ଦୁଇଟିରେ ନୁହେଁ, ଜାଣନ୍ତୁ ଏଯାବତ୍ କେତୋଟି ସିନେମାରେ ନଜର ଆସିଛନ୍ତି ବାବୁସାନ୍-ଭୂମିକାଙ୍କ ଯୋଡ଼ି
ବିଶେଷ: ଶିବଶଙ୍କର ଓଝା
ଭୁବନେଶ୍ବର: ଦୁଇଟି ଓଡ଼ିଆ ସିନେମାରେ ଏକ ଅନ୍ସ୍କ୍ରିନ୍ ଯୋଡ଼ି ଧମାଲ୍ କରିଥିଲେ। ଏଠାରେ ଯେଉଁ ଅନ୍ସ୍କ୍ରିନ୍ ଯୋଡ଼ି କଥା କୁହାଯାଉଛି, ସେ ହେଲେ ବାବୁସାନ୍-ଭୂମିକା। ଏହି ଯୋଡ଼ିଙ୍କର ପ୍ରଥମ ସିନେମା ହେଲା ‘ହିରୋ ନମ୍ବର ଓ୍ଵାନ୍’, ଯାହା ୨୦୧୭ ପୂଜା ବଜାରରେ ମୁକ୍ତିଲାଭ କରିଥିଲା। ଏହାର ନିର୍ଦେଶକ ଥିଲେ ତାପସ ସରଘରିଆ। ଅଭିଜିତ୍ ମଜୁମ୍ଦାର୍ ଏହାର ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ବାବୁସାନ୍-ଭୂମିକାଙ୍କ ଯୋଡ଼ି ବି ଜମି ଯାଇଥିଲା।
ଏବେ ପୁଣିଥରେ ୨୦୧୮ ପୂଜା ବଜାରରେ ବାବୁସାନ୍-ଭୂମିକାଙ୍କ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ଏକ ଫିଲ୍ମ ନିର୍ମାଣ କରିଥିଲା, ଯାହାର ଟାଇଟଲ୍ ଥିଲା ‘ଶ୍ରୀମାନ୍ ସୁରଦାସ’ । ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ଅଶୋକ ପତି। ଅଭିଜିତ୍ ମଜୁମ୍ଦାର୍ ଏହାର ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ, ସଂଳାପ ଲେଖିଥିଲେ ରଣଜିତ୍ ପଟ୍ଟନାୟକ।
ହେଲେ ଆପଣ କ’ଣ ଜାଣନ୍ତି କେବଳ ଏହି ଦୁଇଟି ନୁହେଁ, ବରଂ ଆଉ ଏକ ସିନେମାରେ ବି ନଜର ଆସିଥିଲେ ବାବୁସାନଙ୍କ ସହ ଭୂମିକା। ଏହି ସିନେମା ହେଲା ‘ମିଷ୍ଟର୍ ମଜନୁ’। ଏହା ୨୦୧୯ ପୂଜା ବଜାରରେ ରିଲିଜ୍ ହୋଇଥିଲା। ଏଥିରେ ଅବଶ୍ୟ ଭୂମିକା ନାୟିକା ନ ଥିଲେ। ତାଙ୍କୁ ଏଥିରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିଥିଲା କ୍ଲାଇମାକ୍ସରେ। ଏହି ଦୃଶ୍ୟରେ ବାବୁସାନଙ୍କ ସହ ଦେଖା ଦେଇଥିଲେ ଭୂମିକା।
ଏଥିରେ ଜଣେ ଡାକ୍ତର ଭୂମିକାରେ ନଜର ଆସିଥିଲେ ଭୂମିକା। ‘ମିଷ୍ଟର୍ ମଜନୁ’ରେ ଶୀତଲ, ସୂରମୟୀ ଓ ଦିବ୍ୟା ନାୟିକା ଭୂମିକାରେ ଥିଲେ। ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ଅଶୋକ ପତି। ଅଭିଜିତ୍ ମଜୁମ୍ଦାର୍ ଏହାର ସଙ୍ଗୀତକାର।
ଲଗାତାର ତିନି ବର୍ଷ ଧରି ପୂଜା ବଜାରର ସିନେମାରେ ନଜର ଆସିଥିବା ଏହି ଲୋକପ୍ରିୟ ଯୋଡ଼ି ୨୦୨୦ ପୂଜା ବଜାରରେ କିନ୍ତୁ ଦେଖା ଦେବେ ନାହିଁ, କାରଣ ବାବୁସାନ୍ ଓ ଭୂମିକା ଏକାଠି କୌଣସି ନୂଆ ଚଳଚ୍ଚିତ୍ର ଲାଗି ଚୁକ୍ତିବଦ୍ଧ ହୋଇନାହାନ୍ତି। ତେବେ, ଏହି ଲୋକପ୍ରିୟ ଯୋଡ଼ି କେବେ ପୁଣି ବଡ଼ ପରଦାକୁ ଆସିବେ ତାକୁ ଅପେକ୍ଷା କରିଛନ୍ତି ଉଭୟ କଳାକାରଙ୍କ ପ୍ରଶଂସକମାନେ।