ଦୀପାବଳିରେ ଆସିବ ୱେବ ସିରିଜ ‘ପି ସେ ପ୍ଳେଜର’

ଭୁବନେଶ୍ବର: ଟିନ୍ଏଜରେ ପୁଅ ଝିଅଙ୍କ ପ୍ରେମ କିଛି ନୂଆ ନୁହେଁ | କିନ୍ତୁ ଏଠି ମନ ମିଶିଛି ଦୁଇ ଝିଅଙ୍କର । ଦୁଇ ଯୁବତୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଦୀପାବଳିରେ  ଆସୁଛି ନୂଆ ୱେବ ସିରିଜ୍ ‘ପି ସେ ପ୍ଲେଜର୍ ‘।

ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଏହି ୱେବ ସିରିଜର ପ୍ରମୁଖ  ଚରିତ୍ରରେ ଅଛନ୍ତି  ସିନ୍ଦୂରା ରାଉତ ଓ ଅମ୍ରିତା ମିଶ୍ର । ସିନ୍ଦୂରା ତେଲୁଗୁ ଚଳଚ୍ଚିତ୍ରର ଜଣେ ଚର୍ଚ୍ଚିତ ନାୟିକା ହୋଇଥିବା ବେଳେ ଅମ୍ରିତା ହେଉଛନ୍ତି  ଓଡ଼ିଆ ୱେବ ସିରିଜର ପରିଚିତ ଚେହେରା। ଯୁବ ନିର୍ଦ୍ଦେଶକ ଅବିନାଶ ରାଉତ ‘ପି ସେ ପ୍ଳେଜର’ର ନିର୍ଦ୍ଦେଶନା ଦେଇଛନ୍ତି। ଅବିନାଶ ପୂର୍ବରୁ କେତୋଟି ବଲିଉଡ ଚଳଚ୍ଚିତ୍ର, ଧାରାବାହିକ ଓ ଟେଲିଭିଜନ ସୋ’ର ସହଯୋଗୀ  ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ! ‘ପି ସେ ପ୍ଲେଜର୍’ ୱେବ ସିରିଜ ହେଉଛି ତାଙ୍କର ଡ୍ରିମ ପ୍ରୋଜେକ୍ଟ।

ଅବିନାଶଙ୍କ ମତରେ, ‘କଣ୍ଟେଣ୍ଟ ଓରିଏଣ୍ଟେଡ ବା ବଳିଷ୍ଠ କାହାଣୀ ଭିତ୍ତିକ ୱେବ ସିରିଜ ନିର୍ମାଣ କରିବା ଆମର ଲକ୍ଷ୍ୟ ରହିଛି ଯାହା ଜାତୀୟ ସ୍ତରରେ ଚର୍ଚ୍ଚା ଓ ଆଲୋଚନାର ପରିସରକୁ ଆସି ପାରିବ | ସିନ୍ଦୂରାଙ୍କ ଅଭିନୀତ ଏହା ପ୍ରଥମ ହିନ୍ଦୀ ୱେବ ସିରିଜ ହୋଇଥିବା ବେଳେ ଏଥିରେ ସେ ବେଶ ପ୍ରଭାବଶାଳୀ  ଅଭିନୟ କରିଛନ୍ତି |

ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନ୍ୟାୟିକ ମାନ୍ୟତା ମିଳିଥିଲେ ସୁଦ୍ଧା ଆଜିବି ପରିବାର ତଥା ସମାଜର ସ୍ବୀକୃତି ପାଇଁ କିଭଳି ସଂଘର୍ଷ କରିବାକୁ ପଡୁଛି ତାହାର ନିଛକ ଚିତ୍ର ଏଠାରେ ଦେଖିବାକୁ ମିଳିବ। ରୋମାଞ୍ଚକ  କାହାଣୀରେ ଲଭ୍, ଆକ୍ସନ, ସସ୍ପେନ୍ସ, ଥ୍ରିଲର୍ ଓ ମର୍ଡର ମିଷ୍ଟ୍ରି ସାଙ୍ଗକୁ ଏପରି କିଛି ଅନ୍ତରଙ୍ଗ ଦୃଶ୍ୟ ରହିଛି ଯାହା ଦର୍ଶକଙ୍କୁ ରୋମାଞ୍ଚିତ କରିବ। ତେବେ ଟିଜର ରିଲିଜ ହେବା ପରେ ଏହି ବୋଲଡ ସିନକୁ ନେଇ ଟଲିଉଡ଼ରୁ ଓଲିଉଡ଼ଯାଏ  ଚର୍ଚ୍ଚା ଜୋର ଧରିଛି ।

ଏ ସମ୍ପର୍କରେ ସିନ୍ଦୂରା କହନ୍ତି, ‘ଜଣେ ଅଭିନେତ୍ରୀକୁ ଚରିତ୍ର ଉପଯୋଗୀ ଅଭିନୟ କରିବାକୁ ହୋଇଥାଏ। ଆଉ ଏଠି ମୁଁ କେବଳ ମୋ କାମ କରିଛି । ମୋ  ଚରିତ୍ରକୁ ଉପଯୁକ୍ତ ନ୍ୟାୟ ଦେବାକୁ ସାଧ୍ୟମତେ ଚେଷ୍ଟା କରିଛି ।ଆଶା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ମୋ ଅଭିନୟର ସଫଳତା ପଛରେ ନିର୍ଦ୍ଦେଶକଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି, ନଚେତ ମୁଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ଆଦୌ ନ୍ୟାୟ ଦେଇପାରି ନଥାନ୍ତି |’ ଏହି ୱେବ ସିରିଜଟି ଓଟିଟି ପ୍ଲାଟଫର୍ମ ଏ ଆର୍ ପ୍ରାଇମରେ ମୁକ୍ତିଲାଭ କରିବ ।

ସମ୍ବନ୍ଧିତ ଖବର