ରାଜସ୍ଥାନରେ ରିଲିଜ୍‌ ହେବ ନାହିଁ ‘ପଦ୍ମାବତ୍‌’: ରାଜ୍ୟ ଗୃହମନ୍ତ୍ରୀ

ଜୟପୁର: ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଟ୍‌(ସିବିଏଫ୍‌ସି) ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତ୍‌’ ଚଳଚ୍ଚିତ୍ରକୁ ସବୁଜ ସଂକେତ ଦେବା ପରେ ବି ଚଳଚ୍ଚିତ୍ରକୁ ନେଇ ବିବାଦ  ଥମିବାର ନାଁ ଧରୁନି। ନିକଟରେ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି ଯେ ଚଳଚ୍ଚିତ୍ରଟି ରାଜ୍ୟରେ ମୁକ୍ତିଲାଭ କରିପାରିବ ନାହିଁ।

ରାଜସ୍ଥାନର ଗୃହମନ୍ତ୍ରୀ ଗୁଲାବ୍‌ ଚାନ୍ଦ୍‌ କଟରିଆ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରାଜ୍ୟରେ ମୁକ୍ତିଲାଭ କରିବ ନାହିଁ।

‘ପଦ୍ମାବଦ୍‌’ ଜାନୁଆରି ୨୫ ତାରିଖରେ ମୁକ୍ତିଲାଭ କରିବ ବୋଲି ଘୋଷଣା ହେବାର ମାତ୍ର କେତେ ସମୟ ପରେ ମନ୍ତ୍ରୀ ଏପରି ବୟାନ ଦେଇଛନ୍ତି। ପୂର୍ବରୁ ଚଳଚ୍ଚିତ୍ରଟି ୨୦୧୭ ମସିହା ଡିସେମ୍ବର ପହିଲାରେ ରିଲିଜ୍‌ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା।

ସେନ୍‌ସର୍‌ ବୋର୍ଡ ଚଳଚ୍ଚତ୍ରଟିର ନାଁ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ କରିବା ପୂର୍ବରୁ ରାଜସ୍ଥାନ ସମେତ ଗୁରୁଜାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି ରାଜ୍ୟଗୁଡ଼ିକ ଚଳଚ୍ଚିତ୍ରର ମୁକ୍ତଲାଭ ନେଇ କଟକଣା ଜାରି ହୋଇଥିଲା।

ଚଳଚ୍ଚିତ୍ରଟିକୁ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ସେନ୍‌ସର୍‌ ବୋର୍ଡ ଏକ ସ୍ୱତନ୍ତ୍ର ପ୍ୟାନେଲ୍‌ ଗଠନ କରିଥିଲା। ଏହି ପ୍ୟାନେଲ୍‌ରେ ଐତିହାସିକ ଏବଂ ରାଜସ୍ଥାନ ରାଜ ପରିବାର ସଦସ୍ୟଙ୍କୁ ସାମିଲ୍‌ କରାଯାଇଥିଲା। ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ଯେ କୌଣସି ପ୍ରକାର କଟ୍‌ ବିନା ୫ଟି ସର୍ତ୍ତରେ ଚଳଚ୍ଚିତ୍ରଟି ରିଲିଜ୍‌ ହେବ। ସେହି ସର୍ତ୍ତଗୁଡ଼ିକ ମଧ୍ୟରେ ଥିଲା, ଚଳଚ୍ଚିତ୍ର ଆରମ୍ଭରେ ପରିଷ୍କାର ଭାବେ ଲେଖାଯିବ ଯେ ଏହା କୌଣସି ଐତିହାସିକ କାହାଣୀ ଉପରେ ଆଧାରିତ ନୁହେଁ, ଦ୍ୱିତୀୟରେ ଚଳଚ୍ଚିତ୍ରର ଶୀର୍ଷକ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ ହେବ। ତୃତୀୟରେ ଚଳଚ୍ଚିତ୍ରରେ ଥିବା ‘ଘୁମର୍‌’ଗୀତରେ ପରିବର୍ତ୍ତନ ଅଣାଯିବ ଇତ୍ୟାଦି।

ଉଲ୍ଲେଖଯୋଗ୍ୟ, ଦୀପିକା ପାଦୁକୋନ୍‌, ରଣବୀର ସିଂହ ଏବଂ ସାହିଦ୍‌ କପୁର୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଆରମ୍ଭରୁ ହିଁ ବିବାଦର ପରିସରରେ ରହିଆସିଛି।

ସମ୍ବନ୍ଧିତ ଖବର