ମୁମ୍ବାଇ: ପୃଥିବୀର ଅନ୍ୟତମ ବଡ ସିନେ-ନିର୍ଦ୍ଦେଶକ ଭାବେ ଜଣାଶୁଣା କ୍ରିଷ୍ଟୋଫର ନୋଲନଙ୍କ ଫିଲ୍ମ ‘ଓପେନହାଇମର’ ବକ୍ସ ଅଫିସରେ ଧମାଲ କରିଛି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ ଦେଖିବ‌ାକୁ ମିଳିଛି। ଫିଲ୍ମର ଅଗ୍ରୀମ ବୁକିଂ ଭଲ ଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରିବା ଆରମ୍ଭ କରିଛି। କିନ୍ତୁ ‘ଓପେନହାଇମର’ ଦେଖିବା ପରେ ଅନେକ ଲୋକ ଏଥିରେ ଥିବା ଏକ ଦୃଶ୍ୟକୁ ନେଇ ଆପତ୍ତି ଉଠାଉଛନ୍ତି।

Advertisment

ଏହି ଚଳଚ୍ଚିତ୍ରଟି ପ୍ରଥମ ପରମାଣୁ ବୋମା ତିଆରି କରିଥିବା ବୈଜ୍ଞାନିକ ଜେ ରବର୍ଟ ଓପେନହାଇମରଙ୍କ ଜୀବନ ଉପରେ ଆଧାରିତ। ଜେ ରବର୍ଟ ଓପେନହାଇମର ସବୁବେ‌ଳେ ଗୀତା ପଢ଼ୁଥିଲେ। କିନ୍ତୁ ଫିଲ୍ମରେ ଓପେନହାଇମର ‌ଯୌନକ୍ରିୟା କରୁଥିବା ସମୟରେ ଗୀତା ପଢ଼ୁଥିବା ଦେଖାଯାଇଛି, ଯାହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଛି। ବିବାଦ ବଢ଼ିବାରୁ ଏବେ ଏହି ଦୃଶ୍ୟକୁ ହଟାଇବାକୁ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

ଜାତୀୟ ଗଣମାଧ୍ୟମ ମୁତାବକ, ଅନୁରାଗ ଠାକୁର ସେନସର୍ ବୋର୍ଡକୁ ଫିଲ୍ମରୁ ଏହି ଦୃଶ୍ୟ ନହଟାଇଥିବାରୁ ଜବାବ ମାଗିଛନ୍ତି। ଏହା ସହ ଏହି ବିବାଦୀୟ ଦୃଶ୍ୟକୁ ତୁରନ୍ତ ଚଳଚ୍ଚିତ୍ରରୁ ହଟାଇବାକୁ ସେ ଫିଲ୍ମ ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବିବାଦୀୟ ଦୃଶ୍ୟ ସହିତ ଫିଲ୍ମର ସ୍କ୍ରିନିଂକୁ ଅନୁମୋଦନ କରିବାରେ ସମ୍ପୃକ୍ତ ଥିବା ସମସ୍ତ ସେନସର୍ ବୋର୍ଡ ସଦସ୍ୟଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଚେତାବନୀ ଦେଇଛନ୍ତି।