ସୁଫଳ ସାଉଁଟିବାର ସୁଯୋଗ: ଧୀରେଧୀରେ ଆଗକୁ ବଢ଼ୁଛନ୍ତି ମୃଣାଳ
ମରାଠୀ ଫିଲ୍ମ ଦୁନିଆଁରୁ ହିନ୍ଦୀ ଜଗତ୍କୁ ପାଦ ଦେଇଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଚଳିତବର୍ଷ ଶୁଭଙ୍କର ପାଲଟିଥିବା ସେ ସ୍ବୀକାର କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କର ଦୁଇଟି ହିନ୍ଦୀ ସିନେମା ଓ ବର୍ଷ ଶେଷ ସୁଦ୍ଧା ଆଉ ଗୋଟେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିବା ବେଳେ ଆଗାମୀ ବର୍ଷ ପାଇଁ ମଧ୍ୟ ଗୋଟେ ସିନେମା ପାଇଁ ସେ ଚୁକ୍ତିବଦ୍ଧ ହୋଇସାରିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିନୟ ଜୀବନର ପ୍ରାରମ୍ଭରେ ତାଙ୍କର କଳ୍ପନାତୀତ ସାଧନ ଏବେ ସୁଫଳ ସାଉଁଟିବା ପାଇଁ ସୁଯୋଗ ଆଣିଥିବାରୁ ସେ ଆଶ୍ବସ୍ତ ଅଛନ୍ତି। ରାଜସ୍ଥାନର ବିକାନେର ଠାରେ ୧୯୯୨ ଅଗଷ୍ଟ ୧ରେ ଜନ୍ମ ନେଇଥିବା ମୃଣାଳଙ୍କୁ କୈଶାରାବସ୍ଥାରୁ ଅଭିନୟ ନିଶା ଏମିତି ଘାରିଥିଲା ଯେ ସେ ସ୍ନାତକ ଡିଗ୍ରି ପାଠ୍ୟକ୍ରମରେ ଡୋରି ବାନ୍ଧି ଟେଲିଭିଜନ ଧାରାବାହିକ ଆଡ଼କୁ ମୁହାଁଇଥିଲେ। ୨୦୧୨ରୁ ୨୦୧୩ ଯାଏ ଷ୍ଟାର ଟିଭିରେ ପ୍ରସାରିତ ଧାରାବାହିକ ‘ମୁଝ୍ ସେ କୁଛ୍ କେହତି… ୟେ ଖାମୋସିୟାଁ’ରେ ତାଙ୍କ ପ୍ରଥମ ପଦାର୍ପଣ ଅନୁକୂଳ ରହିବା ସହ ପରବର୍ତ୍ତୀ ଧାରାବାହିକ ‘ହର ଯୁଗ ମେଁ ଆୟେଗା ଏକ- ଅର୍ଜୁନ୍’ ପାଇଁ ମଧ୍ୟ ବାଟ କଢ଼ାଇ ନେଇଥିଲା। ତେବେ ୨୦୧୪ରେ ପ୍ରସାରିତ ଧାରାବାହିକ ‘କୁମ୍କୁମ୍ ଭାଗ୍ୟ’ ମୃଣାଳଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚିତି ଆଣିପାରିଥିଲା। ଏହି ଅବସରରେ ସେ କିଛି ବାସ୍ତବଧର୍ମୀ ଧାରାବାହିକରେ ନିଜକୁ ଜଡ଼ିତ କରିବା ସହ ମରାଠୀ ଫିଲ୍ମ ‘ବିତ୍ତି ଦଣ୍ଡୁ’ରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ।
