ବ୍ରିଟିଶ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ ଦ୍ୱାରା ‘ପଦ୍ମାବତୀ’ ସେନସର୍‌ ସରିଲା,ବିଦେଶରେ କ’ଣ ଡିସେମ୍ବର ୧ରେ ରିଲିଜ ହେବ ?

ମୁମ୍ବାଇ: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’କୁ ଇଂଲାଣ୍ଡରେ ଡିସେମ୍ବର ୧ ତାରିଖରେ ରିଲିଜ୍‌ କରିବାଲାଗି ବ୍ରିଟିଶ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ବିବିଏଫ୍‌ ସି) ପକ୍ଷରୁ 12A ସେନସର ପ୍ରମାଣପତ୍ର ଦିଆଯାଇଛି। ଏହି ସିନେମା ସେଠାରେ ରିଲିଜ୍‌ ହେବାରେ ଆଉ କିଛି ଅସୁବିଧା ନାହିଁ ,ମାତ୍ର ପ୍ରଯୋଜନା ସଂସ୍ଥା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି)ର ସେନସର ସାର୍ଟିଫିକେଟ୍‌ ପ୍ରାପ୍ତି ଯାଏଁ ଅପେକ୍ଷା କରିବ ବୋଲି କୁହାଯାଉଛି। ଶୁଣିବାକୁ ମିଳୁଛି ଯେ ସି ବି ଏଫ୍‌ ସିର ପ୍ରମାଣପତ୍ର ପାଇବାପରେ ହିଁ ‘ପଦ୍ମାବତୀ’ ସାରା ବିଶ୍ୱରେ ରିଲିଜ୍‌ ହେବ। ସମ୍ଭବତଃ ଏହା ୨୦୧୮ ଫେବୃଆରି ମାସରେ ପରଦାକୁ ଆସିବ।

ଏଠାରେ ସୂଚନାଯୋଗ୍ୟ ଯେ‘ପଦ୍ମାବତୀ’ର ସେନସର୍‌ ଲାଗି ଆବେଦନ କରାଯାଇଛି। ତାପରେ ଫିଲ୍ମର ପ୍ରଯୋଜନା ସଂସ୍ଥା ପକ୍ଷରୁ‘ପଦ୍ମାବତୀ’ର ସେନସର୍‌ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାଲାଗି ଆବେଦନ କରାଯାଇଥିଲା। କିନ୍ତୁ ଏଭଳି ଆବେଦନକୁ ସିଧାସଳଖ ଅଗ୍ରାହ୍ୟ କରି ଦେଇଛି ସିବିଏଫ୍‌ସି। କ୍ରମ ଅନୁସାରେ ଯେବେ ‘ପଦ୍ମାବତୀ’ର ପାଳି ପଡ଼ିବ ସେବେ ନିୟମ ଅନୁଯାୟୀ ଫିଲ୍ମର ସେନସର୍‌ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ ପୂର୍ବରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ‘ପଦ୍ମାବତୀ’ର ସେନସର୍‌ ଲାଗି ଯେଉଁ ଆବେଦନ ପତ୍ର ଦିଆଯାଇଥିଲା ତାହା ଅସଂପୂର୍ଣ୍ଣ ଥିଲା।

ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନତଳେ କିଛି ବରିଷ୍ଠ ସାମ୍ବାଦିକଙ୍କୁ ‘ପଦ୍ମାବତୀ’ର ପ୍ରଦର୍ଶନ ଲାଗି ଯେଉଁ ଆୟୋଜନ କରାଯାଇଥିଲା ତାହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି)ର ଅଧ୍ୟକ୍ଷ ପ୍ରସୁନ ଯୋଶୀ ନିନ୍ଦା କରିବା ସହିତ ଏହା ସେନସର ବୋର୍ଡ ପ୍ରତି ଅପମାନଜନକ ବୋଲି ମନ୍ତବ୍ୟ ଦେଇଥିଲେ। ଏଭଳି ପରିସ୍ଥିତିରେ ‘ପଦ୍ମାବତୀ’ର କେବେ ସେନସର୍‌ ହେଉଛି ତାହା ଦେଖିବା କଥା। ଏଠାରେ ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ । ଅନ୍ୟପକ୍ଷରେ ଏଥିରେ ଆଲ୍ଲାଉଦ୍ଦିନ ଖିଲଜି ଚରିତ୍ର ନିଭାଇଛନ୍ତି ରଣବୀର ସିଂହ । ଠିକ୍‌ ସେହିପରି ଶାହିଦ୍‌ କପୁର ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ।

ଆହୁରି ମଧ୍ୟ ଏହାକୁ ଗୁଜୁରାଟ ,ରାଜସ୍ଥାନ, ଏବଂ ମଧ୍ୟ ପ୍ରଦେଶ ସରକାର ସେମାନଙ୍କ ରାଜ୍ୟରେ ପ୍ରଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଛନ୍ତି। ତେଣେସର୍ବ ବ୍ରାହ୍ମଣ ମହାସଭା ‘ପଦ୍ମାବତୀ’ ବିରୁଦ୍ଧରେ ଆନ୍ଦୋଳନର ପ୍ରତୀକ ଭାବେ ଏକ ରକ୍ତ ଲେଖା ଚିଠି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପାଖକୁ ପଠାଇଥିବା ମଧ୍ୟ ଜଣାଯାଇଛି । ସମାଜବାଦୀ ପାର୍ଟି ନେତା ତଥା କ୍ଷତ୍ରିୟ ସମାଜର କର୍ମକର୍ତ୍ତା ଠାକୁର ଅଭିଷେକ ସୋମ୍‌ ଦୀପିକା ପାଦୁକୋନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ଯେ ସେ ଦେଶ ଛାଡି ଚାଲି ଯାଆନ୍ତୁ, ଅଥବା ମୁଣ୍ଡକାଟ ଲାଗି ପ୍ରସ୍ତୁତ ରହନ୍ତୁ । ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଫିଲ୍ମକୁ ରିଲିଜ୍‌ ନ କରିବାର ଚେତାବନୀ ଦେବା ସହ, ଯଦି ସେପରି ନ କରନ୍ତି, ତାହାର କୁପରିମାଣ ଭୋଗିବାକୁ ପ୍ରସ୍ତୁତ ରହନ୍ତୁ ବୋଲି କହିଛନ୍ତି । ଠିକ୍‌ ସେହିପରି କରଣୀସେନା ପକ୍ଷରୁ ବି ଏବେ ବି ଫିଲ୍ମକୁ ବିରୋଧ ଜାରି ରହିଛି।ଏବେ ଦେଖିବା କଥା ଯେ ବିଦେଶରେ ଡିସେମ୍ବର ୧ ତାରିଖରେ ‘ପଦ୍ମାବତୀ’ ରିଲିଜ୍‌ ହୋଇ ପାରୁଛି କି ନା ଏବଂ ସେନସର ବୋର୍ଡ ଏହି ସିନେମାରୁ କେଉଁ ସିନ୍‌ ବାଦ ଦେଉଛି।!

ସମ୍ବନ୍ଧିତ ଖବର