ରାଜକୋଟ: ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ନିକଟରେ ବିଭିନ୍ନ ରାଜ୍ୟରେ ନିଷେଧାଦେଶ ଜାରି ହୋଇଥିବା ବେଳେ ଶନିବାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏ ସଂପର୍କରେ ନିଜର ମତ ରଖିଛନ୍ତି। ସେ ଗୁଜୁରାଟରେ ଚଳଚ୍ଚିତ୍ର ମୁକ୍ତିିଲାଭ ଉପରେ ନିଷେଧାଦେଶ ଜାରି କରି କହିଛନ୍ତି, ‘ଚଳଚ୍ଚିତ୍ରଟିରେ ମହିଳାମାନଙ୍କୁ ଯେଉଁଭଳି ଭାବେ ଉପସ୍ଥାପିତ କରାଯାଇଛି ସେପରି ହେବାର ନଥିଲା। ସେଇ କାରଣରୁ ହିଁ ରାଜ୍ୟରେ ଚଳଚ୍ଚିତ୍ର ମୁକ୍ତିଲାଭ କରାଇ ଦିଆଯିବ ନାହିଁ। ଗୁଜୁରାଟରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଥିବା ବେଳେ ଏହି ଚଳଚ୍ଚିତ୍ର ସେ ସମ୍ମାନ କ୍ଷୁର୍ଣ୍ଣ କରିପାରେ।’

Advertisment

ଗତ ସପ୍ତାହରେ ସୁପ୍ରିମ୍‌କୋର୍ଟ ‘ପଦ୍ମାବତୀ’ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ମାନ୍ୟବର ଅଦାଲତ ଜଣାଇଛନ୍ତି କି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌(ସିବିଏଫ୍‌ସି) ଏ ପର୍ଯ୍ୟନ୍ତ ଚଳଚ୍ଚିତ୍ରକୁ ନେଇ କୌଣସି ପ୍ରମାଣପତ୍ର ଜାରି କରିନାହିଁ।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲିଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ର ସୁଟିଂ ଆରମ୍ଭରୁ ହିଁ ବିବାଦ ମଧ୍ୟରେ ରହିଆସିଛି। ଏହି ଚଳଚ୍ଚିତ୍ରଟି ରାଜପୁତମାନଙ୍କ ମାନ ହ୍ରାସ କରିବା ସହ ଇତିହାସକୁ କଦର୍ଥ କରୁଛି ବୋଲି ଦାବି କରି ପ୍ରଥମେ କର୍ଣ୍ଣି ସେନା ପକ୍ଷରୁ ଦାବି ହୋଇଥିବା ବେଳେ ପରେ ଦେଶର ବିଭିନ୍ନ ସଂପ୍ରଦାୟ ଓ ରାଜ୍ୟ ପକ୍ଷରୁ ଚଳଚ୍ଚିତ୍ରକୁ ନେଇ ବିରୋଧ ବୃଦ୍ଧି ପାଇଛି।