ଦୂରଦର୍ଶନରେ ପ୍ରସାରିତ ହେଉଥାଏ ମେଗାଧାରାବାହିକ ‘ସମ୍ପର୍କ’। ଜଣେ ବନ୍ଧୁ ମୋତେ ଡାକିନେଲେ ତାଙ୍କ ଘରକୁ। କେନ୍ଦ୍ରାପଡ଼ାର ମାର୍ଶାଘାଇ। ତାଙ୍କ ଘରେ ନେଇ ସେ ମୋତେ ବସେଇକି ମୁଢ଼ି ଖାଇବାକୁ ଦେଇଥାନ୍ତି। ଆମେ ତିନି ଚାରିଜଣ ବସି ମୁଢ଼ି ଚୋବାଉଥାଉ। ମାର୍କେଟିଙ୍ଗ୍ କରିବାକୁ ଯାଇଥିବା ବନ୍ଧୁଙ୍କ ପତ୍ନୀ ଘରକୁ ଫେରିଲେ। ଘରେ ପଶୁ ପଶୁ ବଙ୍ଗଳାରେ ଯେତେବେଳେ ସେ ମୋତେ ଦେଖିଲେ, ରାଗିପାଚି ଲାଲ୍ ପଡ଼ିଗଲେ। ଏହାପରେ ଦୁମ୍ ଦୁମ୍ ହେଇ ଘର ଭିତରକୁ ଚାଲିଗଲେ। ହାତରେ ଝାଡୁଟିଏ ଆଣି ମୋତେ ଆଖିବୁଜି ପିଟି ପକେଇଲେ। ଆଉ କହିଲେ- ଇଏ ଶଳା ଘରଭଙ୍ଗା ଡାହୁକଟାକୁ ଆଣି ଆମ ଘରେ ବସେଇଛ! ତାଙ୍କ ଭାଇ ମୋତେ ଘର ତଳକୁ ଡାକି ଆଣି ବୁଝେଇ କହିଲେ ଆପଣଙ୍କ ରୋଲ୍‌ରେ କ୍ଷୁବ୍‌ଧ ହେଇ ମୋ ଭଉଣୀ ଘରେ ଥିବା କଳାଧଳା ଟିଭିଟାକୁ ବାଡ଼େଇକି ଗୁଣ୍ଡ କରିଦେଇଛନ୍ତି। ମୋତେ ଟିକେ ସକ୍ ହେଲା, କିନ୍ତୁ ଅଳ୍ପ କେଇମିନିଟ୍ ଭିତରେ ମୁଁ ବୁଝିଗଲି ଯେ ମୋ ରୋଲ୍ ତା’ହେଲେ ଦର୍ଶକଙ୍କ ଛାତିକୁ ଲାଗିଛି। ‘ସମ୍ପର୍କ’ ଧାରାବାହିକରେ ମୋ ଚରିତ୍ର ଥିଲା ସବ୍ ଇନିସ୍ପେକ୍ଟର ‘ଦଣ୍ଡପାଣି’। ଗୋଟିଏ ସିନ୍‌ରେ ସିଦ୍ଧାର୍ଥ ମହାପାତ୍ର ଜଣେ ମ୍ୟାନେଜର ଭୂମିକାରେ ଥିଲେ। ତାଙ୍କ ମା’ଟି ଅନ୍ଧୁଣୀ ଏବଂ ସ୍ତ୍ରୀ ଗର୍ଭବତୀ ଅବସ୍ଥାରେ ଅଛନ୍ତି। ‌ତାଙ୍କୁ ମାରିବାକୁ ଗୁଣ୍ଡାମାନେ ଗୋଡ଼େଇଛନ୍ତି। ସେ ପୋଲିସ ‌େଷ୍ଟସନ୍‌ରେ ପହଞ୍ଚି ମୋତେ ଉଦ୍ଧାର କରିବାକୁ କହୁଛନ୍ତି। ହେଲେ ମୁଁ ସେଇ ଗୁଣ୍ଡାମାନଙ୍କୁ ଲଗେଇ ତାଙ୍କୁ ଜୀବନରୁ ମାରିଦେଉଛି। ଦଣ୍ଡପାଣିର ଏଭଳି ନକାରାତ୍ମକ ଚରିତ୍ର ସେହି ମହିଳାଙ୍କୁ ବହୁତ କଷ୍ଟ ଦେଇଥିଲା।

Advertisment

