ନୂଆ କାମଟେ ପାଇଲେ ଏତେ ପ୍ରଯତ୍ନର ସହ କରେ, ଦର୍ଶକ ଆଉ ସହକର୍ମୀ ପ୍ରଶଂସା କରନ୍ତି, ମୁଁ ପୁଲକିତ ହେଇଉଠେ : ଚୌଧୁରୀ ବିକାଶ ଦାସ

ପୁଲକ ଏମିତି ଏକ ଶବ୍ଦ ଓ ଅନୁଭବ, ଯାହା ମୋ ଜନ୍ମ ସାଙ୍ଗରେ ଯୋଡ଼ିହେଇଯାଇଛି। ମା’ ସାରଳାଙ୍କ ପୀଠ ପଛପାଖେ କୋତିଆଁ ବାରଙ୍ଗ ଗାଁରେ ମୋର ଜନ୍ମ। ପ୍ରଭୁ ଶ୍ରୀକୃଷ୍ଣଙ୍କ ପରି ମୋତେ ଜନ୍ମ ଦେଇଛନ୍ତି ଜଣେ ଏବଂ ପାଳନ କରିଛନ୍ତି ଆଉ ଜଣେ। ମୋର ଦୁଇ ଜନନୀ। ସେ ଦୁହିଁଙ୍କ ପାଖରେ ଥାଏ କି ଦୂରରେ ଥାଏ ମନେପଡ଼ିବା ମାତ୍ରେ ପୁଲକିତ ହେଇଉଠେ। ମୋ ବୟସ ମନେନାହିଁ। ପିଲାବେଳେ ନାଟକରେ ଅଭିନୟ କରିବାର ସୁଯୋଗ, ମୋର ପ୍ରିୟ ପୋଷାକ ହଜେଇବାର ଅନୁଭୂତି ଏବଂ ନାଟକ ଶେଷରେ ହାସ୍ୟାସ୍ପଦ ଆଉ ଦର୍ଶକଙ୍କ ତାଚ୍ଛଲ୍ୟର ଶିକାର ହେବା ମଧ୍ୟ ସେ ସମୟରେ ପୁଲକିତ କରିଥିଲା। ନିନ୍ଦା ସିନା ମିଳେ ହେଲେ ଅନେକ କଳାକାରଙ୍କ ଭିତରୁ ମୋତେ ହିଁ ମନୋନୀତ କରାଯାଇଥାଏ।

ସ୍କୁଲ, କଲେଜରେ ଅନେକ ନାଟକରେ ଅଭିନୟ କରିବାର ସୁଯୋଗ ପାଇଛି, ପିଲାଦିନର ସେଇ ଶିକ୍ଷା ଓ ଅଭିଜ୍ଞତାରୁ ଅଭିନୟ କରେ। ମୋତେ ଲାଗେ ଦର୍ଶକଙ୍କ ତାଚ୍ଛଲ୍ୟ ଓ ତିରସ୍କାର ମୋତେ ପୁଣି ପରିପକ୍ବ ଅଭିନୟ ପାଇଁ ପ୍ରେରିତ କରେ, ପୁଣି ସେମାନଙ୍କୁ ବାନ୍ଧି ରଖିବାକୁ ପ୍ରୟାସ କରେ। କାହାର ପରିହାସ ଅବଶ୍ୟ ଅଭିନୟ ପୂର୍ବରୁ ପୂର୍ବପ୍ରସ୍ତୁତି ପାଇଁ ମୋତେ ଖୋରାକ ଯୋଗାଏ। ପୁଣି ନୂଆ କାମଟି ପାଇଲେ ଏତେ ପ୍ରଯତ୍ନର ସହ କରେ, ଦର୍ଶକ ଆଉ ସହକର୍ମୀ ପ୍ରଶଂସା କରନ୍ତି, ମୁଁ ପୁଣି ପୁଲକିତ ହେଇଉଠେ।

ବାପା ଥିଲେ ଡାକ୍ତର। ତେଣୁ ମୋତେ ଡାକ୍ତର କରିବାକୁ ତାଙ୍କର ଇଚ୍ଛାଥିଲା। ହେଲେ ବେଙ୍ଗ, ଜିଆ, ସାପ ପ୍ରଭୃତିଙ୍କୁ କାଟି ପାରିବାର ଅକ୍ଷମତା ଓ ବୀତସ୍ପୃହତା ଯୋଗୁ ସେ ମୋତେ ଡାକ୍ତରୀ ରାସ୍ତାରୁ ଆଡ଼େଇ ଆଣିଲେ। ସେତେବେଳକୁ କିନ୍ତୁ କ୍ୟାରିୟର କରିବା ପାଇଁ ମୋତେ ଦୁଇଟି ବିଭାଗ ଆବୋରିବସିଥାଏ। ଗୋଟିଏ ‘ଅଭିନୟ’, ଅନ୍ୟଟି ‘ଚିତ୍ରାଙ୍କନ’।

