ଭୁବନେଶ୍ବର: ଆଉ ଏକ ରେକର୍ଡ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର। ଗତ ବର୍ଷ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’ ଏବେ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ୍, ଗୁଜୁରାଟୀ, ମରାଠୀ, ପଞ୍ଜାବୀ, ବେଙ୍ଗଲୀ ଭାଷାରେ ଡବ୍ ହେଉଛି। ଏହି ଚଳଚ୍ଚିତ୍ରଟିକୁ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ପ୍ରଯୋଜନା କରୁଛି। ଦଶଟି ଭାଷାରେ ଡବିଂ ହେଉଥିବା ଏହା ହେଉଛି ଦ୍ବିତୀୟ ଚଳଚ୍ଚିତ୍ର। ଏହା ପୂର୍ବରୁ ପନ୍ଦରଟି ଭାଷାରେ ଡବିଂ ହେଇଥିଲା ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’।
ଏହା ଏକ ରୋମାଣ୍ଟିକ୍ ଥ୍ରିଲର ଡ୍ରାମା। ଓଡ଼ିଶାର ଦୁଇ ଯୁବକ ରାଜ ଓ ଆକାଶ ଜଣେ ଯୁବତୀ ଅଞ୍ଜଳିଙ୍କ ପ୍ରେମରେ ପଡ଼ୁଛନ୍ତି। କିଏ ହେବ ଅଞ୍ଜଳିର? ଏହା ବଡ଼ ଜଟିଳ ପ୍ରଶ୍ନ। ଏଥିପାଇଁ ଦୁଇ ଯୁବକଙ୍କୁ ବହୁତ କିଛି ହରାଇବାକୁ ପଡ଼ିଛି। ପ୍ରେମର ଏକ ଅଜବ ଓ ଅଭାବନୀୟ ପରିସ୍ଥିତିରେ ରାଜ ନା ଆକାଶ କିଏ ବାଜି ଜିତୁଛି, ଏ ନେଇ ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’ରେ ଏକ ରୋମାଞ୍ଚକ ଓ ରହସ୍ୟମୟ ପରିସ୍ଥିତି ଦେଖିବାକୁ ମିଳିବ। ଏଇ ଚଳଚ୍ଚିତ୍ରକୁ ସୁଦୃଶ୍ୟ ଓ ଜୀବନ୍ତ କରିବା ପାଇଁ ଏହାର ଅନେକାଂଶ ଦୃଶ୍ୟ ଉତ୍ତରାଖଣ୍ଡର ବିଭିନ୍ନ ସୌନ୍ଦର୍ଯ୍ୟମୟ ସ୍ଥାନରେ ଚିତ୍ରୋତ୍ତୋଳନ କରାଯାଇଛି। ନିର୍ଦ୍ଦେଶକ ରମାଶଙ୍କର ଏହି ଚଳଚ୍ଚିତ୍ରଟିକୁ ରୋଚକ ଓ ମନୋରଂଜକ କରିବାକୁ ଯଥେଷ୍ଟ ପ୍ରୟାସ କରିଛନ୍ତି। ଏହାର ସଂଳାପ, ସଙ୍ଗୀତ, ଚିତ୍ରୋତ୍ତୋଳନ, ସମ୍ପାଦନା; କେଉଁଥିରେ ବି ସେ ସାଲିସ କରିନାହାଁନ୍ତି। ମୁମ୍ବାଇ, ପଞ୍ଜାବ, ଉତ୍ତରପ୍ରଦେଶ, ଚେନ୍ନାଇ ଏବଂ ଓଡ଼ିଶାର ଟେକ୍ନିସିଆନ୍ମାନେ ମିଳିତ ଭାବେ କାମ କରିଛନ୍ତି।
ଏଥିରେ ଅଭିନେତା ସ୍ବରାଜ, ଶ୍ରେୟାନ୍ ଓ ଅଭିନେତ୍ରୀ ମାନବୀ ପଟେଲ୍ ଅଛନ୍ତି। ‘ଓଏ ଅଞ୍ଜଳି’ରେ କାହାଣୀ ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ରମାଶଙ୍କର ଏବଂ ପ୍ରଯୋଜନା କରିଛନ୍ତି ସୁମନ ବର୍ମା। କ୍ରିଏଟିଭ୍ ଡାଇରେକ୍ଟନ୍ ସହ ସଂଳାପ ରଚନା କରିଛନ୍ତି ଦେବାଶିଷ ଓ ଅଶ୍ବିନୀ ଗଡ଼ନାୟକ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଫାଇଟ୍ ନିର୍ଦ୍ଦେଶନାରେ ଅଛନ୍ତି ଜୁଡୋରାମୁ।