ଓଲିଉଡ୍‌ର ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ସହ ଅର୍ଚ୍ଚିତା, ରୀୟା, ଏଲିନା, ଶୀତଲ୍, ସୁପ୍ରିୟା, ପ୍ରକୃତି, ଦିବ୍ୟା, ଭୂମିକା, ଶିବାନୀ ଓ ସୂର୍ଯ୍ୟମୟୀଙ୍କ ପରି ଆଧାଡ଼ିର ନାୟିକା ଏକାଧିକ ସିନେମାରେ ନଜର ଆସିଛନ୍ତି। ହେଲେ ଏମିତି କେତେଜଣ ନାୟିକା ଅଛନ୍ତି, ଯେଉଁମାନେ କେବଳ ଥରଟିଏ ବାବୁସାନ୍‌ଙ୍କ ସହ ଅନ୍ ସ୍କ୍ରିନ୍ ରୋମାନ୍ସ କରିଛନ୍ତି।

Advertisment

ଶିବଶଙ୍କର ଓଝା

ମାତ୍ର ଗୋଟିଏ ଛବିରେ ବାବୁସାନ୍‌ଙ୍କ ସ୍କ୍ରିନ୍‌ମେଟ୍‌ ବନିଥିବା ନାୟିକାଙ୍କ ତାଲିକା ଛୋଟ ନୁହେଁ। ବ୍ରଜରାଜ ମୁଭିଜ୍‌ ବ୍ୟାନର୍‌ରେ ନିର୍ମିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ରୋମିଓ ଦ ଲଭର୍‌ ବୟ’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ ବାବୁସାନ୍‌। ଏଥିରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ବଙ୍ଗୀୟ ଅଭିନେତ୍ରୀ ଲଭ୍‌ଲି। ତେବେ ଲଭ୍‌ଲିଙ୍କୁ ପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ବାବୁସାନ୍‌ଙ୍କ ବିପକ୍ଷରେ ଦେଖିବାକୁ ମିଳିନାହିଁ। ସେହିଭଳି ୨୦୦୯ରେ ମୁକ୍ତିପ୍ରାପ୍ତ ‘ରୋମିଓ ଦ ଲଭର୍‌ ବୟ’ ପରେ ବାବୁସାନ୍‌ ଦ୍ୱିତୀୟ ଥର ଲାଗି ହର ପଟ୍ଟନାୟକଙ୍କ ସହ କାମ କରିନାହାନ୍ତି। 

 କେବଳ ଲଭ୍‌ଲି ନୁହନ୍ତି, ବାବୁଙ୍କ ସହ ଗୋଟିଏ ସିନେମାରେ କାମ କରିଥିବା ନାୟିକାଙ୍କ ତାଲିକା ବି ବେଶ୍‌ ଲମ୍ବା। ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ତଥା ଅପରାଜିତାଙ୍କ ପ୍ରଯୋଜିତ ‘ଲଭ୍ ମାଷ୍ଟର୍‌’ରେ ତାଙ୍କର ଅନ୍ୟତମ ନାୟିକା ଥିବା ପୁନମ୍‌ଙ୍କୁ ଏଯାବତ୍ ଅନ୍ୟକୌଣସି ଛବିରେ ବାବୁସାନ୍‌ଙ୍କ ସହ ଦେଖିବାକୁ ମିଳିନାହିଁ। ସଂଯୋଗକ୍ରମେ ଚଣ୍ଡୀ-ବାବୁସାନ୍‌ ଯୋଡ଼ିର ମଧ୍ୟ ଏହା ଏଯାବତ୍‌ ପ୍ରଥମ ଓ ଶେଷ ଫିଲ୍ମ।
ଜଣାଶୁଣା ନିର୍ଦ୍ଦେଶକ ଏସ୍. କେ. ମୁରଲୀଧରନ୍‌ଙ୍କ ‘ତୋ ଅାଖିରେ ମୁଁ’ ଥିଲା ବାବୁସାନ୍‌ଙ୍କର ଦ୍ୱିତୀୟ ମୁକ୍ତିପ୍ରାପ୍ତ ସିନେମା। ଏଥିରେ ତାଙ୍କ ନାୟିକା ଥିଲେ ସୁଇଟି। ଏଯାବତ୍‌ ସୁଇଟି-ବାବୁ ଯୋଡ଼ିର ଏହା ଏକମାତ୍ର ଫିଲ୍ମ ହୋଇ ରହିଛି। ଠିକ୍ ସେହିପରି  ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦିୱାନା ଦିୱାନି’ପରେ ଏହାର ନାୟିକା ପାରିଜାତଙ୍କ ସହ ଦ୍ୱିତୀୟ ଥର ନଜର ଅାସି ନାହାନ୍ତି ବାବୁସାନ୍। ବ୍ରଜରାଜ ମୁଭିଜ୍‌ର ‘୧୪୩ ଅାଇ ଲଭ୍ ୟୁ’ରେ ଥରେ ମାତ୍ର କୋଏଲ୍ ପାଇଛନ୍ତି ବାବୁସାନ୍‌ଙ୍କ ସାଥ୍। ସେହିପରି ମୁମ୍ବାଇ ନାୟିକା ଶ୍ରେୟା ଝା ବି ବାବୁସାନ୍‌ଙ୍କ ବିପକ୍ଷରେ କେବଳ ଗୋଟିଏ ସିନେମା ‘ଲୁଚକାଳି’ରେ ନଜର ଅାସିଛନ୍ତି। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ସୁଇଟ୍ ହାର୍ଟ’ରେ ବି ଥରଟିଏ ବାବୁସାନ୍-ଅନୁଭା ଯୋଡ଼ିକୁ ଦେଖିଛନ୍ତି ଦର୍ଶକ। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦୋସ୍ତି’ ପରେ ଅନ୍ୟ କୌଣସି ସିନେମାରେ ଦର୍ଶକ ବାବୁସାନ୍-ପ୍ରିୟଙ୍କା ଯୋଡ଼ିକୁ ଦେଖି ନାହାନ୍ତି। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ଡାହାବାଳୁଙ୍ଗା’ରେ ନବାଗତା ସଂଜନାଙ୍କୁ ବାବୁସାନ୍‌ଙ୍କ ବିପକ୍ଷରେ ଥରଟିଏ ନାୟିକା ହେବାର ସୁଯୋଗ ମିଳିଥିଲା।