ମୋ ନାମ ଅଯଥାରେ ବ୍ୟବହାର କଲେ କୋର୍ଟକୁ ଟାଣିବି, ଏଭଳି କଥା କାହିଁକି କହିଲେ ପଙ୍କଜ?

ମୁମ୍ବାଇ: ବଲିଉଡ ସହ ଓଟିଟି ପ୍ଲାଟଫର୍ମରେ ବଳିଷ୍ଠ ଅଭିନୟ କରି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ପଙ୍କଜ ତ୍ରିପାଠୀ ଏବେ ରାଗିଯାଇଛନ୍ତି | ସେ ଫିଲ୍ମ ‘ଆଜମଗଡ’ର ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ କମଲେଶ ମିଶ୍ରାଙ୍କ ପ୍ରଥମ ଫିଚର ଫିଲ୍ମ ହେଉଛି ‘ଆଜମଗଡ’ | ଏହି ଚଳଚ୍ଚିତ୍ରରେ ପଙ୍କଜଙ୍କ ଚରିତ୍ର ଖୁବ କମ ସମୟର ହୋଇଥିବାବେଳେ ଯିଏ ଯୁବକମାନଙ୍କୁ ଆତଙ୍କବାଦ ପଥରେ ନେଇଥାଏ। ଓଟିଟି ରିଲିଜ୍ ହେବା ସମୟରେ ଅଭିନେତା ଫିଲ୍ମର ପୋଷ୍ଟରକୁ ନେଇ ରାଗିଯାଇଥିଲେ | ପଙ୍କଜଙ୍କୁ କୁହାଯାଇଥିଲା ଯେ ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଏହି ଫିଲ୍ମର ସୁଟିଂ ପାଇଁ ତାଙ୍କୁ ମାତ୍ର ତିନି ଦିନ ସମୟ ଦେବାକୁ ପଡିବ।

କିନ୍ତୁ ଫିଲ୍ମର ପ୍ରମୋଶନରେ ନିର୍ମାତାମାନେ ତାଙ୍କ ନାମକୁ ବ୍ୟବହାର କରିଛନ୍ତି ଯେପରି ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାକୁ ନେଇ ଅଭିନେତା ଅସନ୍ତୁଷ୍ଟ ଅଛନ୍ତି। ସେ କହିଛନ୍ତି ଯେ ଏପରି ‘ଶସ୍ତା ପ୍ରଚାର’ର ପ୍ରଶଂସକ ନୁହଁନ୍ତି। ଅଭିନେତା କୌଣସି ଶୁଳ୍କ ନ ନେଇ ଏହି ଚଳଚ୍ଚିତ୍ରରେ କାମ କରିଥିଲେ। ସ୍ୱାଭାବିକ ଭାବରେ, ପଙ୍କଜ ଚାହୁଁ ନାହାଁନ୍ତି ଯେ ନିର୍ମାତାମାନେ ତାଙ୍କ ନାମର ଅପବ୍ୟବହାର କରି ଫିଲ୍ମକୁ ପ୍ରମୋଟ୍ କରନ୍ତୁ। ଯଦି ନିର୍ମାତା ଏଥିରେ ସହମତ ନ ନୁହଁନ୍ତି, ତେବେ ସେମାନଙ୍କୁ କୋର୍ଟକୁ ଟାଣିବେ ବୋଲି ପଙ୍କଜ କହିଛନ୍ତି | ଅଭିନେତାଙ୍କ କହିବା କଥା ଯେ ତାଙ୍କ ଚରିତ୍ର ବହୁତ ଛୋଟ ଏବଂ ପୋଷ୍ଟରରେ ତାଙ୍କୁ ଯେଉଁଭଳି ପ୍ରଦର୍ଶନ କରାଯାଇଛି ତାହା ଠିକ୍ ନୁହେଁ। ପଙ୍କଜ ତ୍ରିପାଠୀଙ୍କୁ ଶେଷଥର ପାଇଁ ୱେବ୍ ସିରିଜ୍ ‘କ୍ରିମିନାଲ ଜଷ୍ଟିସ’ର ତୃତୀୟ ସିଜନରେ ଦେଖିବାକୁ ମିଳିଥିଲା। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଓ ମାଇଁ ଗଡ଼ ୨’ ରେ ଦେଖିବାକୁ ମିଳିବ |

ସମ୍ବନ୍ଧିତ ଖବର