ଏଥିରେ ମୋର ଡାଇଲଗ୍ ମାନିଆ ଥିଲା, ‘ଭିଡ଼କୁ ନୁହେଁ’। ଏ ମାନିଆଟି ପୁଣି ମୁଁ ନିଜେ ମୋ ସଂଳାପରେ ଯୋଡ଼ିଥିଲି। ଭୁବନେଶ୍ବରର ଇନ୍ଦ୍ରଧନୁ ମାର୍କେଟ୍‌ରେ ଜଣେ ଗୁପ୍‌ଚୁପ୍‌ବାଲା ପାଖରେ ମୁଁ ଖାଇବାକୁ ଛିଡ଼ା ହେଇଥାଏ। ଜଣେ ଯୁବକ ଗୁପ୍‌ଚୁପ୍‌ବାଲାକୁ କେତେବେଳୁ ଖାଇବାକୁ ମାଗିଲାଣି। ତା’ପାଖରେ ଏତେ ଭିଡ଼ ଯେ ସେ ତାକୁ କହୁଥାଏ- ଆଉ ଟିକେ ରୁହ। ଜଣକ ପରେ ଜଣକୁ ଦେଉଥିଲେ ମଧ୍ୟ ତାକୁ ଦେଉ ନ ଥିଲା। ଶେଷରେ ଯୁବକଜଣକ ବିରକ୍ତ ହେଇ ପତ୍ରଟିକୁ ଗୁପ୍‌ଚୁପ୍‌ବାଲା ମୁହଁକୁ ଛାଟି ଦେଇ କହିଲା- ହେ ତୁ ଭିଡ଼କୁ ନୁହେଁ। ମୁଁ ‘ସମ୍ପର୍କ’ ଧାରାବାହିକର ଲେଖକ ସଚ୍ଚି ମହାନ୍ତିଙ୍କୁ କହିଲି- ଭାଇନା ମୋ ଡାଇଲଗ୍‌ରେ ଏଇ ‘ଭିଡ଼କୁ ନୁହେଁ’ ମାନିଆଟିକୁ ଯୋଡ଼ନ୍ତୁ। ସେଇ ମାନିଆଟି ହିଁ ମୋ ଚରିତ୍ରକୁ ଆହୁରି ହିଟ୍ କରିଦେଇଥିଲା। ଦର୍ଶକ ତ ମୋ ଶୁଭନାମ ଜାଣି ନ ଥିଲେ, ସେଇଦିନରୁ ମୁଁ ‘ଦଣ୍ଡପାଣି’ ନାଁରେ ପରିଚିତ ହେଇଗଲି। ମୋ ଅଭିନୟ ଜୀବନର ଗୁରୁ ଅଜିତ ଦାସ ମୋତେ ଏଭଳି ଏକ ଚରିତ୍ରରେ ସୁଯୋଗ ଦେଇଥିଲେ। ମୁଁ ତ ଆଇଟିଆଇ ଷ୍ଟୁଡେଣ୍ଟ୍‌ ନୁହେଁ, ରେଞ୍ଚି ମୋଡ଼ି ମୋଡ଼ି ମେକାନିକ୍ ହେଇଗଲି। ମଞ୍ଜରୀ ଚ୍ୟାନେଲ୍‌ରେ ପ୍ରସାରିତ ‘ସିଂହଦ୍ବାର’ରେ ମୋତେ ଦର୍ଶକଙ୍କ ଗ୍ରହଣୀୟତା ମିଳିଥିଲା। ନିର୍ଦ୍ଦେଶକ ପ୍ରଦୀପ୍ତ ଦାସ ମୋତେ ‘ଜଟ’ ଭୂମିକା ଦେଇଥିଲେ। ଏହା ନେଗେଟିଭ୍ ଚରିତ୍ର ହେଇଥିଲେ ମଧ୍ୟ ଗାଳି ଓ ତାଳି ମିଳୁଥିଲା। କୁମ୍‌କୁମ୍‌, ମଙ୍ଗଳାଚରଣ, ଆମ ଘରର ଲକ୍ଷ୍ମୀ, ତାରାତାରିଣୀ, ମାୟା, ତୋ ଅଗଣାର ତୁଳସୀ ମୁଁ ପରି ଆଠଟି ଧାରାବାହିକରେ ମୋତେ କେବଳ ବାବା ଭୂମିକା ଦିଆଯାଇଥିଲା। ଏବେ ଷ୍ଟାର କିରଣରେ ଚାଲିଛି ‘ସ୍କୁଟର ଅଙ୍କଲ୍‌’।

ମନରେ ଭାରି ଇଚ୍ଛା ଥିଲା ଅଭିନୟ କରିବି। ୧୯୮୫ରେ ସିନେମା ଦୁନିଆରେ ପ୍ରବେଶ କଲି। ନିର୍ଦ୍ଦେଶକ ଗୁଡ଼ିଆ ମହାପାତ୍ର ସୁଯୋଗ ଦେଇଥିଲେ। ପ୍ରଥ‌େମ ‘ପକା କମ୍ବଳ ପୋତ ଛତା’ରେ ଅଭିନୟ କଲି। ଏଥିରେ ମୋର ଗୁଣ୍ଡା ରୋଲ୍ ଥାଏ। ଟିକେଟ୍ କାଟି ସାଙ୍ଗମାନଙ୍କୁ ନେଇ ସିନେମା ହଲ୍‌କୁ ଗଲି। ସେମାନେ ମୋତେ ଚିହ୍ନିପାରିଲେନି। ମୁଁ କହିଲି ସେଇ ଜାହାଜ ଉପରେ ଯେଉଁ ଗୁଣ୍ଡାଟା ଚେକ୍ ସାର୍ଟ ପିନ୍ଧିକି ବନ୍ଧୁକ ଧରି ଠିଆହେଇଛି, ସିଏ ହେଉଛି ମୁଁ। ସେମାନେ କହିଲେ କେତେଜଣଙ୍କୁ ଏମିତି ଟିକେଟ୍ କରି ଦେ‌େଖଇବୁ। ତୋର ତ ଚେହେରା ଦେଖା ଯାଉନି କି ଡାଇଲଗ୍ ନାହିଁ। ସେଇ କଥାଟା ମୋ କ୍ୟାରିୟରର ମୋଡ଼ ବଦଳେଇ ଦେଲା। ମୁଁ ଯାଇ ପ୍ରଶାନ୍ତ ନନ୍ଦଙ୍କ ପାଖେରେ ଅଭିମାନ କଲି। ସେ ମୋତେ ‘ବଗୁଲା ବଗୁଲି’ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ। ତା’ପରେ ଚାଲିଲା। ଅଭିମନ୍ୟୁ, ରାଜା ଝିଅ ସାଙ୍ଗେ ହେଇଗଲା ଭାବ, ରାଜାରାଣୀ, ସ୍ବୟଂସିଦ୍ଧା, ଭଉଁରୀ, ସ୍ମାଇଲ୍ ପ୍ଲିଜ୍‌ ଆଦିରେ ଅଭିନୟ କରି ମୁଁ ଆତ୍ମସନ୍ତୋଷ ପାଇଛି। କାହାଣୀ, ସଂଳାପ, ଚିତ୍ରନାଟ୍ୟ, ସଂଳାପ, ନିର୍ଦ୍ଦେଶନା, ପ୍ରଯୋଜନା, ଅଭିନୟ ସବୁଥିରେ ମୁଁ ଅଛି, ଦିନଥିଲା ମୁଁ ଥିଲି ଚଳଚ୍ଚିତ୍ରର ଜ‌େଣ ନିର୍ଭରଯୋଗ୍ୟ ବ୍ୟବସ୍ଥାପକ।

ପୋଲିସ୍ ଚାକିରି କରିଥିଲି। ୨୨ ଦିନ ପରେ ପୁଣି ଅଭିନୟ ଦୁନିଆକୁ ଫେରିଲି ଓ କଳାଜଗତରେ ମିଛମିଛିକା ପୋଲିସ୍ ବନିଗଲି। ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ସ୍ତବ୍‌ଧ କରିଦେଉଥିବା ବାଙ୍କୀ ରାଇଜର ଅଭିନେତା ଥିଲେ ହେମନ୍ତ ଦାସ। ସେ ତ ଚାଲିଗଲେଣି, ଏ‌େବ ମୁଁ ମୋ ଗାଁକୁ ଗଲେ କେହି କେହି କହନ୍ତି, ଆରେ ନୀଳମଣି ତୁ ବାଙ୍କୀ ରାଇଜରେ କଳାକୁ ବଞ୍ଚେଇ ରଖିଛୁ, ତୋର ଭଗବାନ ମଙ୍ଗଳ କରନ୍ତୁ।