରେଲର୍ ଶୁଭମୁକ୍ତି ଅବସରରେ ସୈଫ ଅଲୀ ଖାନ ଯୋଗିତାଙ୍କର ଅଭିନୟକୁ ପ୍ରଶଂସା କରିଥିଲେ। ଆସନ୍ତା ୩୦ ତାରିଖରେ ପ୍ରେକ୍ଷାଳୟରେ ଦର୍ଶକମାନେ ନିଜେ ଏହି ନବାଗତାଙ୍କ ଦକ୍ଷତାର ମୂଲ୍ୟାୟନ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/fhsfhfsfhfhfhfh.jpg)