ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତୀ’ର ପ୍ରଥମ ଗୀତ

‘ବାହୁବଳୀ’ ପରେ ରେକର୍ଡ କରିବ ‘ପଦ୍ମାବତୀ’!

ମୁମ୍ବାଇ: ଦୀପିକା ପାଦୁକୋନ ଅଭିନୀତ ସଞ୍ଜୟ ଲୀଲା ଭଂସାଲିଙ୍କ ବହୁଚର୍ଚ୍ଚିତ ତଥା ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତୀ’ର ପ୍ରଥମ ଗୀତ ବୁଧବାର ରିଲିଜ୍‌ ହୋଇଯାଇଛି। ଚଳଚ୍ଚିତ୍ରଟିରେ ସାହିଦ କପୁର୍‌ ଏବଂ ରଣବୀର ସିଂହ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ରିଲିଜ୍‌ ହୋଇଥିବା ଗୀତଟିରେ ପାରମ୍ପରିକ ରାଜସ୍ତାନୀ ସଂସ୍କୃତିର ଛିଟା ଦେଖିବାକୁ ମିଳିଛି। ଗୀତଟିକୁ ଦେଖିବା ପରେ ମନେ ହୁଏ ରାଜମୌଲୀଙ୍କ ‘ବାହୁବଳୀ’ ପରେ ଚଳଚ୍ଚିତ୍ର ଦୁନିଆରେ ଚାଞ୍ଚଲ୍ୟ ସୃଷ୍ଟି କରିବ ଭଂସାଲିଙ୍କ ‘ପଦ୍ମାବତୀ’।

ତେବେ, ଭିଡିଓଟିରେ ଦେଖିବାକୁ ମିଳୁଥିବା ଏହି ନୃତ୍ୟଟିକୁ କୁହାଯାଉଛି ‘ଘୁମର’। ରାଜସ୍ତାନୀ ମହିଳାମାନେ କୌଣସି ପ୍ରକାର ସ୍ୱତନ୍ତ୍ର ଉତ୍ସବରେ ଏହି ନୃତ୍ୟ ପ୍ରଦର୍ଶନ କରିଥାନ୍ତି ବୋଲି ‘ପଦ୍ମାବତୀ’ର ଅଫିସିଆଲ୍‌ ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଏପରିକି କନ୍ୟା ପ୍ରଥମ କରି ଶ୍ୱଶୂର ଘରେ ପାଦ ରଖିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ଏହି ନୃତ୍ୟ କରାଯାଇଥାଏ। ନିଜେ କନ୍ୟା ମଧ୍ୟ ଘୁମର ନୃତ୍ୟ କରିବା ପ୍ରଥା ରହିଛି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତୀ’। ଏଥିରେ ରାଣୀ ପଦ୍ମାବତୀଙ୍କ ଭୂମିକା ନିଭେଇବେ ଦୀପିକା ପାଦୁକୋନ। ସୁଲତାନ ଆଲ୍ଲାଉଦ୍ଦିନ ଖଲିଜୀଙ୍କ ଭୂମିକାରେ ନଜର ଆସିବେ ରଣବୀର ସିଂହ। ମହାରାଓ୍ଵଲ ରତନ ସିଂହ ଭୂମିକାରେ ଦେଖିବାକୁ ମିଳିବେ ସାହିଦ କପୁର୍‌।

 

ସମ୍ବନ୍ଧିତ ଖବର