ମରାଠୀ ଫିଲ୍ମ କରିବା ପୂର୍ବରୁ ୨୦୧୨ରେ ସେ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ‘ଲଭ୍ ସୋନିଆ’ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଏପରିକି ତାଙ୍କୁ ମିଳିଥିବା ଚରିତ୍ରକୁ ଜୀବନ୍ତ କରିବା ଲାଗି ସେ କୋଲକାତାର ଏକ ବାରାଙ୍ଗନା ନିଳୟରେ ରହି ବାରାଙ୍ଗନାମାନଙ୍କର ଚାଲିଚଳଣି ଅନୁଧ୍ୟାନ କରିଥିଲେ। ନାନା ଘାତ ପ୍ରତିଘାତ ଭିତରେ ବହୁ ବିଳମ୍ବରେ ଉକ୍ତ ସିନେମାଟି ୨୦୧୮ରେ ମୁକ୍ତିଲାଭ କରିଥିବା ବେଳେ ତାହା ବ୍ୟାବସାୟିକ ସଫଳତା ହାସଲ କରିବାରେ ବିଫଳ ହୋଇଥିଲା। ତେବେ ମୃଣାଳଙ୍କ ଭୂମିକାକୁ ସମୀକ୍ଷକ ଓ ଦର୍ଶକ ଖୁବ୍ ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ଲଣ୍ଡନ ଭାରତୀୟ ଫିଲ୍ମ ଉତ୍ସବ ସମ୍ମାନ ଓ ଗୋଲ୍ଡ ସମ୍ମାନ ମିଳିଥିଲା। ତେଣୁ ସେ ମରାଠୀ ଫିଲ୍ମ ଛାଡ଼ି ହିନ୍ଦୀ ଜଗତ୍ରେ ମନୋନିବେଶ କଲେ। ୨୦୧୯ରେ ତାଙ୍କର ପରବର୍ତ୍ତୀ ହିନ୍ଦୀ ଫିଲ୍ମ ‘ସୁପର ୩୦’ ଯଥେଷ୍ଟ ଦର୍ଶକୀୟ ସ୍ବୀକୃତି ଲାଭ କରିଥିଲା। ‘ବାଟଲା ହାଉସ୍’ ଓ ‘ଘୋଷ୍ଟ୍ ଷ୍ଟୋରିଜ୍’ ମଧ୍ୟ ଅନୁରୂପ ଲୋକପ୍ରିୟତା ଦୋହରାଇଥିଲା। କୋଭିଡ୍ ନିରବତା ପରେ ଗତବର୍ଷ ଖେଳିଥିବା ତାଙ୍କ ଅଭିନୀତ ‘ତୁଫାନ’ ଓ ‘ଧମାକା’ ସେପରି ଉଲ୍ଲେଖନୀୟ ପ୍ରତିକ୍ରିୟା ପାଇନଥିବା ବେଳେ ଚଳିତବର୍ଷ ପ୍ରାରମ୍ଭରେ ଆସିଥିବା ‘ଜର୍ସି’କୁ ଆଶାନୁରୂପ ସଫଳତା ମିଳିଛି।
ଏ ଭିତରେ ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ‘ସୀତା ରାମମ୍’ ମୁକ୍ତିଲାଭ କରି ଅଣହିନ୍ଦୀ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଛି। ଏଥି ସହିତ ଆଗକୁ ମୃଣାଳଙ୍କର ହିନ୍ଦୀ ଫିଲ୍ମ ‘ପିପ୍ପା’ ମୁକ୍ତିଲାଭ ଅପେକ୍ଷାରେ ଥିବା ବେଳେ ‘ଆଖଁ ମିଚୋଲି’ ଓ ‘ଗୁମରାହ’ ଫିଲ୍ମର ସୁଟିଂ ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି। ଏହି ଦୁଇଟି ସିନେମା ନେଇ ସେ ଭାରି ଉତ୍ସାହିତ ଅଛନ୍ତି। ତାଙ୍କ ବ୍ୟସ୍ତତାକୁ ବଜାୟ ରଖିବା ଲାଗି ନୂଆବର୍ଷରୁ ହିନ୍ଦୀ ଫିଲ୍ମ ‘ପୂଜା ମେରି ଜାନ୍’ର ସୁଟିଂ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ।