ପହିଲି ପୁଲକ: ନିର୍ଦ୍ଦେଶକଙ୍କ ଶକ୍ତ ଜାବୁଡ଼ା ମୋତେ ମଞ୍ଚରେ ଟଳି ଦେଲା

ନାରାୟଣ ପତି, ଅଭିନେତା-ନିର୍ଦ୍ଦେଶକ

ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥିଲି। ସେତେବେଳେ ଆମ ବିଦ୍ୟାଳୟରେ ଗୋଟିଏ ନାଟକ ହେଲା। ଏହାର କାହାଣୀ ଭାରତ-ଚାଇନା ଯୁଦ୍ଧ ଉପରେ ପର୍ଯ୍ୟବସିତ ଥିଲା। ଏଥିରେ ମୋତେ ସମର ବୋଲି ଗୋଟିଏ ଚରିତ୍ର ଦିଆଯାଇଥିଲା। ମଞ୍ଚ ଉପରେ ମୋର ମରିବାର ଥିଲା। ମୋ ଉପରକୁ ପ୍ରତିପକ୍ଷ ତିନି ତିନିଥର ଗୁଳି ଫୁଟାଇଲେ। ହେଲେ ମୁଁ ଟଳିପାରିଲିନି। ଡାଇରେକ୍ଟର ସତୀଶ ଚନ୍ଦ୍ର ଦାସ ପେଣ୍ଡାଲ ଉପରକୁ ଯାଇ ମୋତେ ଗୋଟେ ଶକ୍ତ ଜାବୁଡ଼ା ମାରିଲେ, ତା’ପରେ ମୁଁ ଟଳି ପଡ଼ିଲି। ଏହା ଥିଲା ମୋ ଜୀବନର ପ୍ରଥମ ସଫଳତା।

ଗାଁରେ ଆମେ ନାଟକ କରୁଥିଲୁ। ସେଥିରେ ମୁଁ ମୁଖ୍ୟ ଚରିତ୍ର ଥିଲି। ମୋ ସାନଭାଇ ଅନନ୍ତ ପତି ବି ଅଭିନୟ କରୁଥିଲା। ଆମ ଗାଁର ସ୍କୁଲ ପିଅନ ବଂଶୀଧର ବାରିକ ପ୍ରୀତିପୁର ଯାତ୍ରାପାର୍ଟି‌େର ଥିଲେ। ସିଏ ଜଣେ ଜମିଦାର ରୋଲ କରୁଥିଲେ, ମୋ ସାନଭାଇକୁ କହିଲି ତୁ ଜମିଦାରଙ୍କ ପଛରେ ପରିବା ବୋଝଟା ମୁଣ୍ଡେଇକି ଯିବୁ। ଜମିଦାର ଆଗରେ ଚାଲିଛନ୍ତି, ହେଲେ ଅନନ୍ତ ମୁଣ୍ଡରେ ପରିବା ବୋଝଟା ନାହିଁ। ସିଏ ମଞ୍ଚ ଉପରେ ସଂଳାପ ସଂଯୋଜନା କରି କହିଲେ- ତୋ ମୁଣ୍ଡରେ ବୋଝ ନାହିଁ, ଯା’ ଆଣିବୁ। ବିଚରା ଅନନ୍ତ ଗଲା ବୋଝ ମୁଣ୍ଡେଇକି ଆସିଲା। ହେଲେ ସେତେବେଳକୁ ମୁଁ ରାଗିପାଚି ଲାଲ ହେଇଯାଇଥାଏ। ସେଇ ମଞ୍ଚ ଉପରେ ମୁଁ ତାକୁ ଗୋଟେ ଶକ୍ତ ଚାପୁଡ଼ା ବଜେଇଲି। ମୁଁ ଭଦ୍ରକ କଲେଜରେ ପଢୁଥିଲା ବେଳେ ‘ମୁଁ ସଇତାନ କହୁଛି’ରେ ଧନୁଗୋପାଳ ଚରିତ୍ର କରୁଥାଏ। ବିରୋଧୀମା‌େନ ମୋତେ ଈର୍ଷା କରି ଲାଇନ୍ କାଟିଦେଲେ। ମୁଁ ଗୋଟେ ସୋଫା ଉପରେ ବସି ସାହେବ ପରି ସଂଳାପ କହିବାର ଥାଏ। ହେଲେ ସୋଫାଟାକୁ ଏମିତି କାଇଦାରେ ସେମାନେ ରଖିଥିଲେ ଯେ ସେଇଟା ମୁଁ ବସିଲା ବେଳକୁ ଗଳିପଡ଼ିଲା। ଦର୍ଶକ ଗଳିପଡ଼ିବାର ଦୃଶ୍ୟ ଦେଖି ଠୋ ଠୋ କରି ହସିଲେ। ସେତେବେଳକୁ ଆମର ଯିଏ ଚାକର ରାମ ମଞ୍ଚର ଅନତି ଦୂରରେ ଥିବା ଆମ୍ଭ ଗଛ ମୂଳେ ବସି ବିଡ଼ି ଟାଣୁଥିଲା। ତାକୁ ମୁଁ ମଞ୍ଚ ଉପରେ ଥାଇ ଉଚ୍ଚସ୍ବରରେ ଡାକ ପକେଇଲି। ସେ ଆସିଲା, ତା’ ଗାଲକୁ ଗୋଟେ ଶକ୍ତ ଜାବୁଡ଼ା ପକେଇଲି। ଏନ୍‌ଏସ୍‌ଡି ଯିବା ପୂର୍ବରୁ ‘ସଂକଳ୍ପ’ ସିନେମାରେ ଅଭିନୟ କରିଥିଲି, ତାହା ରିଲିଜ ହେଇପାରିଲାନି। ଏହାପରେ ‘ସମର ସଲିମ୍ ସାଇମନ୍’ ସିନେମାରେ ମୁଁ ସଲିମ୍ ‌ଚରିତ୍ରରେ ଅଭିନୟ କରିଥିଲି। ଏହା ବ୍ୟତୀତ ‘ବାଟ ଅବାଟ’ ଚଳଚ୍ଚିତ୍ରରେ ମୋତେ ପ୍ରମୁଖ ଭୂମିକା ମିଳିଥିଲା। ଏହା ଭିତରେ ମୁଁ ଓଡ଼ିଆ ଚଳଚ୍ଚିତ୍ର ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ମୁଖ୍ୟ ଚରିତ୍ର ଶିବ ମାଷ୍ଟର, ଏବଂ ‘ଖାଣ୍ଟି ଓଡ଼ିଆ ଝିଅ’ରେ ବାପା ଚରିତ୍ରରେ ଅଭିନୟ କରିଛି।

ମୋ ଗାଁ ଯାଜପୁର ଜିଲ୍ଲା ଅନ୍ତର୍ଗତ ପ୍ରୀତିପୁର। ମୋ ବାପା ସ୍ବାଧୀନତା ସଂଗ୍ରାମୀ ବଳରାମ ପତି, ଏବଂ ମା’ ଚାରୁବାଳା ପତି। ଗାଁରେ ପାଲା ଦେଖିବା ପରେ ମୁଁ ନାଟକ ପ୍ରତି ଆକର୍ଷିିତ ହେଲି, ନାଚଗୀତରେ ଅଂଶଗ୍ରହଣ କଲି। ବିଏ ପରେ କଟକର ଡକ୍ଟର ବସନ୍ତ ମହାପାତ୍ର ଓ କାର୍ତ୍ତିକ ରଥଙ୍କ ସହ ନାଟକ କଲି। ଜନତା ରଙ୍ଗମଞ୍ଚ‌େର ‘ବାରବଧୂ’ ଥିଲା ମୋ ପାଇଁ ପ୍ରମୁଖ ନାଟକ। ଏହାପୂର୍ବରୁ ମବୁଁ ଭଦ୍ରକ କଲେଜରେ ପଢୁଥିଲି। ସେଠାରେ ବିଜୟ ମିଶ୍ରଙ୍କ ନାଟକ ‘ଅସତ୍ୟ ସହର’ରେ ମୋତେ ‌ଦର୍ଶକ ଆହୁରି ପ୍ରଶଂସା ଦେଲେ। କଟକରୁ ଭୁବନେଶ୍ବର ଆସିଲା ପରେ ଆମେ ଗୋକୁଳାନନ୍ଦ ସାହୁ, ପ୍ରତାପ ସାମଲ, ଦିଲୀପ ହରପାଲ, ସୁଦାମ ଜେନା ଓ ମୁଁ ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନ ଗଢ଼ିଲୁ। କିନ୍ତୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଫେରିବା ପରେ ମୁଁ କିଛି କଳାକାର ବନ୍ଧୁଙ୍କୁ ନେଇ ‘ଅନ୍ବେଷଣ’ ନାମକ ନାଟ୍ୟାନୁଷ୍ଠାନ ଗଢ଼ିଲି। ମୋର ମନେପଡ଼େ ଇଷ୍ଟର୍ଣ୍ଣ ଜୋନ୍‌ରେ ପାଞ୍ଚଟା ରାଜ୍ୟ ଭିତରେ ନାଟକ ପ୍ରତିଯୋଗିତିା ହେଇଥିଲା, ଏଥିରେ ଆମେ ଓଡ଼ିଶା ତିରଫରୁ ‘ମୁକ୍ତିପଥ’ ନାଟକ ମଞ୍ଚସ୍ଥ କରିଥିଲୁ। ଏହା ସର୍ବଭାରତୀୟ ସ୍ତରରେ ମନୋନୀତ ହେଇଥିଲା।

ମୁଁ ଏନ୍‌ଏସ୍‌ଡିରେ ପଢ଼ିବା ବେଳେ ବାଦଲ ସରକାରଙ୍କ ରଚିତ ଓ ଭି. କରନ୍ଥଙ୍କ ନିର୍ଦ୍ଦେଶିତ ‘ଏବଂ ଇନ୍ଦ୍ରଜିତ’, ରୋଶନ ସେଖଙ୍କ ‘ଶାହାଜାହାନ୍’, ରୟାଲ ଡ୍ରାମାଟିକ୍ ଆର୍ଟ ଅଫ୍ ଲଣ୍ଡନ ଥିଏଟରର ‘ଟ୍ବେଲ୍‌ଭଥ ନାଇଟ୍’, ବ୍ୟାରି ଜନଙ୍କ ନିର୍ଦ୍ଦେଶିତ ‘ଇଡିପସ୍’, ଡ୍ୟାନ୍ସ ପ୍ଲେ ‘ଦ ଟାଇଗର’, ବ୍ୟାରି ଜନ୍‌ଙ୍କ ରଚିତ ଓ ରବୀନ ଦାସଙ୍କ ନିର୍ଦ୍ଦେଶିତ ‘ସର୍ଭେଣ୍ଟ ଅଫ୍‌ ଟୁ ମାଷ୍ଟର୍ସ’, ଏମ୍‌କେ ରାଇନାଙ୍କ ନିର୍ଦ୍ଦେଶନାରେ ‘ଏନିମି ଅଫ୍‌ ପିପୁଲ, ଆଣ୍ଡରିକ୍‌ ରିକସନ୍‌ ଗନ୍ ଏଜନଭିଡ୍ ବ୍ରେକଙ୍କ ପ୍ଲେ, ‘ଆଥ୍ରୋ ଉଇ’ ଆଦିରେ ଅଭିନୟ କରିଛି। ଏହା ବ୍ୟତୀତ ଦୟାବାନ୍, ଦାମିନୀ, ଅନ୍ତର୍ଦାହ, ଦୁର୍ଗା, ଡକ୍ଟର ଆମ୍ବେଦକର, ଡିସକଭରି ଅଫ୍ ଇଣ୍ଡିଆ, ଔର ଭି ହେ ରାହେଁ, ଏକ କହାନୀ, ଅଧିକାର ଭଳି ଆଦି ଟେଲି ସିରିଏଲରେ ଅଭିନୟ କରିଛି। ମୁଁ ଏନ୍‌ଏସ୍‌ଡିରେ ଷ୍ଟୁଡେଣ୍ଟସ୍ ୟୁନିୟନର ସଭାପତି ଥିବାବେଳେ ଆମେ ଛାତ୍ରଛାତ୍ରୀମାନେ ସରକାରଙ୍କ ପାଖରେ ୩୨ଟି ଦାବି କରିଥିଲୁ, ସେଥିରୁ ୩୦ଟି ଦାବି ପୂରଣ ହେଇଥିଲା।

ସମ୍ବନ୍ଧିତ ଖବର