୩ଟି ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଜାଣି ମଧ୍ୟ କଥା ଦେଇଥିବାରୁ ଠିକ ସମୟରେ ଫିଲ୍ମ ୮୩ର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଲେ ପଙ୍କଜ ତ୍ରିପାଠୀ

ମୁମ୍ବାଇ : ବହୁମୁଖୀ ଅଭିନେତା ତଥା ନ୍ୟାସ୍‌ନାଲ ଆଓ୍ଵାର୍ଡ ବିଜେତା ପଙ୍କଜ ତ୍ରିପାଠୀଙ୍କୁ ଏବେ ପ୍ରାୟ ସବୁ ଫିଲ୍ମରେ ଦର୍ଶକେ ଦେଖିବାକୁ ପାଉଛନ୍ତି । ତାଙ୍କର ଭିନ୍ନ ଅଭିନୟ ଦକ୍ଷତା ଆଜି ତାଙ୍କୁ ବହୁତ ବ୍ୟସ୍ତ କରି ପକାଇଛି । ଗୋଟେ ଫିଲ୍ମ ସରିବା ପରେ ଆଉ ଗୋଟେ ଫିଲ୍ମ କରିବାରେ ଲାଗି ପଡ଼ୁଛନ୍ତି ପଙ୍କଜ । ଏ ମଧ୍ୟରେ ସେ ପରିବାରକୁ ମଧ୍ୟ ସମୟ ଦେଇ ପାରୁ ନହାନ୍ତି । ତେବେ ସମୟ ବାହାର କରି ପରିବାର ସହ ସ୍କଟ୍‌ଲ୍ୟାଣ୍ଡ ଯିବାକୁ ଯୋଜନା ଥିବା ବେଳେ ଯିବାର ଦୁଇ ଦିନ ପୂର୍ବରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ଜଣା ପଡ଼ିଛି ।

India TV

ବାଇକ୍‌ରୁ ପଡ଼ିଯିବା ଫଳରେ ତାଙ୍କ କାନ୍ଧ ଏବଂ ବାହୁରେ ଆଘାତ ଲାଗିଥିଲା । କିନ୍ତୁ ସେ ସବୁକୁ ଖାତିର ନ କରି ଔଷଧ ନେବା ସହ ପରିବାରକୁ ଧରି ସ୍କଟଲ୍ୟାଣ୍ଡରେ ପହଞ୍ଚିଥିଲେ ପଙ୍କଜ । ସେଠାରୁ ତାଙ୍କୁ ଫିଲ୍ମ ୮୩ର ସୁଟିଂ ପାଇଁ ଲଣ୍ଡନ ଯିବାକୁ ଥିବା ବେଳେ ହଠାତ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏକ୍ସ-ରେ କରିବା ପରେ ତାଙ୍କର ୩ଟି ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଏହାକୁ ଖାତିର ନ କରି ସମୟ ଦେଇଥିବାରୁ ଲଣ୍ଡନରେ ପହଞ୍ଚି ସୁଟିଂ ଆରମ୍ଭ କରିଥିଲେ ପଙ୍କଜ । ଏବେ ଫିଲ୍ମ ୮୩ର ପୂରା ଟିମ୍‌ ତାଙ୍କର ଯତ୍ନ ନେବା ସହ ତାଙ୍କୁ କୌଣସି ଶାରୀରିକ ପରିଶ୍ରମ କରିବାକୁ ଦେଉ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର