‘ପଦ୍ମାବତୀ’ର ରିଲିଜ୍‌ ତାରିଖ ଘୁଞ୍ଚାଇବାକୁ ଭାଜପାର ଦାବି

ମୁମ୍ବାଇ: ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା‘ପଦ୍ମାବତୀ’ର ରିଲିଜ୍‌ ତାରିଖ ଢ଼େର ଦିନ ଆଗରୁ ଘୋଷିତ ହୋଇଛି। ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ସିନେମା ଆଗାମୀ ଡିସେମ୍ବର ୧ ତାରିଖରେ ପରଦାକୁ ଆସୁଛି। କିନ୍ତୁ ଏହାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଏ କେ ଜାଡେଜା କହିଛନ୍ତି ଯେ ଗୁଜୁରାଟରେ ଆଗାମୀ ଡିସେମ୍ବର ୯ରୁ ୧୪ ତାରିଖ ଭିତରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ‘ପଦ୍ମାବତୀ’ ରିଲିଜ୍‌ ହେଲେ ରାଜ୍ୟରେ ଭୟାବହ ପରିସ୍ଥିତି ଉପୁଜିପାରେ ବୋଲି ସେ ଆଶଙ୍କା କରିଛନ୍ତି। ଏହି ସିନେମାରେ ରାଜପୁତ ସଂପ୍ରଦାୟର ଭାବନାକୁ ଆଘାତ କରିବାଭଳି କିଛି ପ୍ରସଙ୍ଗ ରହିଛି। ଏଥିରେ ରାଣୀ ପଦ୍ମାବତୀ ଆଲ୍ଲାଉଦିନ ଖିଲଜୀକୁ କେବେ ଭେଟି ନଥିବା ସତ୍ତ୍ୱେ ତାହା ଦର୍ଶାଯାଇଛି। ଏଣୁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାକୁ ଅଥବା ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁୁ ଭାଜପା ପକ୍ଷରୁ ଦାବି କରାଯାଇଛି।‘ପଦ୍ମାବତୀ’ର ରିଲିଜ୍‌ ଆଗରୁ ଏହାର ପ୍ରି ସ୍କ୍ରିନିଂ କରାଯାଇ ରାଜପୁତ ସଂପ୍ରଦାୟର ପ୍ରତିନିଧିମାନଙ୍କୁ ଦେଖାଇବାକୁ ବି ଦାବି ହୋଇଛି। ଏ ସଂକ୍ରାନ୍ତରେ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ମଧ୍ୟ ପତ୍ର ଦିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର