ରାଖୀଙ୍କ ଅସଲ ନାମ ନିରୁ ଭେଡ଼ା !

ବିବାଦର ଅନ୍ୟ ନାମ ପଚାରିଲେ ଅନେକ ଲୋକ ରାଖୀ ସାୱନ୍ତଙ୍କୁ ମନେ ପକାନ୍ତି। ଭାରତର ମନୋରଂଜନ ଦୁନିିଆରେ ରାଖୀଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ପ୍ରାୟ ସମସ୍ତେ ଭଲଭାବେ ଅବଗତ। ତେବେ ଅନେକ ଲୋକ ଏହା ଜାଣି ନ ଥିବେ ଯେ ରାଖୀଙ୍କର ଅସଲ ନାମ ହେଉଛି ନିରୁ ଭେଡ଼ା। ମନୋରଂଜନ ଶିଳ୍ପରେ ପଦାର୍ପଣ କରିବା ବେଳେ ସେ ତାଙ୍କର ନାମ ପରିବର୍ତ୍ତନ କରିଥିଲେ। ୧୯୯୭ରେ ‘ଅଗ୍ନିଚକ୍ର’ ଚଳଚ୍ଚିତ୍ର ଜରିଆରେ ସେ ପ୍ରଥମେ ରୁହି ସାୱନ୍ତ  ନାମରେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ୨୦୦୦ ମସିହାର ‘ଜୋରୁ କା ଗୁଲାମ’ ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଆଇଟମ୍ ଗୀତରେ ନୃତ୍ୟ କରିବାର ସୁଯୋଗ ମିଳିଥିଲା।

ସେଥିରେ ସେ ଗୋବିନ୍ଦାଙ୍କ ସହିତ ନୃତ୍ୟ କରିଥିଲେ। ଆଜିକାଲି ପୁରୁଷବନ୍ଧୁ ଆଦିଲ ଦୁରାନୀଙ୍କ ସହ ସେ ଲୋକଲୋଚନକୁ ଆସିବାର ଦେଖାଯାଇଥାଏ। ନିକଟରେ ସେ ସର୍ବଦା ବିବାଦରେ ରହିବାର କାରଣ କ’ଣ ବୋଲି ରାଖୀଙ୍କୁ ପଚରାଯିବାରୁ ସେ କହିଥିଲେ, ‘ଲୋକମାନେ ଚାହାନ୍ତି ନାହିଁ ଯେ ମୁଁ ଆଦିଲଙ୍କ ସହିତ ଶାନ୍ତିରେ ରହେ। ଏମାନେ ମୋର ବିବାହ ହେବାକୁ ଦେବେ ନାହିଁ। ମୁଁ ବିବାଦ ଚାହେଁ ନାହିଁ, କିନ୍ତୁ ଲୋକମାନେ ଅକାରଣରେ ମୋତେ ହଇରାଣ କରିବାକୁ ଚାହାନ୍ତି।’

ପ୍ରକୃତରେ ସେ ଏକଥା ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ବେଶ୍‌ କିଛି ସମୟ ହେଲା ରାଖୀ ଓ ଶର୍ଲିନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ଝଡ଼ ଲାଗିରହିଛି। ସେମାନଙ୍କ ଲଢ଼େଇ ଇତିମଧ୍ୟରେ ଥାନାରେ ପହଞ୍ଚିଗଲାଣି। ଉଭୟେ ପରସ୍ପର ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ରାଖୀ ପ୍ରଥମେ ଶର୍ଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିଲେ। ଏହା ପରେ ରାଖୀ ଏକ ସାମ୍ବାଦିକ ସମ୍ମିଳନୀରେ ଖରାପ ଭାଷା ବ୍ୟବହାର କରିଥିବାରୁ ତାଙ୍କ ସମେତ ତାଙ୍କର ଓକିଲଙ୍କ ବିରୋଧରେ ଶର୍ଲିନ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏମାନଙ୍କ ଲଢ଼େଇକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର