ମୁମ୍ବାଇ: ଗଜଲ ଗାୟକ ପଙ୍କଜ ଉଧାସଙ୍କର ଆଜି ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଆଜି ହଠାତ୍ ତାଙ୍କର ଦେହାନ୍ତ ଖବର ଆସିବା ପରେ ସଙ୍ଗୀତପ୍ରେମୀ ଲୋକଙ୍କ ସମେତ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି।

Advertisment

ପଙ୍କଜ ଉଧାସ ଚାରଣ ୧୭ ମଇ ୧୯୫୧ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ । ଭାରତୀୟ ସଙ୍ଗୀତ ଜଗତରେ ତାଙ୍କୁ ତଲତ ଅଜିଜ୍ ଏବଂ ଜଗଜିତ୍ ସିଂହଙ୍କ ଭଳି ଅନ୍ୟ  ପ୍ରସିଦ୍ଧ ଗଜଲ ଗାୟକଙ୍କ ସହ ତୁଳନା କରାଯାଇଥିଲା। ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ତେବେ ନିଜ ସଙ୍ଗୀତ ପାଇଁ ଏତେ ଲୋକପ୍ରିୟ ହୋଇଥିବା ଗାୟକ ଆଜି କେତେ କୋଟିର ମାଲିକ ଆପଣ ଜାଣନ୍ତି କି?

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଙ୍କଜ ଉଧାସ ନିଜ ପରିବାର ପାଇଁ ୨୪ରୁ ୨୫କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଛାଡିଯାଇଛନ୍ତି। ତାଙ୍କ ପତ୍ନୀ ଫରିଦାଙ୍କ ବ୍ୟତୀତ ସେ ତାଙ୍କ ୨ଝିଅ ନାୟାବ ଏବଂ ରେବା ଉଧାସଙ୍କ ସହ ରହୁଥିଲେ। ଆଜି ତାଙ୍କ ଦେହାନ୍ତ‌ ହେବା ପରେ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦ୍ବାରା ଜାରି ଏକ ବିବୃତିରେ ଲେଖାଯାଇଛି, “ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୬ ଫେବ୍ରୁଆରି ୨୦୨୪ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ବିୟୋଗ ବିଷୟରେ ଆପଣଙ୍କୁ ଜଣାଇ ଆମେ ଦୁଃଖିତ।“