‘ବିଜ୍ଞାନ’ ଛାଡ଼ି ବିଜେବି କଲେଜରେ ‘କଳା’ ପଢ଼ୁଥାଏ। କଲେଜରେ ଆୟୋଜିତ ହୋଇଥାଏ ନାଟକ ‘ମୁଁ ଆମ୍ଭେ ଆମ୍ଭେମାନେ’। ଏହାର ପ୍ରସ୍ତୁତି ସମୟରେ ଉକ୍ତ ନାଟକର ନିର୍ଦ୍ଦେଶକ ଅଜିତ ଦାସଙ୍କ ସହ ଦେଖାହେଲା। ନାଟକ ଶେଷରେ ତାଙ୍କ ସହ ଆଳାପ ଆଲୋଚନା ହେବାବେଳେ ମୋତେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ନାମ ଲେଖାଇବାକୁ ଉପଦେଶ ଦେଲେ। ଆପ୍‌ଟିଚ୍ୟୁଡ୍ ଟେଷ୍ଟ୍‌ରେ ଉତ୍ତୀର୍ଣ୍ଣ ହେଲାପରେ ମୋ ଗୁରୁ ବିଜୟ ମହାନ୍ତି ଓ ଅଜିତ ଦାସ ମୋ ଉପରେ ଯେଉଁ ଆସ୍ଥାଜନକ ଟିପ୍‌ପଣୀ ଦେଉଥିଲେ, ସେବେଳେ ମଧ୍ୟ ମୁଁ ପୁଲକିତ ହେଉଥିଲି। ନାଟକ ବିଭାଗରେ ଶିକ୍ଷାଲାଭ କରୁଥିବା ସମୟରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ନିର୍ଦ୍ଦେଶକମାନଙ୍କ ସହ କାମ କରିବା, ପ୍ରଶଂସା ପାଇବା, ଦର୍ଶକଙ୍କର ପ୍ରିୟଭାଜନ ହେବା, ନିଜ ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିବା ଅନେକ ସମୟରେ ପୁଲକିତ କରିଛି।

ପୁଣି ପୁଲକିତ ହେଇଥିଲି ସେଦିନ, ଯେଉଁଦିନ ଓଡ଼ିଆ ଚଳଚ୍ଚିତ୍ର ପରିବାର ମୋତେ ସେମାନଙ୍କ ପରିବାରର ଜଣେ ସଦସ୍ୟ ଭାବେ ଆପଣେଇନେଲା। ଅଭିନୟ ଓ ନିର୍ଦ୍ଦେଶନା ସହ ମୁଁ ଜଡ଼ିତ। ମୋର ଅନେକ କାମର ଭୂୟସୀ ପ୍ରଶଂସା ସହ ବିଦେଶରୁ ନିମନ୍ତ୍ରଣ ଓ ସମ୍ବର୍ଦ୍ଧନା ମଧ୍ୟ ମିଳିଛି, ଏହା ମଧ୍ୟ ପୁଲକିତ କରିଛି। ଅଭିନୟ କରୁ କରୁ ଜଣେ ପ୍ରଯୋଜକ ଗୋଟେ ବିଗ୍ ବଜେଟ୍‌ର ସିନେମା କରିବାକୁ ସୁଯୋଗ ଦେଇଥିଲେ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହେଇଥିଲା। ଏହାର ଡ୍ରାମା ଏବଂ ସଙ୍ଗୀତ ଦର୍ଶକଙ୍କୁ ଏତେ ବିମୋହିତ କରିଥିଲା ଯେ କେହି କେହି ମୋ କାମକୁ ଉଚ୍ଛ୍ବସିତ ପ୍ରଶଂସା ଦେଇଥିଲେ, ତାହା ମଧ୍ୟ ଏକ ନିଆରା ପୁଲକ ଦେଇଥିଲା। ସବୁଠାରୁ ବଡ଼ ପରିଚୟ ଓ ଅଜସ୍ର ପୁଲକ ମୋତେ ଦେଇଛି ‘ଶ୍ରୀଜଗନ୍ନାଥ’ର ‘ଧଡ଼ି ଗୋସେଇଁ’ ଚରିତ୍ରଟି। ସବୁ ବର୍ଗର ଦର୍ଶକଙ୍କ ସ୍ନେହ, ଶ୍ରଦ୍ଧା, ଭକ୍ତି, ଭଲପାଇବା, ବିଶ୍ବାସ; ସବୁକଛି ମୁଁ ପାଇଛି। ଏବେ ମଧ୍ୟ ଯୁବ ନିର୍ଦ୍ଦେଶକମାନଙ୍କର ମୋ ଉପରେ ବିଶ୍ବାସ, ଯୁବକଳାକାରମାନଙ୍କର ଶ୍ରଦ୍ଧା ଓ ବିଶ୍ବାସ, ମୋ କଳାକାର ପରିବାର‌େର ଥିବା ଭାଇଚାରା ଆଉ ଦର୍ଶକଙ୍କର ନିଃସ୍ବାର୍ଥ ଗ୍ରହଣୀୟତା ମୋତେ ପୁଲକିତ କରୁଛି, ଯେତେ ଦିନ ଏ ସମସ୍ତଙ୍କ ଭିତରେ ମୁଁ ଥିବି, ସବୁବେଳେ ପୁଲକିତ ହେଉଥିବି।

ସମ୍ବନ୍ଧିତ ଖବର