ଇସ୍‌ଲାମବାଦ୍‌: କଥାରେ ଅଛି ଯେଉଁ ଘରେ ଝିଅ ଜନ୍ମ ନିଏ, ସେ ଘରକୁ ସୌଭାଗ୍ୟ ଆସେ। ମାତ୍ର ଏବେ ବି କିଛି ଲୋକ ଝିଅ ଜନ୍ମ ନେବା ମାତ୍ରେ ଦୁଃଖ ପ୍ରକାଶ କରିଥାନ୍ତି। ପୁଅ ଜନ୍ମ ହେଲେ ହିଁ ମାତୃତ୍ବ ସାର୍ଥକ ହୁଏ ବୋଲି କିଛି ମହିଳାଙ୍କ ଧ‌ାରଣ। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀ ସାହିବା ଅଫ୍‌ଜଲ୍‌ ବି ସାମିଲ୍‌ ଅଛନ୍ତି। ସାହିବା ଦେଇଥିବା ଏକ ବୟାନ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସାହିବାଙ୍କୁ ତାଙ୍କ ବୟାନ ପାଇଁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

Advertisment

ସେଲିବ୍ରେଟି ଯୋଡ଼ି ଅଫ୍‌ଜଲ୍‌ ଖାନ୍‌ ଓ ତାଙ୍କ ପତ୍ନୀ ସାହିବା ଅଫଜଲ୍‌ ନିଜର ଦୁଇ ପୁତ୍ରଙ୍କ ସହ ‌ଲୋକପ୍ରିୟ ସୋ’ ‘ଗୁଡ୍‌ ମର୍ଣ୍ଣିଂ ପାକିସ୍ତାନ’ରେ ନଜର ଆସିଥିଲେ। ସେ ସୋ’ରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଅଭିନେତ୍ରୀ ସାହିବା। ସେ କହିଛନ୍ତ, ‘ଆଲ୍ଲାଙ୍କୁ ଅଶେଷ ଧନ୍ୟବାଦ ଯେ ସେ ମୋତେ ଝିଅ ଦେଇନାହାନ୍ତି। ମୁଁ କେବେ ବି ଝିଅ ଚାହିଁନଥିଲି। କାହିଁକି ନା ଦୁନିଆରେ ମହିଳାଙ୍କ ଇଚ୍ଛାରେ କିଛି ବି ହୁଏନ। ଜଣେ ନାରୀ ଝିଅ ଥିବା ବେଳେ ବାପାମାଆଙ୍କ ଇଚ୍ଛାରେ ବଞ୍ଚେ, ବାହା ହେବା ପରେ ସ୍ବାମୀ ଇଚ୍ଛାରେ ବଞ୍ଚେ। ପୂରା ଜୀବନ ସେ ନିଜ ହିସାବେ ବଞ୍ଚି ପାରେନାହିଁ।’

ଏହି ସାକ୍ଷାତ୍‌କାର ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟିକୁ ଦେଖିବା ପରେ ସାହିବାଙ୍କୁ ସମାଲୋଚନାର ପାତ୍ର ହେବାକୁ ପଡ଼ିଛି। ତାଙ୍କର ଏହି ମନ୍ତବ୍ୟରେ ଅଭିନେତା ମୋଆମାର୍‌ ରାଣାଙ୍କ ପତ୍ନୀ ପ୍ରତିକ୍ରିୟା ରଖି କହିଛନ୍ତି, ‘ଝିଅମାନେ ଆଶୀର୍ବାଦ ହୋଇଥାନ୍ତି, ଆଶୀର୍ବାଦ କେବେ ବୋଝ ହୋଇନଥାଏ।’ ସେହିପରି ଅନ୍ୟ ଜଣେ ମହିଳା ଲେଖିଛନ୍ତି, ‘ପ୍ରଥମେ ଝିଅ ଜନ୍ମ ନେବା ମାଆ ପାଇଁ ସୌଭାଗ୍ୟର କଥା। ମୁଁ ଖୁବ୍ ଭାଗ୍ୟବତୀ ଯେ ମୋର ୨ ଝିଅ।’