ପରଦାରେ ଥରେ ମାତ୍ର ଏକାଠି ହୋଇଛନ୍ତି ଓଡ଼ିଆ ସିନେ ଜଗତର ତିନି ଆଗଧାଡ଼ିର ନାୟକ

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତରେ ଅନେକ ସମୟରେ ନାମୀ ନାୟକମାନେ ପରଦାରେ ଏକାଠି ହେବା କ୍ବଚିତ ଦେଖିବାକୁ ମିଳିଥାଏ। ସେଭଳି ଓଲିଉଡ୍ର ଏହି ତିନି ଆଗଧାଡ଼ିର ନାୟକଙ୍କୁ ଏଯାବତ୍ କେବଳ ଗୋଟିଏ ସିନେମାରେ ଏକାଠି ଦେଖିବାକୁ ମିଳିଛି। ଏହି ନାୟକମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଏବଂ ଅରିନ୍ଦମ୍ ରାୟ।
ଦୁଇ ନାୟକ ଅନୁଭବ ଏବଂ ଅରିନ୍ଦମଙ୍କୁ ମଧ୍ୟ ସମାନ ପ୍ରଯୋଜନା ସଂସ୍ଥା ଲଞ୍ଚ୍ କରିଥିଲେ। ବ୍ରଜରାଜ ମୁଭିଜ୍ ଅନୁଭବଙ୍କୁ ‘ଆଇ ଲଭ ୟୁ’ରେ ଲଞ୍ଚ କରିଥିଲେ ଏବଂ ଅରିନ୍ଦମଙ୍କୁ ବ୍ରେକ୍ ମିଳିଥିଲା ‘ପ୍ରେମ ଋତୁ ଆସିଲାରେ’ ଛବିରେ । ଏଥିମଧ୍ୟରୁ‘ଆଇ ଲଭ ୟୁ’୨୦୦୪ରେ ରିଲିଜ୍ ହୋଇଥିଲା। ସଞ୍ଜୟ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଆଇ ଲଭ ୟୁ’ ଏକ ବ୍ଲକବଷ୍ଟର ସିନେମା ସାବ୍ୟସ୍ତ ହୋଇଥିଲା। ଅପରପକ୍ଷରେ ଅରିନ୍ଦମଙ୍କ  ପ୍ରଥମ ସିନେମା ‘ପ୍ରେମ ଋତୁ ଆସିଲାରେ’ ୨୦୦୬ରେ ପରଦାକୁ ଆସିଥିଲା। ବିନୟ କୁମାର ନାୟକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମା ବି ହିଟ୍ ହୋଇଥିଲା।
ଅରିନ୍ଦମଙ୍କ ପ୍ରଥମ ସିନେମା ‘ପ୍ରେମ ଋତୁ ଆସିଲାରେ’ ରିଲିଜ୍ ହେବା ପରେ ତାଙ୍କୁ ଅନୁଭବଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଚିତ୍ରିତ କରାଗଲା। ଆଉ ଅରିନ୍ଦମ୍ ମଧ୍ୟ ଅନେକାଂଶରେ ତାହା କରି ଦେଖାଇଥିଲେ। ‘ପ୍ରେମ ଋତୁ ଆସିଲାରେ’ ପରେ ଅରିନ୍ଦମ୍ ‘ତୋ’ ପାଇଁ ନେବି ମୁଁ ଶହେ ଜନମ’, ମୁଁ ତତେ ଲଭ କରୁଚି’ରେ ଅଭିନୟ କରିସାରିଥିଲେ।

Image result for prasant nanda
Image Source-Telegraph

ହେଲେ ପ୍ରାଥମିକ ପର୍ଯ୍ୟାୟରେ ଏ ଦୁଇ ଟପ ଷ୍ଟାରଙ୍କୁ ଗୋଟିଏ ସିନେମାରେ ଆଣିବା ଲାଗି କେହି ସାହସ କରିପାରୁ ନଥିଲେ। ଠିକ୍ ସେହିପରି ଏ ଦୁଇ ନାୟକଙ୍କ ସହ ସିଦ୍ଧାନ୍ତଙ୍କୁ ମିଶାଇ ଏକ ତିନି ହିରୋ ଥିବା ସିନେମା ନିର୍ମାଣ କରିବାର ସାହସ କେହି କରି ପାରି ନଥିଲେ। ତେବେ ସୋ’ମ୍ୟାନ୍ ପ୍ରଶାନ୍ତ ନନ୍ଦ ଏହି କାର୍ଯ୍ୟଟିକୁ ସାଧନ କରିବାରେ ସଫଳ ହୋଇଥିଲେ।

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ମଲଟିଷ୍ଟାରର ଫିଲ୍ମ ‘କାଳୀଶଙ୍କର’ରେ ପ୍ରଥମ ଓ ଅନ୍ତିମ ଥର ଲାଗି ସିଦ୍ଧାନ୍ତ,ଅନୁଭବ ଓ ଅରିନ୍ଦମ୍ ଏକାଠି ନଜର ଆସିଛନ୍ତି। ୨୦୦୭ରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମରେ ସିଦ୍ଧାନ୍ତଙ୍କୁ ଏହି ସିନେମାରେ କାଳୀ ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ। ଅପର ପକ୍ଷରେ ଅନୁଭବଙ୍କୁ ଜଣେ ଗୁଣ୍ଡା ଶ୍ରେଣୀୟ ଯୁବକ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଅରିନ୍ଦମଙ୍କ ଚରିତ୍ରଟି ଥିଲା ଜଣେ ପୁଲିସ ଇନ୍ସପେକ୍ଟର। ‘କାଳୀଶଙ୍କର’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ,ଅନୁଭବଙ୍କ ବିପକ୍ଷରେ ସ୍ୱସ୍ତିକା ଅଭିନୟ କରିଥିବା ବେଳେ ଅରିନ୍ଦମଙ୍କ ନାୟିକା ବନିଥିଲେ ମେଘନା ମିଶ୍ର।

Image Source-youtube

ଏହା ଅବଶ୍ୟ ଭିନ୍ନ କଥା ଯେ ‘କାଳୀଶଙ୍କର’ ଥିଲା ଏକ ଦ୍ୱିଭାଷୀ ସିନେମା, ଯାହାର ଓଡ଼ିଆ ଭର୍ସନରେ ଏମାନେ ଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ସିଦ୍ଧାନ୍ତ ଏବଂ ଅନୁଭବଙ୍କୁ ‘ଟୋପାଏ ସିନ୍ଦୂର ଦି ଟୋପା ଲୁହ’ ‘ମତେ ତ ଲଭ୍ ହେଲାରେ’ ଓ ‘ଡନ୍’ ଆଦି ସିନେମାରେ ଦେଖିବାକୁ ମିଳିଛି। ଠିକ୍ ସେହିପରି ସିଦ୍ଧାନ୍ତ ଓ ଅରିନ୍ଦମଙ୍କୁ ବି ‘ପ୍ରେମ ଋତୁ ଆସିଲାରେ’,‘ତୋ’ପାଇଁ ନେବି ମୁଁ ଶହେ ଜନମ’, ‘ମୁଁ ତତେ ଲଭ୍ କରୁଚି’ ଏବଂ ‘ପର୍ଶୁରାମ’ ଆଦି ସିନେମାରେ ଏକାଠି ଦେଖିବାକୁ ପାଇଛନ୍ତି ଦର୍ଶକ।

ସମ୍ବନ୍ଧିତ ଖବର