ଦିନକରେ ୨୮ଟି ଗୀତର ରେକର୍ଡ଼ିଂ କରିଥିବା ଗାୟକଙ୍କୁ ଜାଣନ୍ତି କି?

ମୁମ୍ବାଇ: ଆଜି ହେଉଛି ନବେ ଦଶକର ଲୋକପ୍ରିୟ ବଲିଉଡ଼୍‍ ଗାୟକ କୁମାର ଶାନୁଙ୍କ ଜନ୍ମଦିନ। ସେ ୧୯୫୭ ମସିହା ସେପ୍ଟେମ୍ବର ୨୩ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। ଶାନୁଙ୍କ ପ୍ରକୃତ ନାମ ହେଲା କେଦାରନାଥ ଭଟ୍ଟାଚାର୍ଯ୍ୟ ୧୯୯୦ରେ ମୁକ୍ତିଲାଭ କରିଥିବା ବ୍ଲକ୍‌ବଷ୍ଟର୍‌ ମୁଭି ‘ଆଶିକୀ’ରେ କୁମାର ଶାନୁଙ୍କ ଗୀତ ସୁପର୍‌ହିଟ୍‌ ହେବାପରେ ରାତାରାତି ଷ୍ଟାର୍‌ ବନିଯାଇଥିଲେ ଏହି କଣ୍ଠଶିଳ୍ପୀ।ଏଯାବତ୍‌ ଅଧିକାଂଶ ଭାରତୀୟ ଭାଷାରେ ସେ ଗୀତ ଗାଇଛନ୍ତି।
ସେ ନିଜ ନାମରେ କେତେକ ରେକର୍ଡ଼ କରିଛନ୍ତି।ଏଥିମଧ୍ୟରୁ ଗୋଟିଏ ହେଲା ଯେ,ଗୋଟିଏ ଦିନ ଭିତରେ ସେ ୨୮ଟି ଗୀତ ରେକର୍ଡ଼ିଂ କରିଥିଲେ।ଏଥିପାଇଁ ତାଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ଼ ରେକର୍ଡ଼ରେ ସ୍ଥାନ ପାଇଥିଲା।
ତେବେ କୁମାର ଶାନୁ ଦୀର୍ଘ ଦିନ ଧରି କୌଣସି ହିନ୍ଦୀ ସିନେମାରେ କଣ୍ଠଦାନ କରିନାହାଁନ୍ତି। ଏହାକୁ ନେଇ ଶ୍ରୋତା ଓ ସଙ୍ଗୀତ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ୍‌। ଏ ସଂପର୍କରେ କୁମାର ଶାନୁ କହିଛନ୍ତି ଯେ,ଆଜିକାଲିର ଗୀତରେ ମାତ୍ରାଧିକ ଅଶ୍ଳୀଳତା ରହିଛି।ଏବେ ଚାର୍‌ ବୋତଲ୍‌ ଭୋଡ଼୍‍କା,କାମ୍‌ ମେରା ରୋଜ୍‌କା…ଭଳି ଗୀତ ହେଉଛି।ଏପରି ଗୀତ ସେ ପାଇପାରିବେ ନାହିଁ।ଏମିତି ଗୀତ ଗାଇ ସଙ୍ଗୀତ ଶିଳ୍ପକୁ ଖରାପ କରିବାକୁ ସେ ଚାହାଁନ୍ତି ନାହିଁ ବୋଲି କହିଛନ୍ତି କୁମାର ଶାନୁ।


କଣ୍ଠଶିଳ୍ପୀ କୁମାର ଶାନୁ ଦୁଇଥର ବିବାହ କରିଛନ୍ତି।୧୯୯୪ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲେ।ତାଙ୍କ ପତ୍ନୀଙ୍କ ନାମ ହେଲା ସଲୋନୀ ଶାନୁ। ଦ୍ୱିତୀୟ ବିବାହ ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀ ରୀତାଙ୍କ ସହିତ ବିବାହ ବିଚ୍ଛେଦ ହୋଇଥିଲା।ସଲୋନୀ ଓ ଶାନୁଙ୍କର ଦୁଇଟି ଝିଅ ଶାନୋନ୍‌ ଓ ଆନ୍ନା ଏବଂ ଗୋଟିଏ ପୁଅ କୁମାର ଜାନୁ(ଜିକୋ) ମଧ୍ୟ ଅଛନ୍ତି। କୁମାର ଶାନୁଙ୍କର ଉଭୟ ଝିଅ ସଙ୍ଗୀତରେ ପ୍ରଶିକ୍ଷଣ ନେଉଛନ୍ତି ଓ ପୁଅ ଏବେ ଜଣେ ଶିଶୁ ଗାୟକ। କୁମାର ଶାନୁ କେତେକ ଓଡ଼ିଆ ଗୀତରେ ବି କଣ୍ଠଦାନ କରିଛନ୍ତି। ସେ ଓଡ଼ିଶାର ଏକ ଟିଭି ଚାନେଲର କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ବି ଓଡ଼ିଶା ଆସିଥିଲେ।

ସମ୍ବନ୍ଧିତ ଖବର