ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ପରିଚିତା ନାୟିକା ଅର୍ଚ୍ଚିତାଙ୍କ ବିପକ୍ଷରେ ବାବୁସାନ୍, ଅନୁଭବ, ସବ୍ୟସାଚୀ, ଅରିନ୍ଦମ୍, ବୁଦ୍ଧାଦିତ୍ୟ ଓ ଆକାଶଙ୍କ ଭଳି ଆଗଧାଡ଼ିର ନାୟକ ଏକାଧିକବାର ବଡ଼ ପରଦାରେ ନଜର ଆସିଛନ୍ତି। ହେଲେ ଓଲିଉଡ୍ରେ ଏପରି ତିନିଜଣ ଅଭିନେତା ଅଛନ୍ତି, ଯେଉଁମାନେ କେବଳ ଥରେ ଅର୍ଚ୍ଚିତାଙ୍କୁ ନାୟିକା ଭାବେ ପାଇଛନ୍ତି ଏବଂ ତାଙ୍କ ସହ ପରଦାରେ ରୋମାନ୍ସ୍ କରିଛନ୍ତି। ଆସନ୍ତୁ ଜାଣିବା କିଏ ସେମାନେ ଓ କେଉଁ ଓଡ଼ିଆ ଛବିରେ ଅର୍ଚ୍ଚିତାଙ୍କୁ ସେମାନଙ୍କ ସହ ଦେଖିବାକୁ ମିଳିଛି।
ଶିବଶଙ୍କର ଓଝା
ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ପାଦେ ଆକାଶ’ ଓ ‘ବୋଉ ବୁଟୁ ଭୂତ’ରେ ପ୍ରଭାବଶାଳୀ ଅଭିନୟ କରି ପୁଣି ଚର୍ଚ୍ଚାରେ ରହିଛନ୍ତି ଓଲିଉଡ୍ର ଲୋକପ୍ରିୟ ନାୟିକା ଅର୍ଚ୍ଚିତା। ଏବେ ତାଙ୍କ ଅଭିନୀତ ଭିନ୍ନ ସ୍ବାଦର ଛବି ‘ଡେଲିଭରି ବୟ ୨’ ବଡ଼ ପରଦାକୁ ଆସୁଛି। ଏଥିରେ ତାଙ୍କୁ ନୂଆ ରୂପରେ ଦେଖିବାକୁ ମିଳିବ। ଅର୍ଚ୍ଚିତା ଓଲିଉଡ୍ର ଅଧିକାଂଶ ଆଗଧାଡ଼ିର ନାୟକଙ୍କ ବିପକ୍ଷରେ ଅଭିନୟ କରିଥିବା ବେଳେ ତାଙ୍କ ଡେବ୍ୟୁ ଫିଲ୍ମର ନାୟକଙ୍କ ସହ ସେ କେବଳ ଗୋଟିଏ ଛବିରେ ଆସିଛନ୍ତି। ସେହିପରି ଆଉ ଦୁଇଜଣ ଏପରି ନାୟକ ଅଛନ୍ତି, ଯେଉଁମାନଙ୍କ ସହ ଅର୍ଚ୍ଚିତା ମାତ୍ର ଗୋଟିଏ ଗୋଟିଏ ଫିଲ୍ମରେ ଅଭିନୟ କରିଛନ୍ତି।
ରାଜଦୀପ୍: ଏକଦା ଆଲ୍ବମ୍ ଦୁନିଆରେ ନାଁ କରିବା ପରେ ସିନେମାରେ ପ୍ରବେଶ କରିଥିଲେ ରାଜଦୀପ୍। ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ନାୟକ ନିଜ ନିର୍ଦ୍ଦେଶିତ ଫିଲ୍ମ ‘ଓ ମାଇଁ ଲଭ୍’ରେ ନାୟକ ଭାବେ ବ୍ରେକ୍ ଦେଇଥିଲେ। ଏହି ସିନେମାରୁ ଆଜିକାର ଚର୍ଚ୍ଚିତ ନାୟିକା ଅର୍ଚ୍ଚିତା ବି କ୍ୟାରିୟର୍ ଆରମ୍ଭ କରିଥିଲେ। ପ୍ରଭାଂଶୁ ସାମନ୍ତରାୟ ଏହାର ପ୍ରଯୋଜନା କରିଥିଲେ। ‘ଓ ମାଇଁ ଲଭ୍’ ପରେ ରାଜଦୀପ୍ ଆଉ ଅର୍ଚ୍ଚିତାଙ୍କ ସାଥ୍ ପାଇନାହାନ୍ତି। ତେବେ ଦୀର୍ଘଦିନର ବ୍ୟବଧାନ ପରେ ରାଜଦୀପ୍ଙ୍କୁ ନିକଟରେ ପୁଣି ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ବି ଗ୍ୟାଙ୍ଗ୍’ରେ ଦେଖିବାକୁ ମିଳିଥିଲା।
ଅଙ୍କିତ କୁମାର: ‘ଭୋକ’ ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିବା ଅଙ୍କିତ କୁମାର ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଦେ ଆକାଶ’ରେ ପ୍ରଥମଥର ପାଇଁ ଅର୍ଚ୍ଚିତାଙ୍କ ବିପକ୍ଷରେ ନଜର ଆସିଛନ୍ତି। ଏହାପରେ ସେ ଅନ୍ୟ କୌଣସି ଛବିରେ ଅର୍ଚ୍ଚିତାଙ୍କ ସହ କାମ କରିବା ଲାଗି ଏଯାଏ ସୁଯୋଗ ପାଇନାହାନ୍ତି। ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଭୋକ’ ଓ ‘ମାୟା ଦର୍ପଣ’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଦୃଷ୍ଟିକୋଣ’, ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ‘ସିନ୍ଦୂର’ ଓ ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଡଟ୍ପେନ୍’ ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ସେ।
ସାନୁ: ନିରଞ୍ଜନ ନାୟକଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ସିନେମା ‘ହେଲୋ ଇନ୍ ଲଭ୍’ରେ ନାୟକ ଭାବେ ଓଲିଉଡ୍ରେ ପଦାର୍ପଣ କରିଥିଲେ ସାନୁ। ଏହି ଫିଲ୍ମରେ ସାନୁଙ୍କ ବିପକ୍ଷରେ ନବାଗତା ସୁଶ୍ରୀଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ସେ ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଚମ୍ପିଆନ୍’ରେ ଅର୍ଚ୍ଚିତାଙ୍କ ସହ ନଜର ଆସିଥିଲେ। ପରବର୍ତ୍ତୀ ସମୟରେ ସାନୁ ‘ଲଭ୍ ୟୁ ଜେସିକା’, ‘ଅଦୃଶ୍ୟମ୍’, ‘ନିୟତି’ ଓ ‘ଶ୍ରୀମାନ୍ ଶ୍ରୀଯୁକ୍ତ’ ଆଦି ଛବିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ବି ଏଥିମଧ୍ୟରୁ କେଉଁ ଗୋଟିକରେ ଅର୍ଚ୍ଚିତା ଅଭିନୟ କରିନାହାନ୍ତି।